ଅଦିନିଆ ବର୍ଷା, ଚିନ୍ତାରେ ଚାଷୀ
ବଲାଙ୍ଗିର: ଜାନୁଆରି ୧୧ରୁ ୧୪ ତାରିଖ ଯାଏ ବର୍ଷା ହେବ। ପାଣିପାଗ ବିଭାଗର ପ୍ରାକ୍ ଅନୁମାନ ସତ ହୋଇଛି। ସୋମବାରଠାରୁ ବଲାଙ୍ଗିର ଜିଲାରେ ମେଘୁଆ ପାଗ କରିଥିଲା। କଣ୍ଟାବାଞ୍ଜି, ଟିଟିଲାଗଡ ସହ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିଲା। ତେବେ ମଙ୍ଗଳବାର ବର୍ଷା ସାଧାରଣ ଲୋକଙ୍କ ସହ ଚାଷୀଙ୍କୁ ଅସ୍ତବ୍ୟସ୍ତ କରିଛି।
ମଙ୍ଗଳବାର ସକାଳେ ଆକାଶ ମେଘାଚ୍ଛନ ରହିବା ସହ ହାଲକା ହାଲକା ଥଣ୍ଡା ପବନ ବହୁଥିଲା। ଦିନ ୧୨ଟା ୪୫ ବେଳକୁ କଳା ବାଦଲ ଘୋଟି ଆସିଥିଲା। ଦିନ ଗୋଟାଏ ବେଳକୁ ବଲାଙ୍ଗିର ସହରରେ ସନ୍ଧ୍ୟାର ଭ୍ରମ ସୃଷ୍ଟି ହେଉଥିଲା। ରାସ୍ତାରେ ବାଇକ୍ ଚାଳକ ଲାଇଟ୍ ଜଳାଇ ଯାତାୟତ କରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ଘଡଘଡି ମାରିବା ସହ ତା’ପରେ ଅଜାଡିଥିଲା ବର୍ଷା। ପ୍ରାୟ ଘଣ୍ଟାଏ କାଳ ଜୋରରେ ବର୍ଷା ହେବା ପରେ ସନ୍ଧ୍ୟା ସାଢେ ୫ଟା ଯାଏ ଝିପି ଝିପି ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁଁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇପଡିଥିଲେ। ତେବେ କିଛି ଦିନ ତଳେ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଧାନ ବିକ୍ରି ପାଇଁ ରଖିଥିବା ଚାଷୀଙ୍କ ଧାନ ବସ୍ତା ଭିଜି ନଷ୍ଟ ହୋଇଯାଇଥିଲା। ଆଉ ଦ୍ୱିତୀୟ ଥର ବର୍ଷା ଯୋଗୁଁ ଚାଷୀ ପୁଣି ହଇରାଣ ହୋଇଛନ୍ତି। ଖୋଲା ଆକାଶ ତଳେ ଶହ ଶହ ବସ୍ତା ଧାନ ବିକ୍ରି ପାଇଁ ରଖିଥିବା ବେଳେ ଏହା ବି ନଷ୍ଟ ହେବାର ଆଶଙ୍କା କରି ଚିନ୍ତରେ ରହିଛନ୍ତି ଚାଷୀ।
Comments are closed.