ଧାର୍ଯ୍ୟ ସମୟ ପୂର୍ବରୁ ୫ ରାଜ୍ୟରେ ନିର୍ବାଚନ କରାଇବାକୁ କଂଗ୍ରେସର ପ୍ରସ୍ତାବ
ଋାୟପୁର: କୋଭିଡ ମହାମାରୀର ସଦ୍ୟତମ ପ୍ରକରଣ ଓମିକ୍ରନକୁ ନେଇ ଚିନ୍ତା ବଢିବାରେ ଲାଗିଥିବାବେଳେ ପାଞ୍ଚଟି ରାଜ୍ୟରେ ଧାର୍ଯ୍ୟ ସମୟ ପୂର୍ବରୁ ନିର୍ବାଚନ ଅନୁଷ୍ଠିତ କରାଇବାକୁ କଂଗ୍ରେସ ସୋମବାର ଦିନ ଭାରତର ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେଇଛି । ସୂଚନାଯୋଗ୍ୟ ଯେ ୨୦୨୨ ଫେବ୍ରୁଆରୀ-ମାର୍ଚ୍ଚରେ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ସାମ୍ବାଦିକଙ୍କ ନିକଟରେ ପ୍ରକାଶା କରି ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି ଏସ ସିଂହଦେଓ କହିଛନ୍ତି, ଏହି ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ଠିକ୍ ନିଷ୍ପତ୍ତି ହେବନାହିଁ । ବରଂ ନିର୍ବାଚନ ଆୟୋଗ କୋଭିଡ-୧୯ ମହାମାରୀର ତୃତୀୟ ଲହର ଆସିବା ପୂର୍ବରୁ ଏହି ରାଜ୍ୟଗୁଡିକରେ ନିର୍ବାଚନ ଅନୁଷ୍ଠିତ କରାଇବା ଉଚିତ ହେବ । ଏଥିସହିତ ଉତ୍ତରପ୍ରଦେଶରେ ନିର୍ବାଚନ ଏକରୁ ଦୁଇମାସ ଘୁଞ୍ଚାଇବା ସମ୍ପର୍କରେ ଆଲ୍ଲାହାବାଦ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରସ୍ତାବ ଦେବା ଘଟଣାରେ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ସଂପ୍ରତି ସଂକ୍ରମଣ ହାର କମ୍ ରହିଛି । ଯଦି ନିର୍ବାଚନକୁ ସ୍ଥଗିତ ରଖାଯାଏ ତେବେ ସଂକ୍ରମଣ ବୃଦ୍ଧି ସମୟରେ ସେହି ରାଜ୍ୟଗୁଡିକରେ ନିର୍ବାଚନ ଅନୁଷ୍ଠିତ କରାଇବା ଅଧିକ କଷ୍ଟକର ହୋଇପଡିବ । ସେଭଳି ପରିସ୍ଥିତିରେ ୨୦୨୨ ସେପ୍ଟେମ୍ବର-ଅକ୍ଟୋବର ପୂର୍ବରୁ ନିର୍ବାଚନ ଅନୁଷ୍ଠିତ କରାଇବା ସମ୍ଭବ ହେବନାହିଁ ଏବଂ ବିଧାନସଭା କାର୍ଯ୍ୟକାଳ ଶେଷ ହୋଇଯାଉଥିବା ରାଜ୍ୟଗୁଡିକରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ପଡିବ ।
Comments are closed.