ଲୋକାର୍ପିତ ହେଲା ବୌଦ୍ଧ ବାଇପାଶ
ବୌଦ୍ଧଜିଲାର ୨୮ତମ ସ୍ୱନକ୍ଷତ୍ର ଉତ୍ସବ ପାଳିତ
ବୌଦ୍ଧ : ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ବୌଦ୍ଧ ଜିଲା ୨୮ବର୍ଷରେ ପଦାର୍ପଣ କରିଛି। ଓମିକ୍ରନର ଭୟାବହତା ମଧ୍ୟରେ ଜିଲାବାସୀ ନିରାଡମ୍ବର ଭାବରେ ଜିଲାର ସ୍ୱନକ୍ଷତ୍ର ଉତ୍ସବକୁ ପାଳନ କରିଛନ୍ତି। ଜିଲାପାଳ ଲଲାଟେନ୍ଦୁ ମିଶ୍ର ସମଗ୍ର ଜିଲାବାସୀ ଏହି ସ୍ୱାଭିମାନ ଦିବସକୁ ଘରେ ଘରେ ସମସ୍ତ କୋଭିଡ ନିୟମ ସହ ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲାର ସ୍ୱନକ୍ଷତ୍ର ଦିବସ ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ଓ ଜିଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଭଗବାନ ବୁଦ୍ଧଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପରେ ମହୋତ୍ସବ ପଡିଆରେ ବୁଦ୍ଧ ମଣ୍ଡପ ନିକଟରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ। ଆଜିର ଦିନରେ ଜିଲାବାସୀଙ୍କ ପାଇଁ ବହୁ ପ୍ରତୀକ୍ଷିତ ବୌଦ୍ଧ ବାଇପାଶକୁ ମୁଖ୍ୟଅତିଥି ଭାବରେ ବିଧାୟକ ଶ୍ରୀ ଅମାତ ଲୋକାର୍ପଣ କରିଥିଲେ। ଏଥିସହିତ ବିଜୁ ପଟ୍ଟନାୟକ ଛକରେ ସ୍ଥାପିତ ଏକ ସେଲଫି ପଏଣ୍ଟକୁ ମଧ୍ୟ ଲୋକାର୍ପିତ କରାଯାଇଥିଲା। ଜିଲା ସଂଗ୍ରହାଳୟ ପରିସରରେ ଆୟୋଜିତ ଜିଲାର ପ୍ରତିଷ୍ଠା ଦିବସ ଉତ୍ସବରେ ଅଧ୍ୟକ୍ଷତା କରି ଜିଲାପାଳ ଶ୍ରୀ ମିଶ୍ର ୨୮ବର୍ଷର ଜିଲା ନିଜର ଯୁବକ ସୁଲଭ ଗୁଣ ଦେଖାଇବା ସହିତ ବିକାଶ ଦିଗରେ ଅଗ୍ରଗତି କରୁଥିବାବେଳେ ଏଥିପାଇଁ ନିର୍ବାଚିତ ଲୋକ ପ୍ରତିନିଧି, ଜିଲାର ବୁଦ୍ଧଜିବୀ, ସାଧାରଣ ଲୋକ, ଚାଷୀ, ଶ୍ରମିକ ଓ ସର୍ବୋପରି ଗଣମାଧ୍ୟମର ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ। ଯେଉଁମାନେ ଜିଲା ଗଠନ ପାଇଁ ସଂଗ୍ରାମ କରିଥିଲେ ଆଜିର ଦିନରେ ସେମାନଙ୍କୁ ମନେପକାଇବା ଉଚିତ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିବା ସହିତ ଜିଲାରେ ବର୍ତମାନ ଅନେକ ବିକାଶ ମୂକଳ କାର୍ଯ୍ୟ ଜାରି ରହିଥିବାବେଳେ ଆହୁରି ଅନେକ କାର୍ଯ୍ୟ କରିବାକୁ ବାକି ରହିଛି ବୋଲି କହିଥିଲେ।
ବିଶେଷ ଭାବରେ ଜିଲାର ବିକାଶମୂଳକ କାର୍ଯ୍ୟରେ ସବୁସ୍ତରର ଲୋକଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ବହୁ ପ୍ରତୀକ୍ଷିତ ନନ୍ଦନବନ ପ୍ରକଳ୍ପ ପାଇଁ ୩୦ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ୪ କୋଟି ଟଙ୍କା କାର୍ଯ୍ୟ ଆରମ୍ଭ ପାଇଁ ଯୋଗାଇଦେଇଛନ୍ତି। ସମୟ ସାପେକ୍ଷ ହୋଇଥିଲେ ମଧ୍ୟ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ବୌଦ୍ଧଜିଲା ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିବ। ସେହିପରି ୨୦ ଲିଟରରୁ ଆରମ୍ଭ ହୋଇ ଆଜି ଜିଲାର ଦୁଗ୍ଧଚାଷୀମାନେ ଦୈନିକ ୯ ହଜାର ଲିଟର ଦୁଗ୍ଧ ଦୈନିକ ବିକ୍ରୟ କରି ଆର୍ଥିକ ସ୍ୱାବଲମ୍ଭୀ ହେବା ସହିତ ଜିଲାରେ ଦୁଗ୍ଧବନ୍ୟା ସୃଷ୍ଟି ହୋଇପାରିଛି। ଚାଷୀମାନେ କିପରି ଅଧିକ ଲାଭବାନ ହୋଇପାରିବେ ସେଥିପାଇଁ ଅନବରତ ଭାବରେ ଯୋଜନା କରାଯାଉଅଛି। ଜିଲାରେ ୫୪ ଟି ଗ୍ରାମକୁ ସବୁଦିନିଆଁ ରାସ୍ତା ନଥିବାବେଳେ ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ ସବୁ ଗ୍ରାମକୁ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯିବ ବୋଲି ଏହି ଅବସରରେ ଜିଲାପାଳ ଶ୍ରୀମିଶ୍ର ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ଅମାତ ଜିଲା ଗଠନ ପାଇଁ ସଂଗ୍ରାମ କରିଥିବା ବରିଷ୍ଠ ଆଇନଜିବୀ ଭାସ୍କର ଚନ୍ଦ୍ର ମେହେର ଓ ଉମେଶ ପ୍ରସାଦ ମହାକୁଳଙ୍କ ପରଲୋକ ହୋଇସାରିଥିବାରୁ ଆଜିର ଦିନରେ ସେମାନଙ୍କର ଅବଦାନକୁ ମନେପକାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ। ସେହିପରି ଦୀର୍ଘ ୨୭ବର୍ଷ ମଧ୍ୟରେ ଜିଲାରେ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇ ସଂପୂର୍ଣ୍ଣ କରାଯାଇଥିବାବେଳେ ସେଥିପାଇଁ ଜିଲାବାସୀଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ ବୋଲି ଶ୍ରୀ ଅମାତ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀରଣା ଜିଲାର ବିକାଶରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାବାସୀଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଯୋଗଦେଇଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶ, ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର, ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ସ୍ଥପତି ସୁମନ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.