www.samajalive.in
Saturday, December 6, 2025
15.1 C
Bhubaneswar

ଇଂଲଣ୍ଡରେ ସିରିଜ୍ ପରାଜୟ ପରେ ଚାପରେ ଶାସ୍ତ୍ରୀ

ନୂଆଦିଲ୍ଲୀ : ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‍କୁ ଭାରତ ୧-୪ରେ ହାରିବା ପରେ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବେ ପ୍ରବଳ ଚାପରେ। ଗଣମାଧ୍ୟମ ଓ ପୂର୍ବତନ କ୍ରିକେଟର ଏବେ ଶାସ୍ତ୍ରୀଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ଚଳିତବର୍ଷ ପ୍ର୍ରାରମ୍ଭରେ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ୍‍ ହାରିଥିବା ଭାରତର ଏହା ବିଦେଶରେ କ୍ରମାଗତ ୨ୟ ପରାଜୟ। ଆଗକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଏବଂ ଏହାପରେ ବିଶ୍ୱକପ୍‍ ଖେଳିବ। ତେଣୁ ଏହା ପୂର୍ବରୁ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଆବଶ୍ୟକ ବୋଲି ଅନେକ ମନେକରନ୍ତି।
ପୁଣି ଏସିଆ କପ୍‍ରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତକୁ ଅତିକମ୍‍ରେ ୨ ଥର ଖେଳିବାର ଥିବାରୁ ଏହି ୨ଟି ମ୍ୟାଚ୍‍ ଉପରେ ମଧ୍ୟ କ୍ରିକେଟ ସମୀକ୍ଷକଙ୍କ ନଜର ରହିବ। ଇଂଲଣ୍ଡ ଗସ୍ତ ମଧ୍ୟରେ ରବି ଶାସ୍ତ୍ରୀ ଦାବି କରିଥିଲେ ଯେ ଗତ ୧୫ ବର୍ଷରେ ବିଦେଶରେ ଖେଳିଥିବା ଭାରତୀୟ ଦଳଙ୍କ ମଧ୍ୟରୁ ଏହି ଦଳ ଶ୍ରେଷ୍ଠ। ୱେଷ୍ଟଇଣ୍ଡିଜ୍‍ ଓ ଶ୍ରୀଲଙ୍କାରେ ଭାରତୀୟ ଦଳର ପ୍ରଦର୍ଶନକୁ ଦେଖି ଶାସ୍ତ୍ରୀ ଏପରି କହିଥିଲେ; ଯାହାକୁ ଅନ୍ୟମାନେ ସହଜରେ ଗ୍ରହଣ କରି ପାରିନାହାନ୍ତି। ଶାସ୍ତ୍ରୀଙ୍କୁ ପ୍ରଶିକ୍ଷକ ଭାବେ ବାଛିଥିବା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ ‘ଅପରିପକ୍ୱ’ ବୋଲି କହି ଶାସ୍ତ୍ରୀ ଦଳର ଉନ୍ନତି ପାଇଁ କାର୍ଯ୍ୟକରିବା ଉଚିତ ବୋଲି କହିଥିଲେ। ସୁନୀଲ ଗାଭାସ୍କର ଯୁକ୍ତି ବାଢ଼ିଥିଲେ ଯେ ପୂର୍ବର ଭାରତୀୟ ଦଳ ଏହି ଦଳଠାରୁ ଭଲ ପ୍ରଦର୍ଶନ କରିଥିଲେ। ପୂର୍ବତନ ଓପ୍‍ନର ବୀରେନ୍ଦ୍ର ସେହ୍ୱାଗ କହିଥିଲେ, ବିଦେଶରେ ଭଲ ଦଳ ପଡ଼ିଆରେ ପ୍ରଦର୍ଶନ ଦ୍ୱାରା ପରିଚିତ ହୋଇଥାଆନ୍ତି; ଡ୍ରେସିଂରୁମ୍‍ରେ ବସି ଏହା ଉପରେ ମନ୍ତବ୍ୟ ଦେବା ଦ୍ୱାରା ନୁହେଁ। ଇଂଲଣ୍ଡଠାରୁ ଟେଷ୍ଟ ସିରିଜ୍‍ ପରାଜୟ ପରେ ଏହା ଉପରେ ରବି ଶାସ୍ତ୍ରୀ କିଛି କହିନାହାନ୍ତି। ସେ ଭାରତ ନ ଫେରି ଇଂଲଣ୍ଡରୁ ସିଧା ୧୬ରେ ଦୁବାଇରେ ପହଞ୍ଚିବେ। ଏସିଆ କପ୍‍ରେ ଭାରତୀୟ ଦଳରେ ବିରାଟ କୋହଲି ନଥିବାରୁ ବ୍ୟାଟିଂ ଲାଇନ୍‍ ନିଶ୍ଚୟ ଚାପରେ ରହିବ। ଏହି ସିରିଜ୍‍ରେ ପାକିସ୍ତାନଠାରୁ ଭାରତ ଯଦି ପରାସ୍ତ ହୁଏ; କ୍ରିକେଟପ୍ରେମୀ ଶାସ୍ତ୍ରୀଙ୍କ ପଛରେ ପଡ଼ିଯିବେ। ଏସିଆ କପ୍‍ ପରେ ଭାରତୀୟ ଦଳ ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ ସିରିଜ୍‍ ଖେଳିବ। ଏହି ସିରିଜ୍‍ରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ତେବେ ଅଷ୍ଟ୍ରେଲିଆ ଗସ୍ତ ଓ ବିଶ୍ୱକପ୍‍ ଶାସ୍ତ୍ରୀଙ୍କ ପାଇଁ ଅଗ୍ନିପରୀକ୍ଷା ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories