ମଙ୍ଗଳାଯୋଡିରେ ବିରଳ ପକ୍ଷୀ

ମଙ୍ଗଳାଯୋଡି : ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡିରେ ଶୀତ ଦିନରେ ପ୍ରତିବର୍ଷ ବିଦେଶାଗତ ପକ୍ଷୀ ମାନଙ୍କର ଭିଡ ଲାଗି ରହିଥାଏ । ପ୍ରତିବର୍ଷ ନୂଆ ପ୍ରଜାତିର ପକ୍ଷୀ ମାନଙ୍କ ସହିତ, ସମୟ ସମୟରେ ବିରଳ ରଙ୍ଗର ମ୍ୟୁଟେସନ ଥିବା ପକ୍ଷୀ ମାନେ ମଧ୍ୟ ଏଠାକୁ ଆସିଥାନ୍ତି । ଏହି କ୍ରମରେ ଆଜି ମଙ୍ଗଳାଯୋଡିରେ ଠାବ ହୋଇଛି ଏକ ଅତି ବିରଳ ଧଳା ରଙ୍ଗର ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ । ଏହି ପକ୍ଷୀ ଟିର ଦେହର ରଙ୍ଗ ଧଳା ହୋଇଥିବା ବେଳେ ଦୁଇ ପଟ ଡେଣାରେ ଅତି ଅଳ୍ପ କିଛି କଳା ବା ମାଟିଆ ରଙ୍ଗର ଚିହ୍ନ ରହିଛି । ଏଇ ବିରଳ ପକ୍ଷୀ ଟିର ଆଖିର ରଙ୍ଗ କଳା ହୋଇଥିବା ବେଳେ ମୁଣ୍ଡଟି ସମ୍ପୂର୍ଣ୍ଣ ଧଳା ରଙ୍ଗର ହୋଇଅଛି । ଏଇ ବିରଳ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀଟିକୁ ଠାବ କରିଛନ୍ତି ମଙ୍ଗଳାଯୋଡି କନିରଭେସନ ଟ୍ରଷ୍ଟ ର ଟ୍ରଷ୍ଟି ତଥା ବାର୍ଡ ଗାଇଡ଼ ମଧୁ ବେହେରା । ଆଜି ମଙ୍ଗଳାଯୋଡି ରେ ଟୁରିଷ୍ଟ ମାନଙ୍କୁ ନେଇ ଡ଼ଙ୍ଗାରେ ବୁଲାଉ ଥିବା ବେଳେ ବାଲିଆଯୋରି ନାଳ ନିକଟରେ ଏହି ଧଳା ପକ୍ଷୀ ଟି କୁ ଖାଦ୍ୟ ଅନ୍ୱେଷଣ କରୁଥିବାର ଦେଖିବାକୁ ପାଇଥିଲେ ମଧୁ । ନିଜ କ୍ୟାମେରା ରେ କିଛି ଫୋଟୋ ଉଠେଇ ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠେଇ ଥିଲେ । ଶୁଭେନ୍ଦୁ ଏଇ ପକ୍ଷୀ ଟିକୁ ଟେମନିକସ୍ ଷ୍ଟିଣ୍ଟ ବୋଲି ଚିହ୍ନଟ କରିବା ସହ ଓଡ଼ିଶାରେ ଏଇ ପକ୍ଷୀର ଏଇ ଭଳି ଲିୟୁସିଷ୍ଟିକ ମ୍ୟୁଟେସନ ଦେଖା ଯିବା ପ୍ରଥମ ଓ ସାରା ଭାରତରେ ଦ୍ଵିତୀୟ ଘଟଣା ବୋଲି କହିଥିଲେ । ୨୦୨୦ ମସିହାରେ ଛତିଶଗଡ଼ ରେ ଏକ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ ଦେଖାଯାଇଥିଲା, ହେଲେ ତାହାର ମୁଣ୍ଡ ସାଧାରଣ ମାଟିଆ ରଙ୍ଗର ଥିବା ବେଳେ ଦେହରେ କମ୍ ପରିମାଣର ଧଳା ରଙ୍ଗ ଥିଲା । ତେବେ ମଧୁ ଠାବ କରିଥିବା ପକ୍ଷୀର ଅଧିକାଂଶ ରଙ୍ଗ ସମ୍ପୂର୍ଣ୍ଣ ଧଳା ।

ଏଇ ଟେମନିକସ୍ ଷ୍ଟିଣ୍ଟ  (Calidris temminckii) ପକ୍ଷୀ ମାନେ ସାଧାରଣତଃ ଉତ୍ତର ୟୁରୋପ ଏବଂ ଏସିଆ ଦେଶ ମାନଙ୍କରେ ବାସ କରିଥାନ୍ତି । ଭାରତ ଓ ଓଡ଼ିଶାକୁ କେବଳ ଶୀତ ଦିନରେ ହିଁ ଆସିଥାନ୍ତି, ଶୀତ ଦିନ ସରିବା ପରେ  ପୁଣି ନିଜ ସ୍ଥାନ ମାନଙ୍କୁ ସେମାନେ ବାହୁଡ଼ି ଯାଇଥାନ୍ତି ।

prayash

ଚଢେଇ ମାନଙ୍କ କ୍ଷେତ୍ରରେ ବର୍ଣ୍ଣ ଗତ ମ୍ୟୁଟେସନ କୁ ଚିହ୍ନଟ କରିବା କଷ୍ଟ ସାଧ୍ୟ ହୋଇଥାଏ । ଏଇ ଭଳି ଧଳା ରଙ୍ଗ ବିଶିଷ୍ଟ ମ୍ୟୁଟେସନ ଡାଇଲୁସନ ଏବଂ ପ୍ରୋଗ୍ରେସିଭ ଗ୍ରେଇଂ ଯୋଗୁଁ ମଧ୍ୟ ହୋଇଥାଏ । ଯେହେତୁ ଏଇ ଟେମନିକସ୍ ଷ୍ଟିଣ୍ଟ କ୍ଷେତ୍ରରେ ତାର ଇତିହାସ ବା ପିଲାଦିନ ର ରଙ୍ଗ ବିଷୟରେ ଯେହେତୁ କିଛି ତଥ୍ୟ ନାହିଁ, ଏଣୁ ଏଇ ପକ୍ଷୀ ଟିକୁ ଆମେ ଲିୟୁସିଷ୍ଟିକ ବୋଲି କହି ପାରିବା ବୋଲି ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମଧୁ ବେହେରା ମଙ୍ଗଳାଯୋଡି ରେ ଅନ୍ୟ ଦୁଇଟି ପକ୍ଷୀ ପ୍ରଜାତିଙ୍କର ବିରଳ ଲିୟୁସିଷ୍ଟିକ ମ୍ୟୁଟେସନ ଠାବ କରିଥିଲେ । ସେଇ ଦୁଇଟି ଥିଲେ ଲିୟୁସିଷ୍ଟିକ ନର୍ଦନ୍ ଶୋଭେଲର ଏବଂ କମନ ମୁର ହେନ । ତେବେ କରୋନା କଟକଣା ହେତୁ ଉକ୍ତ ଦୁଇ ବିରଳ ପକ୍ଷୀ ଙ୍କୁ ଦେଖିବା ପାଇଁ ଅଧିକ ପର୍ଯ୍ୟଟକ ଆସି ପାରିନଥିଲେ । ହେଲେ ଏବେ କରୋନା କଟକଣା ଅନେକ ମାତ୍ରାରେ ହଟି ଯାଇଥିବାରୁ ମଙ୍ଗଳାଯୋଡି କୁ କିଛି ପକ୍ଷୀ ପ୍ରେମୀ ଖାସ ଏଇ ଲିୟୁସିଷ୍ଟିକ ଟେମନିକସ୍ ଷ୍ଟିଣ୍ଟ ପକ୍ଷୀ କୁ ଦେଖିବା ଏବଂ ତାର ଫୋଟୋ ଉଠେଇବା ପାଇଁ ନିହାତି ଆସିବେ ବୋଲି ଆମେ ଆଶାବାଦୀ ବୋଲି ମଧୁ କହିଛନ୍ତି ।

kalyan agarbati

Comments are closed.