ବଲାଙ୍ଗିର: ବଲାଙ୍ଗିର ଏଆଇଟିୟୁସି ବଲାଙ୍ଗିର ଜିଲା ଶାଖା ଆନୁକୁଲ୍ୟରେ ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲଚର ଏଣ୍ଡ ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କର୍ସ ୟୁନିୟନର ଜିଲା ସମ୍ମିଳନୀ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଛି। ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା ମୁଖ୍ୟଅତିଥି ଓ ଏଆଇଟିୟୁସିର ରାଜ୍ୟ ସାଧାରଣ ସଂପାଦକ ନମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ କ୍ଷେତ୍ରରେ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜିଲା ଶ୍ରମ କାର୍ଯ୍ୟାଳୟର ଗ୍ରାମୀଣ ଶ୍ରମ ନିରୀକ୍ଷକ ପ୍ରଶାନ୍ତ ସୁନା ଉକ୍ତ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ବିଚାର କରି ଶ୍ରମ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିଖିଳ ଓଡିଶା ଆଶାକର୍ମୀ ସଂଘର ସହ ସଂପାଦିକା ମାଟିଲତା କୁଲୁଙ୍କୁ ଉତ୍ତରୀୟ ତଥା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହାପରେ ସଂଗଠନରେ ନୂତନ ଭାବେ ଯୋଗ ଦେଇଥିବା ଅନଙ୍ଗ କୁମାର ଠାକୁର ଓ ରାଜେଶ କୁମାରଙ୍କୁ ମଧ୍ୟ ୟୁନିୟନର ପତାକା ଦେଇ ସଂଗଠନରେ ବିଜୟ ଜେନା ସାମିଲ କରାଇଥିଲେ।
ସମ୍ମିଳନୀରେ ଜିଲା ଶ୍ରମ କାର୍ଯ୍ୟାଳୟର ଶ୍ରମିକ ପଞ୍ଜୀକରଣ, ସହାୟତା ପ୍ରଦାନ ତଥା ନବୀକରଣରେ ପ୍ରଚଳିତ ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରି ବକ୍ତାମାନେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ସହ ଆଲୋଚନା ଏବଂ ସହାୟତାରେ ହିଁ ଶ୍ରମ ବିଭାଗ ଶ୍ରମିକମାନଙ୍କ ଉନ୍ନତି ତଥା ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ସିଂ, ତୀର୍ଥ ପଧାନ, ଉମି ଗୁପ୍ତା, ସୁବାସ ସାହୁ, ଶେହନାଜ ବେଗମ, ଆଲୋକ ବିଶ୍ୱାଳ, ଧର୍ମରାଜ ପାତ୍ର, ସୁବାସ ସୁନା, ନଟବର ବୁଡେକ, ଉତ୍ତମ ପଧାନ, ନରିହା ସେଠ ଇତ୍ୟାଦି ଯୋଗ ଦେଇ ଶ୍ରମିକ ହକ୍ରେ ଲଢିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଶେଷରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରି ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଗଲା। ଆସନ୍ତା ଫେବୃୟାରୀ ୨୩ ଓ ୨୪ ତାରିଖ ଦିନ ପ୍ରସ୍ତାବିତ ସର୍ବ ଭାରତୀୟ ଧର୍ମଘଟକୁ ନୂତନ କର୍ମକର୍ତ୍ତାମାନଙ୍କ ନେତୃତ୍ୱରେ ପରିଚାଳିତ କରିବାକୁ ପ୍ରସ୍ତାବ ଗ୍ରହଣ ପାରିତ ହୋଇଥିଲା।



