ଚାନ୍ଦବାଲି ନିର୍ବାଚନ ମଣ୍ଡଳି ୧ନଂ ଜୋନରେ ହେବ ତ୍ରିମୁଖୀ ଲଢେଇ
ଦଳୀୟ ଅସନ୍ତୋଷ ପାଇଁ ଚିନ୍ତାରେ ବିଜେଡି, ଫାଇଦାରେ ବିଜେପି ଓ କଂଗ୍ରେସ !
ଆରଡି: ପଞ୍ଚାୟତ ନିର୍ବାଚନ ପାଇଁ ସମୟ ଯେତିକି ପାଖଉଛି ଗାଁ ଠାରୁ ବ୍ଲକ ସରଗରମ ହେବାରେ ଲାଗିଛି ରାଜନୀତି ଚର୍ଚ୍ଚା। ଭଦ୍ରକ ଜିଲାର ଚାନ୍ଦବାଲି ନିର୍ବାଚ ମଣ୍ଡଳିର ୧ନଂ ଜୋନ ବେଶ ଗୁରୁତ୍ୱ ବହନ କରିଥାଏ। ଏହି ୧ନଂ ଜୋନରେ ଅଧିନରେ ଥିବା ଆରଡି, ନାନ୍ଦପୁର, ଭୂଇଁବୃତି, ଘଟପୁର, ମାଧପୁର, ସୁନ୍ଦରପୁର, ଓଳଗ, ଖେରଙ୍ଗ ୮ ପଞ୍ଚାୟତରେ ପୂର୍ବ ତଥା ୨୦୧୭ ନିର୍ବାଚନ ଫଳାଫଳ ବିଜେଡି ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବାଜିମାତ କରିଥିଲା। ଏହି ଜୋନରେ ଜିଲାପରିଷଦ ଆସନ ବିଜେଡି ହାତକୁ ଯାଇଥିବା ବେଳେ ସମସ୍ତ ପଞ୍ଚାୟତରେ ସରପଞ୍ଚ ଆସନ ଦଖଲରେ ରଖିଥିଲା ବିଜେଡି। ସେହିପରି ସମିତି ସଭ୍ୟ ମେମ୍ବର ନାନ୍ଦପୁର, ସୁନ୍ଦରପୁର ଓ ମାଧପୁର ପଞ୍ଚାୟତରେ ବିଜେପି ହାତକୁ ଯାଇଥିବା ବେଳେ ଅନ୍ୟ ପଞ୍ଚାୟତରେ ବିଜେଡି ହାତକୁ ଯାଇଥିଲା। ଫଳରେ ଏହି ଜୋନରେ ସରପଞ୍ଚ ଓ ସମିତିସଭ୍ୟ ଆସନରେ ଖାତା ଖୋଲି ପାରିନଥିଲା କଂଗ୍ରେସ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ୧ନଂ ଜୋନରେ ବିଜେଡି ଦଳର ଜିଲାପରିଷଦ ଆଶନ ପାଇଁ ପ୍ରିନ୍ସ ରାକେଶ ନାୟକ, ପୁଟୁ ବଳ, ଆଶିଷ ପାଢୀ ଦାବିଦାର ରହିଥିବା ବେଳେ ଦଳର ମଙ୍ଗ ଧରିଥିବା ବ୍ୟୋମକେଶ ଏବେ ଚିନ୍ତାରେ। ଏହହାସହ ପ୍ରିନ୍ସ ରାକେଶଙ୍କୁ ଦଳ ଟିକେଟ ଦେବ ବୋଲି ବିଭିନ୍ନ ପଞ୍ଚାୟତରେ ଚର୍ଚ୍ଚା ଜୋର ଧରିଛି। ହେଲେ ଦଳ କାହାକୁ ଟିକେଟ ଦେବ କିଏ ୧ନଂ ଜୋନ ଆସନରେ ପ୍ରାର୍ଥୀ ହେବ ତାହା ଘୋଷଣା ପରେ ହିଁ ଜଣା ପଡିବ। ସେହିପରି ବିଜେପିରେ ସନ୍ଦୀପ ନାୟକ, ସୁରେଶ ସାହୁ, ଜୀବନାନ୍ଦ ପାଢୀ, ସ୍ୱଦେଶ ପଣ୍ଡା ଜିଲାପରିଷଦ ଆସନରେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରହିଥିବାରୁ ଦଳ ମଙ୍ଗ ଧରିଥିବା ମନମୋହନ କାହାକୁ ସନ୍ତୁଷ୍ଟ କରିବେ ତାହା ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି।
କଂଗ୍ରେସ ରଣାଙ୍ଗନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପିର ଅର୍ନ୍ତଦ୍ୱନ୍ଦକୁ ନେଇ ଫାଇଦା ମାରିବ ବୋଲି ଦଳର ମଙ୍ଗ ଧରିଥିବା ଦିଗମ୍ବର ଦାସ କହିଛନ୍ତି। ଶାସକ ବିଜେଡି ବିକାଶ ମୂଳକ କାର୍ଯ୍ୟ ଓ ଜନହିତକର ଯୋଜନାକୁ ପାଥେୟ କରିି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଜେପି କେନ୍ଦ୍ରୀୟ ଅନୁଦାନରେ ସମସ୍ତ ଯୋଜନାକୁ ଶାସକ ଦଳ ଲୋକମାନଙ୍କୁ ଦେଇ ବା ବା ନେବା ଆଦିକୁ ପ୍ରସଙ୍ଗ କରିବା ସହ ଭୋଟରମାନଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବ ବୋଲି ପ୍ରସ୍ତୁତ ହେଉଛି। ବିଶେଷକରି, ୧ନଂ ଜୋନ ନଈନାଳ ଘେରା ହୋଇଥିବା ବେଳେ ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠକୁ ବ୍ଲକ ହେଡକ୍ୱାଟର ସଂଯୋଗ କରୁଥିବା ରାସ୍ତାର ବାଧକ ସାଜିଥିବା ତିନିତର ଓ ଧାନଖଣିଆ ସେତୁ ବାରମ୍ବାର ଶିଳାନ୍ୟାସ ହେବା ପରେ ମଧ୍ୟ ସେତୁ ନିର୍ମାଣ ନହେବାକୁ ନେଇ ଭୋଟରଙ୍କ ନିକଟରେ ମୁଖ୍ୟ ମୁଦ୍ଦା ରଖିବେ ବିଜେପି ଓ କଂଗ୍ରେସ। ବିଶେଷକରି ପ୍ରଶାସନ ପକ୍ଷରୁ ଆସନ ସଂରକ୍ଷଣ ତାଲିକା ଘୋଷଣା ହେବା ପରେ ଏହି ଜୋନର କେତେକ ପଞ୍ଚାୟତରେ ଶାସକ ବିଜେଡି ଦଳର ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଯାହାକୁ ନେଇ ବିଧାୟକ ବ୍ୟୋମକେଶ ରାୟଙ୍କର ଚିନ୍ତା ବଢାଇଥିବା ବେଳେ ଏହାର ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଆଶା ବାନ୍ଧିଛି। ବିଶେଷକରି ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଆସନ ପାଇଁ ଅଣସଂରକ୍ଷିତ ରହିଥିବାରୁ ବିଜେଡି ସମେତ ବିଜେପି ଓ କଂଗ୍ରେସର ବହୁ ଆଶାୟୀ ପାର୍ଥୀ ରହିଥିବାରୁ ଦଳ ପକ୍ଷରୁ କାହାକୁ ଟିକେଟ ମିଳିବ ତାହା ଆଶା ଆଶଙ୍କା ମଧ୍ୟରେ ରହିଛି। ସେହିପରି ପଦପଦବିକୁ ନେଇ ୩ ପ୍ରମୁଖ ଦଳରେ ଥିବା ଦଳିୟ କନ୍ଦଳକୁ ଏବେ ବିଜେଡିର ମଙ୍ଗ ଧରିଥିବା ବ୍ୟୋମକେଶ, ବିଜେପିର ମନମୋହନ ଓ କଂଗ୍ରେସର ଦିଗମ୍ବର ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଯାଇ ଦଳ ସଜାଡିବା ଆରମ୍ଭ କରିଛନ୍ତି। ତାହାସହ ବିଜେପି ଦଳର ବରିଷ୍ଠନେତା ତଥା ପୂର୍ବତନମନ୍ତ୍ରୀ ମନମୋହନ ଦୁଇଦୁଇ ଥର ବିଧାନସଭା ଆସନ ହରାଇବା ପରେ ଏବେ ପଞ୍ଚାୟତ ନିର୍ବାଚନରେ ଦଳକୁ ସୁଦୃଢ କରିବା ପାଇଁ ଦୀର୍ଘଦିନ ହେବ ଚାନ୍ଦବାଲିରେ ଡେରା ପକାଇଥିବା ବେଳେ କଂଗ୍ରେସ ମଙ୍ଗ ଧରିଥିବା ଦିଗମ୍ବର ୨ଥର ବିଧାନ ସଭା ଆସନରେ ପରାଜୟ ହୋଇ ୩ୟ ଆସନରେ ରହିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବହୁ ପଞ୍ଚାୟତ ଦଖଲ ପାଇଁ ଦଳ ଭିତରେ ରହିଥିବା ଅର୍ନ୍ତଦ୍ୱନ୍ଦକୁ ସମାଧାନ କରିବା ପାଇଁ ରଣାଙ୍ଗନ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନ ୧ନଂ ଜୋନ କାହା ହାତକକୁ ଯିବ ତାହା କେବଳ ନିର୍ବାଚନ ଭୋଟ ଫଳାଫଳ ଆସିବା ପରେ ଜଣା ପଡିବ।
Comments are closed.