www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରବାସୀ ଓଡ଼ିଆ ଭାଷା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୬।୨ : ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଅଭିପ୍ରେତ ଥିଲା । ରାଜ୍ୟର ରାଜଧାନୀ ଭୁବନେଶ୍ୱର ଠାରେ ରେକର୍ଡଧାରୀ ଦୀର୍ଘ ୮୭୮ ଦିନର କଳାପତାକା ଅଭିଯାନ ଏହି ଐତିହାସିକ ଅହିଂସା ସଂଗ୍ରାମର ପ୍ରମୁଖ ଅଂଶ ବିଶେଷ ଥିଲା । ଓଡ଼ିଶାର କୋଣ ଅନୁକୋଣରେ ଏହି ନ୍ୟାଯ୍ୟ ଦାବି ପ୍ରତି ଉଚ୍ଛ୍ୱସିତ ସମର୍ଥନ ପ୍ରକାଶ ପାଇବା ସହିତ ରାଜ୍ୟ ବାହାରେ ଭାରତ ବର୍ଷର ରାଜଧାନୀ ନୂଆଦିଲ୍ଲୀ, ଦେଶର ଅନ୍ୟାନ୍ୟ ପ୍ରମୁଖ ମହାନଗରମାନଙ୍କରେ ତଥା ବିଭିନ୍ନ ପ୍ରଦେଶରେ ଏବଂ ବିଦେଶର ବିଭିନ୍ନ ରାଷ୍ଟ୍ରରେ ଅବସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆମାନେ ମଧ୍ୟ ବିପୁଳ ସଂଖ୍ୟାରେ ଭାଷା ଅଭିଯାନ ପ୍ରତି ନୈତିକ ଓ ସାଂକେତିକ ସମବେଦନା ଜ୍ଞାପନ କରିଥିବା ଜଣାଯାଇଥିଲା । ପ୍ରବାସରେ ଅବସ୍ଥାନ କରୁଥିବା କିଛି ପ୍ରମୁଖ ଭାଷା ଯୋଦ୍ଧାଙ୍କୁ ନିକଟରେ ଏଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଏଠାକାର ଖାରବେଳନଗରସ୍ଥିତ ସାମ୍ବାଦିକ ଭବନଠାରେ ଏହି ଉପଲକ୍ଷେ ଭାଷା ଆନ୍ଦୋଳନ ତରଫରୁ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତିଭୂଷଣ କର ପୌରୋହିତ୍ୟ କରିଥିଲେ । ସମ୍ବର୍ଦ୍ଧିତ ଭାଷା ଯୋଦ୍ଧାମାନଙ୍କ ମଧ୍ୟରେ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ ତଥା ଦିଲ୍ଲୀରେ ଅବସ୍ଥାପିତ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡଃ ବିପୀନ ମିଶ୍ର, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, କାନାଡ଼ା ଅଧିବାସୀ ଡଃ ତନ୍ମୟ ପଣ୍ଡା ଓ ଡଃ ସୁନନ୍ଦା ମିଶ୍ର ପଣ୍ଡା, ଦିଲ୍ଲୀ ନିବାସୀ କାବେରୀ ବେହେରା ଏବଂ କଳା ପତାକା ଅଭିଯାନରେ ସର୍ବକନିଷ୍ଠ ଅଂଶଗ୍ରହଣକାରୀ ଦିଲ୍ଲୀ ମଦର ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଛାତ୍ର ନନ୍ଦନ ଦ୍ୱିବେଦୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ସଭାକୁ ସମ୍ବୋଧନ କରି ଡଃ ନଳିନୀ ପତି, ଆମର ମାତୃଭାଷାକୁ ନିତିଦିନ ଚାଲିଚଳଣିରେ ବ୍ୟବହାର କରିବାକୁ ଆମେ ପ୍ରୟାସରତ ଅଛୁ ବୋଲି କହିଥିଲେ । କାନାଡ଼ାରେ ବିଦ୍ୟା ପ୍ରକାଶନୀ ଓ କାଁସା ସଂସ୍ଥା ମାଧ୍ୟମରେ ଆମେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାରରେ ବ୍ରତୀ ଥିବା ଡଃ ତନ୍ମୟ ପଣ୍ଡା ପ୍ରକାଶ କରିଥିଲେ । ଭାଷା ଆନ୍ଦୋଳନ ସମସ୍ତ ଓଡ଼ିଆଙ୍କର ପ୍ରାଣ ସ୍ଫନ୍ଦନ ହୋଇସାରିଥିବା, ବିଭୁତି ଭୂଷଣ କର ମତବ୍ୟକ୍ତ କରିଥିଲେ । ଭାଷା ପାଇଁ ‘ଗଣ ଓ ଗଣମାଧ୍ୟମ’ ଶୀର୍ଷକ ସୁଦୂର ପ୍ରସାରୀ ଯୋଜନାବଦ୍ଧ ଉଦ୍ୟମ ଯୋଗୁଁ ଏହି ଆନ୍ଦୋଳନ ସଫଳତାର ଶୀଖର ଚୁମିଥିଲା ବୋଲି ଶ୍ରୀ କର ସୂଚାଇଥିଲେ । ଓଡ଼ିଆରେ ଓଡ଼ିଶାର ଶାସନ ଚାଲିବା ନେଇ ଆଇନଗତ କାର୍ଯ୍ୟାନ୍ୱୟନ ଏବଂ ‘ବନ୍ଦେ ଉତ୍କଳ ଜନନୀ’କୁ ପ୍ରଦେଶ ସଂଗୀତର ମାନ୍ୟତା ପ୍ରଦାନ କରିବା ନେଇ ଭାଷା ଆନ୍ଦୋଳନର ସଫଳତା ପରେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଜାରି ରହିଥିବା କାର୍ଯ୍ୟକ୍ରମ ପ୍ରତି ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଚକ୍ରଧର ମହନ୍ତ ଜନସମର୍ଥନ କାମନା କରିଥିଲେ । ଶଢ଼େଇକଳା ଖରସୁଆଁର ବିଚ୍ଛିନ୍ନ ଅଞ୍ଚଳରେ ଓଡ଼ିଆକୁ ଦ୍ୱିତୀୟ ରାଜଭାଷା ଭାବରେ ସ୍ୱୀକୃତି ପ୍ରଦାନ କରାଯିବା ନେଇ ପୂର୍ଣ୍ଣାଙ୍ଗ ନ୍ୟାସମଣ୍ଡଳର ସଫଳତା ସମ୍ପର୍କରେ ସମ୍ମାନୀୟ ବକ୍ତା ସୀତାବଲ୍ଲଭ ମହାପାତ୍ର ଆଲୋକପାତ କରିଥିଲେ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ଅଲେଖ ଜେନା ଓ ଜାନକୀଶ ବଡ଼ପଣ୍ଡା ପ୍ରମୁଖ ସାମିଲ ଥିଲେ । ଭାଷା ଯୋଦ୍ଧା ଶାରଦା ପ୍ରସାଦ ମହାପାତ୍ର ସଭା ସଞ୍ଚାଳନା କରିଥିଲେ । ମୁଖ୍ୟ ଆୟୋଜକ ଏବଂ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ସ୍ୱାଗତ ଭାଷଣ ପ୍ରଦାନ କରି ଭାଷା ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories