କୋଲକାତା/ ଭୁବନେଶ୍ୱର: ଗେନ୍ୱେଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ଭୂତଳ ଖଣି ଉପକରଣ ପାଇଁ ବିଶ୍ୱର ଅଗ୍ରଣୀ ନିର୍ମାଣ ଓ ଖଣି ଉପକରଣ, ଡିଜେଲ ଓ ପ୍ରାକୃତିକ ଗ୍ୟାସ ଇଞ୍ଜିନ, ଇଣ୍ଡଷ୍ଟ୍ରିଆଲ ଗ୍ୟାସ ଟର୍ବାଇନ ଏବଂ ଡିଜେଲ-ବୈଦ୍ୟୁତିକ ରେଳଇଞ୍ଜିନ ନିର୍ମାତା କ୍ୟାଟରପିଲାର ସହିତ ପ୍ରଯୁକ୍ତି ଲାଇସେନ୍ସିଂ ରାଜିନାମାରେ ସ୍ୱାକ୍ଷର କରି ଏହାର କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହି ରାଜିନାମା ଗେନ୍ୱେଲ ଇଞ୍ଜିନିୟରିଂକୁ ଭାରତ ଏବଂ ସମଗ୍ର ବିଶ୍ୱରେ ବର୍ଦ୍ଧିତ କୋଇଲା ଉତ୍ପାଦନ ଚାହିଦାକୁ ସମର୍ଥନ କରିବା ନିମନ୍ତେ ମଧ୍ୟମ ଓ ଉଚ୍ଚ ସିମ୍ ଭୂତଳ ରୁମ୍ ଓ ପିଲାର ଉପକରଣ ନିର୍ମାଣ କରିବା ନିମନ୍ତେ ସମର୍ଥ କରାଇବ। ଭାରତ ଏବଂ ଉଦୀୟମାନ ଅର୍ଥନୀତିଗୁଡିକ ପାଇଁ ଶକ୍ତି ନିରାପତ୍ତା କ୍ଷେତ୍ରରେ କୋଇଲା ମୁଖ୍ୟ ଉତ୍ସ ହୋଇ ରହିଛି ଏବଂ ଏହି ପ୍ରୟାସ ବିଶ୍ୱସ୍ତରୀୟ ଗ୍ରାହକଙ୍କ ପାଇଁ ଭରସାଯୋଗ୍ୟ, ଉନ୍ନତ ଗୁଣମାନର ରୁମ୍ ଓ ପିଲାର୍ ଉପକରଣ ଉପଲବ୍ଧ କରାଇବ। ଏହି ରାଜିନାମାର ଅଂଶସ୍ୱରୂପ ଗେନ୍ୱେଲ ଇଞ୍ଜିନିୟରିଂ ମଧ୍ୟ ସଂପ୍ରତି ରହିଥିବା ଲାଇସେନ୍ସପ୍ରାପ୍ତ କ୍ୟାଟରପିଲାର ରୁମ୍ ଆଣ୍ଡ ପିଲାର ଉପକରଣ ଏବଂ ହାଇୱାଲ ମାଇନର୍ର ସକ୍ରିୟ ଗ୍ରାହକଙ୍କୁ ଯନ୍ତ୍ରାଂଶ ଏବଂ ସେବା ସମର୍ଥନ ଯୋଗାଇଦେବ।
ଗେନ୍ୱେଲ ଇଞ୍ଜିନିୟରିଂ ଗେନ୍ୱେଲ କମୋସେଲ୍ସ ପ୍ରାଇଭେଟ ଲିମିଟେଡ (ପୂର୍ବର ଟ୍ରାକ୍ଟର୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ)ର ଏକ ନିର୍ମାଣକାରୀ ଉଦ୍ୟୋଗ, ଯେଉଁ କମ୍ପାନୀର ଭାରତରେ ଭିତ୍ତିଭୂମି ପ୍ରଗତିକୁ ସମର୍ଥନ କରିବାର ସାତ ଦଶନ୍ଧି ଧରି ସମୃଦ୍ଧ ପୃଷ୍ଠଭୂମି ରହିଆସିଛି। ଗେନ୍ୱେଲ ଇଞ୍ଜିନିୟରିଂର ଶୁଭାରମ୍ଭ ରାଷ୍ଟ୍ରକୁ ଏକ ବିନିର୍ମାଣକାରୀ କେନ୍ଦ୍ରସ୍ଥଳ ଭାବରେ ଗଢିତୋଳିବାର ସୁଦୃଢ ସାମର୍ଥ୍ୟ ଉପରେ ଦୃଷ୍ଟିବଦ୍ଧତାକୁ ସମ୍ମୁଖକୁ ଆଣିଛି। ଏହି ପ୍ରୟାସ ଏକ ସ୍ୱାବଲମ୍ବୀ ଭାରତ ଅଥବା ‘ଆତ୍ମନିର୍ଭର ଭାରତ’ ଭାବରେ ନିଜକୁ ବିକଶିତ କରିବା ଦିଗରେ ରାଷ୍ଟ୍ରର ସୁଦୂରପ୍ରସାରୀ ଲକ୍ଷ୍ୟକୁ ସାକାର କରିବ।
ଗେନ୍ୱେଲ ଇଞ୍ଜିନିୟରିଂ ଏହାର ନିର୍ମାଣକାରୀ ବ୍ୟବସାୟର ମୁଖ୍ୟଦପ୍ତର ଭାରତର କୋଲାକାତାରେ ଅବସ୍ଥାପିତ କରିବ ଏବଂ ଏହାର କାରଖାନା ପଶ୍ଚିମବଙ୍ଗର ପାନାଗଡ଼ଠାରେ ୩୫ ଏକର ପରିମିତ ଜମିରେ ସ୍ଥାପନ କରାଯାଉଛି। ଏଥିରେ ୫୦୦ କୋଟି ଟଙ୍କା (ପ୍ରାୟ ୭୦ ନିୟୁତ ଆମେରିକୀୟ ଡଲାର) ନିବେଶ କରାଯାଉଛି ଏବଂ ଏହାର ନିର୍ମାଣ କାର୍ଯ୍ୟ ଶେଷହେଲେ ଏହା ୨୫୦ ଅତି କୁଶଳୀ ଟେକ୍ନିସିଆନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଗେନ୍ୱେଲ ଇଞ୍ଜିନିୟରିଂ ବଛା ବଛା ମଡେଲର କଣ୍ଟିନ୍ୟୁଅସ ମାଇନର, ଫେସ ହଲର୍, ରୁଫ୍ ସପୋର୍ଟ କ୍ୟାରିୟର, ସ୍କୁପ୍ / ମଲ୍ଟି ୟୁଟିଲିଟି ଭେଇକଲ, ଫିଡର ବ୍ରେକର ଏବଂ ହାଇୱାଲ ମାଇନର ଆଦି କ୍ୟାଟରପିଲାର ସହିତ ପ୍ରଯୁକ୍ତି ଲାଇସେନ୍ସିଂ ରାଜିନାମା ଅଧୀନରେ ଗେନ୍ୱେଲ ବ୍ରାଣ୍ଡ୍ରେ ନିର୍ମାଣ କରିବ।
ଏହି ଅଧିଗ୍ରହଣ ସର୍ମ୍ପକରେ ମତଦେଇ ଗେନ୍ୱେଲ ଇଞ୍ଜିନିୟରିଂର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ଚତୁର୍ବେଦୀ କହିଛନ୍ତି, “ଭାରତରେ ଏକ ମଜଭୁତ ଶିଳ୍ପ ନିର୍ମାଣ ଭିତ୍ତି ପ୍ରତି ଅବଦାନ ରଖିବା ନେଇ ଆମେ ଉଲ୍ଲସିତ ଅଛୁ। ଆମର ଉତ୍ପାଦଗୁଡିକ, ସେବା ଓ ସମାଧାନ ତଥା ଆମ ଲୋକଶକ୍ତିକୁ ନେଇ ଆମେ ଗ୍ରାହକମାନଙ୍କୁ ସେମାନଙ୍କର ସବୁଠାରୁ କଷ୍ଟକର ଖଣି କ୍ଷେତ୍ରରେ ଆହ୍ୱାନଗୁଡିକୁ ସମାଧାନ କରିବାରେ ସହାୟତା କରିବା ସହିତ ଗ୍ରାହକଙ୍କ ପାଇଁ ମୂଲ୍ୟ ବ୍ୟବସ୍ଥା ନିର୍ମାଣ କରିବାକୁ ଉତ୍ସର୍ଗୀକୃତ ହୋଇଛୁ। କ୍ୟାଟରପିଲାର ଠାରୁ ଆଇପି ଲାଇସେନ୍ସ ଅଧିଗ୍ରହଣ ସହିତ ଆମ ଗ୍ରାହକମାନେ କ୍ୟାଟରପିଲାର ନିକଟରୁ ଯେଉଁସବୁ ସର୍ବାଧୁନିକ ଉତ୍ପାଦ ଏବଂ ଅନନ୍ୟ ସେବା ଆଶା କରିବେ ତାହା ସେମାନଙ୍କୁ ଯୋଗାଇଦେବା ସହିତ ସାଂପ୍ରତିକ ପରିସ୍ଥିତିରେ ଆମର ମୁଖ୍ୟ ଅଗ୍ରାଧିକାର ବିଷୟ ହେବ ଆମ ଗ୍ରାହକମାନେ ଏକ ତ୍ରୁଟିଶୂନ୍ୟ ରୂପାନ୍ତରଣ ଅନୁଭୂତି ହାସଲ କରିବା। ବିଭିନ୍ନ ରାଷ୍ଟ୍ରର ସର୍ବାଧିକ ଅଭିଜ୍ଞ ଲୋକଶକ୍ତିଙ୍କୁ ଆମେ ଏକତ୍ର କରୁଛୁ ଯାହା ଆମକୁ ଏକ ସ୍ଥାୟୀ ଅଭିବୃଦ୍ଧିଶୀଳ ଶିଳ୍ପରେ ଆମର ଉପସ୍ଥିତିକୁ ସୁରକ୍ଷିତ ରଖିବାରେ ସହାୟକ ହେବ।”
ଏହି ରାଜିନାମା ସମ୍ପର୍କରେ ପ୍ରକାଶ କରି ମିସ୍ ଡେନିସ ଜନ୍ସନ, ଗ୍ରୁପ୍ ପ୍ରେସିଡେଣ୍ଟ, ରିସୋର୍ସ ଇଣ୍ଡଷ୍ଟ୍ରିଜ, କ୍ୟାଟରପିଲାର କହିଛନ୍ତି, “ଆମେ ମିଡିୟମ ଏବଂ ହାଇ ସିମ୍ ଭୂତଳ ରୁମ୍ ଆଣ୍ଡ ପିଲାର ଉପକରଣରେ ରୂପାନ୍ତର ଆଣିବା ଏବଂ ବଜାର ପରବର୍ତ୍ତୀ ଲାଇସେନ୍ସିଂ ବ୍ୟବସ୍ଥା ଗେନ୍ୱେଲ ଇଞ୍ଜିନିୟରିଂକୁ ହସ୍ତାନ୍ତର କରିବା ନେଇ ଆନନ୍ଦ ଅନୁଭବ କରୁଛୁ। ଗେନ୍ୱେଲ ଭାରତରେ ଏକ ଅତ୍ୟାଧୁନିକ ନିର୍ମାଣ ପ୍ରକଳ୍ପରେ ପୁଞ୍ଜନିବେଶ କରିବ ଏବଂ ଉତ୍ପାଦଗୁଡିକୁ ବିଶ୍ୱବ୍ୟାପୀ ଯୋଗାଇଦେବ। କ୍ୟାଟରପିଲାର ଏବଂ ଗେନ୍ୱେଲ ମିଳିତ ଭାବରେ ତ୍ରୁଟିଶୂନ୍ୟ ରୂପାନ୍ତରଣ ଦିଗରେ କାର୍ଯ୍ୟ କରିବେ।”
ସମନ୍ୱିତ ପ୍ରଯୁକ୍ତି ଭିତ୍ତିକ ସମାଧାନ ଯୋଗାଇବା, ମାନଗତ ଏବଂ ମଜଭୁତପଣ ସୁନିଶ୍ଚିତ କରିବା, କର୍ମଚାରୀଙ୍କ ପାଇଁ ଏକ ସମ୍ମିଳିତ ଏବଂ ନିରାପଦ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଏବଂ ପରିବେଶ ଉପରେ ପ୍ରଭାବକୁ ସର୍ବନିମ୍ନ ସ୍ତରରେ ରଖିବାକୁ ଗେନ୍ୱେଲ ଇଞ୍ଜିନିୟରିଂ ପ୍ରତଶ୍ରୁତିବଦ୍ଧ ରହିଛି। ଆଗାମୀ ବର୍ଷଗୁଡିକରେ ଏହି ବଜାରରେ ରହିଥିବା ଉଲ୍ଲେଖନୀୟ ଅଭିବୃଦ୍ଧି ସୁଯୋଗରୁ ଫାଇଦା ଉଠାଇବାକୁ କମ୍ପାନୀ ସୁଦୃଢ ସ୍ଥିତିରେ ରହିଛି।



