ଭୁବନେଶ୍ବର: ଓଡ଼ିଶାର ନିଜସ୍ୱ କଳାର ଗାରିମା ବହନ କରୁଥିବା ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ଶତାବ୍ଦୀର ଯମଜପାହାଡ଼ ଖଣ୍ଡଗିରି ଓ ଉଦୟଗିରି ଆଜି ପର୍ଯ୍ୟନ୍ତ ତିଷ୍ଠି ରହିଛି । ଏବେ ଏଠାକାର ଭାସ୍କର୍ଯ୍ୟ କଳା ଓ କାରୁକାର୍ଯ୍ୟକୁ ମାନବକୃତ ବିପର୍ଯ୍ୟୟରୁ ରକ୍ଷା ନକଲେ ଏଗୁଡ଼ିକ ଧ୍ୱଂସ ପାଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଖଣ୍ଡଗିରି-ଉଦୟଗିରି ପାହାଡ଼ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ପ୍ରସ୍ତାବ ରହଛି, କିନ୍ତୁ ଏହାର ଚତୁଃପାଶ୍ୱର୍ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଏବଂ ଜବରଦଖଲକୁ ଏଠାକାର ପ୍ରକୃତ କୀର୍ତ୍ତିରାଜୀକୁ ନଷ୍ଟ କରିବାକୁ ବସିଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି । ଏବେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଚତୁପାର୍ଶ୍ବରେ ମାନବକୃତ ବିପର୍ଯ୍ୟୟର ମାତ୍ରା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଠାରେ ଥିବା ବିରଳ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ପାହାଡ଼ ଚାରିପଟରେ ଦିନକୁ ଦିନ ଗାଡ଼ିମୋଟର ଚଳାଚଳ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛ; ଯାହକି ଐତିହ୍ୟର ସଂରକ୍ଷଣ ଦିଗରେ ବିପଦ ସୃଷ୍ଟି କରିଛି । ଗାଡ଼ିମଟର ଚଳଚଳ ଯୋଗୁଁ ପାହାଡ଼ରେ କମ୍ପନ ସୃଷ୍ଟି ହେଉଛି ଏବଂ ପଥର କୀର୍ତ୍ତି ନଷ୍ଟ ହେବାରେ ଲାଗିଛି। ପାହାଡ଼ ନିକଟରେ ବିଜୁ ପଟ୍ଟନାୟକ ବିମାନବନ୍ଦର ରହି ଥିବାରୁ ଏହା ଉପର ଦେଇ ଉଡ଼ାଯାହାଜ ଚଳାଚଳ କରୁଛି ଓ ଏହା ମଧ୍ୟ କୁପ୍ରଭାବ ଏଥିରେ ପକାଉଛି ବୋଲି ଜଣାଯାଇଛି ।
ଖଣ୍ଡଗିରିରେ ଲାଇଟ୍ ଆଣ୍ଡ୍ ସାଉଣ୍ଡ ପ୍ରକଳ୍ପ ପାଇଁ ଗୁମ୍ଫାର କେତେକ ସ୍ଥାନରେ ଗାତ ଖୋଳାଯାଇ ସେଠାରୁ ମୋଟା ତାର ଟଣାଯିବା ସହିତ ବିଭିନ୍ନ ସ୍ଥାନରେ ବଡ଼ ସାଉଣ୍ଡ ବକ୍ସ ଲଗାଯାଇଥିଲା । ଏହାର ଚୁଡ଼ାନ୍ତ ରୂପ ଦେବା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ମହାନିର୍ଦ୍ଦେଶକ ପରିଦର୍ଶନ ଆସି ଗାତ ଖୋଳାଯାଇଥିବାରୁ ତାହା ଗୁମ୍ଫାକୁ କ୍ଷତି ପହଞ୍ଚାଇବ ବୋଲି ଯୁକ୍ତି ବାଢ଼ିବା ପରେ ଏହି ପ୍ରକଳ୍ପ ହଠାତ୍ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ମଧ୍ୟ ଏହି ଲାଇଟ୍ ଓ ସାଉଣ୍ଡ୍ ପାଇଁ ବ୍ୟବହୃତ ହେବା ପାଇଁ ଖଞ୍ଜା ଯାଇଥିବା ସାମଗ୍ରୀଗୁଡ଼ିକ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ଗୁମ୍ଫା ନିକଟରେ ଥିବା କେତେକ ସ୍ଥାନରେ ପାଣିବୋତଲ, ଥଣ୍ଡାପାନୀୟ ଖୋଳ, ପ୍ଲାଷ୍ଟିକ୍ ସାମଗ୍ରୀ, ଜରି ଇତ୍ୟାଦି ପଡ଼ିଥିବାରୁ ସେଗୁଡ଼ିକ ସୌନ୍ଦର୍ଯ୍ୟ ବିକୃତ କରୁଛି।
ଖଣ୍ଡଗିରି ଓ ଉଦୟଗିରିରେ ପଥରକୁ କଟାଯାଇ ତିଆରି କରାଯାଇଥିବା ଗୁମ୍ଫା ପୂର୍ବ ଭାରତରେ ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ। ବର୍ତ୍ତମାନ ଉଦୟଗିରି ପାହାଡ଼ରେ ୧୮ଟି ଗୁମ୍ଫା ଥିବାବେଳେ ଖଣ୍ଡଗିରିରେ ୧୫ଟି ଗୁମ୍ଫା ରହିଛି। ସମ୍ରାଟ ଖାରବେଳଙ୍କ କୀର୍ତ୍ତି ବହନ କରୁଥିବା ଏହି ପାହାଡ଼ର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ, ବୁଦ୍ଧ ଓ ଜୈନ ଧର୍ମର ସ୍ମାରକ ଏବଂ ଜୈବ ବିବିଧତାର ସମ୍ପୂର୍ଣ୍ଣ ସଂରକ୍ଷଣ ନିମନ୍ତେ ଜନସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଫଳରେ ଯମଜ ପାହାଡ଼ ଖଣ୍ଡଗିରି ଓ ଉଦୟଗିରି ଭବିଷ୍ୟତ ନେଇ ଅନିଶ୍ଚିିତତା ଦେଖାଦେଇଛି।



