www.samajalive.in
Sunday, December 14, 2025
19.1 C
Bhubaneswar

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁମାମଲା: ସିବିଆଇର ଅଭିଯୋଗ ଫର୍ଦ୍ଦ ଦାଖଲ: ଆନନ୍ଦ ଗିରି, ଆଢ୍ୟା ତିୱାରୀ ଓ ତାଙ୍କ ପୁଅ ସନ୍ଦୀପ ତିୱାରୀ ଦେଉଥିଲେ ମାନସିକ ନିର୍ଯାତନା

ନୂଆଦିଲ୍ଲୀ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାହାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ସିବିଆଇ ପକ୍ଷରୁ କୁହାଯାଇଛି ଯେ ମହନ୍ଦ ନରେନ୍ଦ୍ର ଗିରିଙ୍କୁ ଆନନ୍ଦ ଗିରି, ଆଢ୍ୟା ତିୱାରୀ ଏବଂ ତାଙ୍କ ପୁଅ ସନ୍ଦୀପ ତିୱାରୀ ବାରମ୍ବାର ଧମକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୧୮ ତାରିଖରେ ମହନ୍ତ ନରେନ୍ଦ୍ର ଗିରି ଲୋକଙ୍କ ଠାରୁ ଏହା ପଚାରି ବୁଝିବାକୁ ଚେଷ୍ଟା କରିଥିଲେ ଯେ କଂପ୍ୟୁଟର ସହାୟତାରେ ଜଣେ ବ୍ୟକ୍ତିଙ୍କ ଭିଡିଓ ଅଥବା ଫଟୋକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ଠାରୁ ପୃଥକ କରାଯାଇପାରିବ ଅଥବା ଝାପସା କରାଯାଇପାରିବ କି । ସେପ୍ଟେମ୍ବର ୨୦ ତାରିଖରେ ମହନ୍ତ ନରେନ୍ଦ୍ର ଗିରି ତାଙ୍କ ଶିଷ୍ୟଗଣଙ୍କୁ କହିଥିଲେ ଯେ ଆନନ୍ଦ ଗିରି ତାଙ୍କୁ କିଛି ମହିଳାଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ରହିଥିବା ନେଇ ଏକ ସମ୍ପାଦିତ ଭିଡିଓ ପ୍ରଦର୍ଶନ କରିବାକୁ ଯାଉଥିବା ସୂଚନା ସେ ପାଇଛନ୍ତି ଏବଂ ସେଥିପାଇଁ ସେ ଖୁବ ବିଚଳିତ ବୋଧ କରୁଛନ୍ତି । ସିବିଆଇ ପକ୍ଷରୁ ଶନିବାର ବିଳମ୍ବରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା । କୋର୍ଟ ତାହାକୁ ବିଚାର ପାଇଁ ଗ୍ରହଣ କରିଥିଲେ । ଅଭିଯୋଗ ଫର୍ଦ୍ଦରେ ନରେନ୍ଦ୍ର ଗିରି ଏବଂ ଆନନ୍ଦ ଗିରିଙ୍କ ମଧ୍ୟରେ ସମ୍ପର୍କ କିଭଳି ଖରାପ ହୋଇପଡିଥିଲା, ତାହା ସିବିଆଇ ପକ୍ଷରୁ ଦର୍ଶାଯାଇଛି । ସିବିଆଇ ଏହା ମଧ୍ୟ କହିଛି ଯେ, ନରେନ୍ଦ୍ର ଗିରିଙ୍କ ସହିତ କଥାବାର୍ତ୍ତାର ସମୟରେ ଆନନ୍ଦ ଗିରି ତାଙ୍କୁ ଧମକ ଦେଇ କହିଥିଲେ ଯେ, ତାଙ୍କ ନିକଟରେ ବହୁ ଆପତ୍ତିଜନକ ଅଡିଓ ଏବଂ ଭିଡିଓ ରହିଛି । ଯଦି ସେ ତାହା ପ୍ରକାଶ କରନ୍ତି ତେବେ ନରେନ୍ଦ୍ର ଗିରିଙ୍କ ଅବସ୍ଥା ଖରାପ ହୋଇପଡିବ । ଜଣାଯାଇଛି ଯେ ୨୦୦୪ରେ ମହନ୍ତ ଭଗବାନ ଗିରିଙ୍କ ଦେହାନ୍ତ ପରେ ମହନ୍ତ ନରେନ୍ଦ୍ର ଗିରି ବାଘମ୍ବରୀ ଗାଦିର ମୁଖ୍ୟ ହୋଇଥିଲେ । ୨୦୦୫ରେ ଆନନ୍ଦ ଗିରି ବାଘମ୍ବରୀ ମଠକୁ ଆସିଥିଲେ । ତେବେ ୨୦୦୮ କୁମ୍ଭମେଳା ଠାରୁ ଆନନ୍ଦ ଗିରି ନିଜର ପୃଥକ ଗଙ୍ଗା ସ୍ନାନ ସହିତ ଶିବିର ଆୟୋଜନ କରୁଥିଲେ । ଏହା ନରେନ୍ଦ୍ର ଗିରି ଏବଂ ଆନନ୍ଦ ଗିରିଙ୍କ ମଧ୍ୟରେ ସମ୍ପର୍କକୁ ଖରାପ କରିଦେଇଥିଲା । ସିବିଆଇ ପକ୍ଷରୁ କୁହାଯାଇଛି ଯେ ନରେନ୍ଦ୍ର ଗିରି ଆତ୍ମହତ୍ୟାକାଳୀନ ସ୍ୱୀକାରୋକ୍ତି ଲେଖିଥିବା କଥା ଫରେନସିକ ରିପୋର୍ଟରେ ଠିକ ବୋଲି ଦର୍ଶାଯାଇଛି । ସେ ଅତ୍ୟନ୍ତ ମାନସିକ ଚାପ ଏବଂ ଜୀବନ ପ୍ରତି ଗୁରୁତର ବିପଦ ମଧ୍ୟରେ ବଞ୍ଚୁଥିବା ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories