www.samajalive.in
Monday, December 15, 2025
15.1 C
Bhubaneswar

ନିର୍ବାଚନ ପାଇଁ ନିଶା ବେପାରୀ ସକ୍ରିୟ; ନିଦ୍ରାରେ ଅବକାରୀ ବିଭାଗ 

ବେଗୁନିଆ : ଆଉ ୧୦ ଦିନ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏବେ ସବୁଆଡେ ପ୍ରଚାର ଜୋରଦାର ଚାଲିଛି। ଭୋଟରମାନଙ୍କୁ କିପରି ନିଜ ସପକ୍ଷରେ ଆକୃଷ୍ଟ କରିହେବ ସେଥିପାଇଁ ସମସ୍ତେ ଉଦ୍ୟମ କରୁଛନ୍ତି । କଳେ ବଳେ କୌଶଳେ କିପରି ଭୋଟ ପାଇ ନିର୍ବାଚିତ ହେବେ ସେଥିପାଇଁ କେହି ସୁଯୋଗକୁ ହାତଛଡା କରିବାକୁ ଚାହୁଁନାହାନ୍ତି। ଏହି ପରିପ୍ରେକ୍ଷୀରେ ମାଦକ ଦ୍ରବ୍ୟ ମୁଖ୍ୟ ଆୟୁଧ ପାଲଟିଛି। ଯାହାକୁ ନେଇ ନିରୀହ ଜନସାଧାରଣ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି । ଏଥିରୁ ମଧ୍ୟ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ। ବେଗୁନିଆ ବ୍ଲକ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଖୋର୍ଦ୍ଧା ଅବକାରୀ ବିଭାଗର ଜନୈକ ଇନସ୍ପେକ୍ଟରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନ ଯୋଗୁଁ ଏଠାରେ ମଦ ବେପାର ବୃଦ୍ଧି ପାଉଛି।

ଅପର ପକ୍ଷରେ ନାମକୁ ମାତ୍ର ଛୋଟ ଛୋଟ ନିଶା ବ୍ୟବସାୟୀଙ୍କୁ ଧରି ଅବକାରୀ ବିଭାଗ ବାହା ବାହା ନେଉଥିବାବେଳେ ବଡ଼ ମାଛମାନଙ୍କୁ ଧରିବାରେ ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହେଉଛି। ଫଳରେ ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକମାନଙ୍କରେ ନିଶାଖୋରଙ୍କ ଆଡ୍ଡା ବସୁଥିବାରୁ ଝିଅ ବୋହୁମାନେ ଘରୁ ପଦାକୁ ବାହାରି ପାରୁ ନଥିବା ଅଭିଯୋଗ ହେଉଛି।ଅଭିଯୋଗରୁ ପ୍ରକାଶ ଯେ, ବେଗୁନିଆ ବ୍ଲକରେ ଥିବା କେତେକ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନ ଗ୍ରାମାଞ୍ଚଳର ଏହି ଚୋରା ମଦ ବ୍ୟବସାୟୀମାନଙ୍କୁ ଅବକାରୀ ବିଭାଗ ଜ୍ଞାତ ସାରରେ ମଦ ଯୋଗାଇ ଦେଉଛନ୍ତି। ଦିନ ୧୦ଟା ପରେ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ଖୋଲିବା ପାଇଁ ନିୟମ ଥିବାବେଳେ ଦୋକାନରେ ମାଲିକମାନେ ସେମାନଙ୍କ ମନଇଚ୍ଛା ଦୋକାନ ଖୋଲି ମଦ ବିକ୍ରି କରୁଛନ୍ତି। ଏପରିକି ଅଧିକାଂଶ କାଉଣ୍ଟରରେ ନକଲି ମଦ ମଧ୍ୟ ବିକ୍ରି ହେଉଛି। ଖୋର୍ଦ୍ଧା ଅବକାରୀ ବିଭାଗର ସମ୍ପୃକ୍ତ ଇନସ୍ପେକ୍ଟର ଏହାର ମୁଖ୍ୟ ପୁରୋଧା ସାଜିଥିବାର ବିଭିନ୍ନ ସ୍ଥାନରେ ହେଉଥିବା ଅଲୋଚନାରୁ ଜଣାପଡ଼ିଛି। ଯେଉଁଠାରେ ମଦ ପ୍ରସ୍ତୁତ ହେଉଛି ସେଠାରୁ ସମ୍ପୃକ୍ତ ଇନ୍ସପେକ୍ଟର କେବଳ ମଦ ପ୍ରସ୍ତୁତ ସରଞ୍ଜାମ ସହିତ କିଛି ଦେଶୀ ମଦ ଜବତ କରୁଥିବାବେଳେ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ ଗିରଫ କରିଥିବାର ନଜିର ନାହିଁ। ଅବକାରୀ ବିଭାଗର କର୍ମଚାରୀମାନଙ୍କର ଚଢ଼ାଉ ଖବର ମଦ ପ୍ରସ୍ତୁତ କରୁଥିବା ମାଫିଆମାନେ ଆଗୁଆ ପାଇଯାଉଥିବାରୁ ସେମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହେଉଛନ୍ତି। ବେଗୁନିଆ ବ୍ଲକରେ ଏପରି ଗାଁ ନାହିଁ ଯେଉଁଠି ଚୋରା ନିଶା କାରବାର ହେଉନାହିଁ ବୋଲି ଦମ୍ଭର ସହିତ କେହି କହିପାରିବେ ନାହିଁ। ଏବେ ପୁଣି ଚାଲିଛି ପଞ୍ଚାୟତ ନିର୍ବାଚନ। ବିନା ମାଦକ ଦ୍ରବ୍ୟରେ ଭୋଟର ପାହୁଣ୍ଡେ ଯିବା ପାଇଁ ପ୍ରସ୍ତୁତ ନୁହନ୍ତି। ଏହାର ସୁଯୋଗ ନେଇ ଚୋରା ବେପାରୀ ଅଧିକ ସକ୍ରିୟ ହୋଇ ଉଠିଛନ୍ତି। ପୂର୍ବ ଅପେକ୍ଷା କାରବାର ବଢିଯାଇଛି। ଗାଁର ଶାନ୍ତ ପରିବେଶ ଅଶାନ୍ତ ଆଡକୁ ଗତି କଲାଣି। ଆଗକୁ ଅଧିକ ହେବା ଆଶଙ୍କା ପ୍ରକାଶ ପାଇଲାଣି। ବିଶେଷକରି ଯୁବଗୋଷ୍ଠୀ ଏହାର କବଳିତ ହେଉଥିବାର ଦେଖିବାକୁ ମିଳୁଛି। ଆଗରୁ ପଞ୍ଚାୟତ ନିର୍ବାଚନରେ ବହୁଳ ଚୋରା ମଦ କାରବାର ହେଉଥିଲା। ଏଥର ବ୍ରାଉନସୁଗାର ଏଥିରେ ଯୋଡି ହୋଇଯାଇଥିବା ଦେଖିବାକୁ ମିଳୁଛି । ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପଞ୍ଚାୟତ ନିର୍ବାଚନରେ ହିଂସା ଉଦ୍ରେକକାରୀ ଏହି ଦ୍ରବ୍ୟ ସବୁ କିପରି ନିଷିଦ୍ଧ ହେବ ସେଥିପ୍ରତି ଉଭୟ ପ୍ରଶାସନ ଓ ପୁଲିସ ସଚେତନ ହେବାସହ ଲୋକଙ୍କୁ ସଚେତନ କରିବା ଜରୁରୀ ହୋଇପଡିଛି । ବେଗୁନିଆରେ ଅନୌପଚାରିକ ଭାବେ ଅବକାରୀ ଥାନା ଖୋଲିଥିବାବେଳେ ଖୋର୍ଦ୍ଧାରେ କାର୍ୟ୍ୟରତ ଜନୈକ ଅଧିକାରୀଙ୍କ ସ୍ୱାର୍ଥ ବ୍ୟାହତ ହେବା ଯୋଗୁଁ ଏଠାରେ କାର୍ୟ୍ୟରତ ଦୁଇ ଦୁଇ ଜଣ ଭାରପ୍ରାପ୍ତ ଅଧିକାରୀଙ୍କୁ ଏଠାରୁ ବଦଳି କରି ସମସ୍ତ କ୍ଷମତାକୁ କରାୟତ କରି ରଖିଛନ୍ତି। ଏବେ ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ମହାନ୍ତିଙ୍କୁ ଏଠାକୁ ନଛାଡି ଖୋର୍ଦ୍ଧାରେ ରଖି ସମସ୍ତ କ୍ଷମତାର ଦୁରୂପଯୋଗ କରୁଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories