୧୬୫୨ ମସିହା ମୁଦ୍ରା ୨.୬ କୋଟି ଟଙ୍କାରେ ନିଲାମ
ଲଣ୍ଡନ: ୧୬୫୨ ମସିହାରେ ନିର୍ମିତ ବିରଳ ମୁଦ୍ରା ନିଲାମରୁ ପ୍ରାୟ ୨.୬ କୋଟି ଟଙ୍କା ମିଳିଥିବା ଜଣାଯାଇଛି । ଉପନିବେଶ ସମୟର ନିୟୁ ଇଂଲଣ୍ଡରେ ଏହି ରୂପା ଆଚ୍ଛାଦିତ ମୁଦ୍ରା ପ୍ରଥମକରି ତିଆରି କରାଯାଇଥିଲା । ସେହି ସମୟର ଗୋଟିଏ ମୁଦ୍ରା ନିକଟରେ ମିଳିଥିଲା । ତାହା ୧୬୫୨ରେ ବୋଷ୍ଟନରେ ତିଆରି କରାଯାଇଥିଲା । ଉକ୍ତ ମୁଦ୍ରାକୁ ଅନଲାଇନରେ ନିଲାମ କରାଯିବା ପରେ ସେଥିରୁ ୩,୫୦,୦୦୦ ପାଉଣ୍ଡରୁ ଅଧିକ ଅର୍ଥ ମିଳିଥିବା ଜଣାଯାଇଛି । ଏଥିରେ ଏନଇ ବୋଲି ଇଂରାଜୀରେ ଗୋଟିଏ ପଟରେ ଲେଖାଯାଇଛି ଏବଂ ଅନ୍ୟ ପଟରେ ଇଟାଲୀୟ ଭାଷାରେ ସଂଖ୍ୟା ୧୨ ବୋଲି ଲେଖାଯାଇଛି । ତାହା ୧୨ ପେନିର ମୁଦ୍ରା ବୋଲି ଜଣାଯାଇଛି । ଆମେରିକାରେ ଜଣେ ଅଜ୍ଞାତ କ୍ରେତା ଉକ୍ତ ମୁଦ୍ରାକୁ ଅନଲାଇନରେ କ୍ରୟ କରିଛନ୍ତି । ମୁଦ୍ରାର ନିଲାମକାରୀ ତାହାକୁ ପ୍ରାୟ ୩ ଲକ୍ଷ ପାଉଣ୍ଡରେ ବିକ୍ରି କରିବାକୁ ଆଶା ରଖିଥିବାବେଳେ ମୁଦ୍ରାଟି ତାହାଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ବିକ୍ରି ହୋଇଥିଲା । ଏହି ବିରଳ ମୁଦ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଏଭଳି ଆଗ୍ରହ ପ୍ରକାଶ ପାଇବା ସେ ଆଶା କରୁନଥିଲେ ବୋଲି ମୁଦ୍ରାର ନିଲାମକାରୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଇଂଲଣ୍ଡ, ହଲାଣ୍ଡ ଏବଂ ସ୍ପେନ ସାମ୍ରାଜ୍ୟରେ ସେହି ସମୟରେ ସରକାରୀ ସ୍ତରରେ ପ୍ରଚଳିତ ମୁଦ୍ରା ନିୟୁ ଇଂଲଣ୍ଡରେ ଆଇନସିଦ୍ଧ ଥିଲା ଏବଂ ତାହାର ପ୍ରଚଳନ ରହିଥିଲା । ଏହି ଧରଣର ମୁଦ୍ରା ଯେଉଁ ଟଙ୍କାଶାଳରେ ତିଆରି କରାଯାଉଥିଲା ତାହା ୧୬୮୨ରେ ବନ୍ଦ ହୋଇଯାଇଥିଲା ।
Comments are closed.