www.samajalive.in
Monday, December 15, 2025
27.1 C
Bhubaneswar

ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଭାଜପା କର୍ମୀଙ୍କ ସହିତ ପୁଲିସର ମୁହାଁମୁହିଁ

ସମ୍ବଲପୁର : କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ସିବିଆଇ ତଦନ୍ତ, ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ, ପରିବାରବର୍ଗଙ୍କୁ ଉଚିତ କ୍ଷତିପୂରଣ ଆଦି ଦାବିରେ ଭାରତୀୟ ଜନତା ପାର୍ଟି ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛି । ଏହି ଘଟଣାରେ ରାଜ୍ୟର ରାଜନୀତି ପଡୁଥିବା ଉଠୁଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡିକର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମମିତା ହତ୍ୟାକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କj ଏହା କଳାହାଣ୍ଡି ଜିଲା ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଉତ୍ତରାଞ୍ଚଳ ପୁଲିସ ଆରକ୍ଷୀ ଉପ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ। ସମ୍ବଲପୁରର କଚେରୀ ରୋଡ ସ୍ଥିତ ଜିଲା ଭାଜପା କାର୍ଯ୍ୟାଳୟରୁ ଶତାଧିକ ଯୁବ ଭାଜପା କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଗୋଲବଜାର, ଲକ୍ଷ୍ମୀ ଟକିଜ ଛକ ଦେଇ ରିର୍ଜଭ ପୁଲିସ ଲାଇନ କଡରେ ଥିବା ଉତ୍ତରାଞ୍ଚଳ ପୁଲିସ ଆରକ୍ଷୀ ଉପ ମହାନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିକ୍ଷୋଭକାରୀ ମାନେ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ଚେଷ୍ଟା କରିବାରୁ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ବଳ ସହିତ ସେମାନଙ୍କର ଧସ୍ତାଧସ୍ତି ସହିତ ପ୍ରବଳ ଠେଲାପେଲା ହୋଇ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ପ୍ରାୟ ୩୦ ମିନିଟ ପୁଲିସ ସହିତ ଧସ୍ତାଧସ୍ତି ଓ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେବା ପରେ ବିକ୍ଷୋଭକାରୀ ମାନେ ପୁଲିସ ଉପରେ ଭାରି ପଡିବାରୁ ବାଧ୍ୟ ହୋଇ ପୁଲିସ ବିକ୍ଷୋଭକାରୀଙ୍କ ଉପରେ ପାଣି ମାଡ (ୱାଟର କ୍ୟାନନ) କରିଥିଲା । ଏହା ପରେ ତୁରନ୍ତ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଇରାଷିଶ ଆଚାର୍ଯ୍ୟ, ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର, ଜିଲା ଯୁବ ସଭାପତି ଅଶ୍ୱିନୀ ମାଝୀ, ପ୍ରଭୁଦତ୍ତ ପଣ୍ଡାଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲା । ଏ ସର୍ମ୍ପକରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ତପନ ମହାନ୍ତି କହିଛନ୍ତି ଯେ, ବିକ୍ଷୋଭକାରୀ ମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପାଣି ମାଡ କରାଯିବା ସହିତ ନେତା ମାନଙ୍କ ସମେତ ୧୫ ଜଣଙ୍କୁ ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ଗିରଫ କରାଯାଇଛି । ତେବେ ନେତା ମାନଙ୍କୁ ଗିରଫ କଲା ସମୟରେ ଯୁବ କର୍ମୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବା ସହିତ ପୁଲିସକୁ ବେଶ କସରତ କରିବାକୁ ପଡିଥିଲା । ଗିରଫ କରାଯାଇ ନେତା ଓ କର୍ମୀ ମାନଙ୍କୁ ଶାସନ ଏବଂ ଟାଉନ ଥାନାରେ ନେଇ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଇନ ଅନୁଯାୟୀ ପ୍ରକ୍ରିୟା ପୂରଣ କରାଯାଇ ଛଡା ଯାଇଥିଲା।

                                                          ପୁଲିସର ମୃଦୁ ବଳପ୍ରୟୋଗରୁ ସ୍ଥିତି ପାଣି ମାଡ ପର୍ଯ୍ୟନ୍ତ ଗଲା

- Advertisement -


ଆଜି ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀ ମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ନେତା ମାନଙ୍କୁ ପ୍ରତିଷେଧକ ଭାବରେ ଗିରଫ କରିଥିଲା । ତେବେ ଜିଲା ଯୁବ ସଭାପତି ଅଶ୍ୱନୀ ନାୟକଙ୍କୁ ପୁଲିସ ଗିରଫ କରି ନେବା ସମୟରେ ବିରୋଧ ହେବାରୁ ତାଙ୍କୁ ବଳ ପ୍ରୟୋଗ କରି ଘୋଷାଡି ଘୋଷାଡି ନେଇ ଯାଇଥିଲା। ଏହାକୁ ଦେଖି ଆନ୍ଦୋଳନକାରୀ ମାନେ ଉତ୍ତେଜିତ ହେବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାର ଦେଖି ବାଧ୍ୟ ହୋଇ ପୂର୍ବରୁ ପ୍ରସ୍ତୁତ ରଖାଯାଇଥିବା ୱାଟର କ୍ୟାନନ (ପାଣି ମାଡ) ବ୍ୟବହାର କରାଯାଇଥିଲା ଏବଂ ଆନ୍ଦୋଳନକାରୀ ମାନଙ୍କୁ ନିୟନ୍ତ୍ରଣ କରାଯାଇଥିଲା।

                                                     ଜୟନାରାୟଣ ଓ ଇରାଷିଶ ଙ୍କୁ ଗିରଫ ସମୟରେ ପ୍ରବଳ ବିରୋଧ


ମମିତା ହତ୍ୟାକାଣ୍ଡର ବିରୋଧ ପ୍ରଦର୍ଶନ ସମୟରେ ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଦର୍ଶନକାରୀ ମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ନେତା ମାନଙ୍କୁ ପ୍ରତିଷେଧକ ଭାବରେ ଗିରଫ କରିଥିଲା । ଜିଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀଙ୍କୁ ଘୋଷାଡି ନେଇ ଗିରଫ କରାଯିବା ପରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଷିଶ ଆଚାର୍ଯ୍ୟଙ୍କୁ ଗିରଫ କରିବା ସମୟରେ ପୁଲିସ ନାକେଦମ ହୋଇ ଯାଇଥିଲା। ବିକ୍ଷୋଭକାରୀ ମାନେ ବିଧାୟକ ଜୟନାରାୟଣ ମିଶ୍ର ବସିଥିବା ଗାଡିକୁ ଘେରି ଯାଇ ପ୍ରବଳ ବିରୋଧ କରିବା ସହିତ ଗାଡିକୁ ଛାଡି ନ ଥିଲେ । ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ବହୁ କଷ୍ଟରେ ପୁଲିସ ବିଧାୟକ ମିଶ୍ରଙ୍କୁ ଏକ ଜିପରେ ବସାଇ ତୁରନ୍ତ ଟାଉନ ଥାନାକୁ ନେବାରେ ସଫଳ ହୋଇଥିଲା । ସେହିଭଳି ଯୁବ ମୋର୍ଚ୍ଚା ସଭାପତି ଆଚାର୍ଯ୍ୟଙ୍କୁ ଗିରଫ କରି ନେବା ସମୟରେ ମଧ୍ୟ ପୁଲିସକୁ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ କୁସ୍ତି କସରତ କରିବାକୁ ପଡିଥିଲା।

ଜିଲାର କିଛି ବରିଷ୍ଠ ନେତାଙ୍କ ମ୍ୟାଚ ଫିକ୍ସିଂ !
ମମିତା ହତ୍ୟାକାଣ୍ଡର ବିରୋଧ ପ୍ରଦର୍ଶନ ସମୟରେ ଜିଲା ଭାଜପା ମଧ୍ୟରେ ଚାଲିଥିବା ଗୋଷ୍ଠୀ କନ୍ଦଳ ସ୍ପଷ୍ଟ ରୂପେ ବାରି ହୋଇ ପଡିଥିଲା । ଜିଲାରେ ଭାଜପାର ମଙ୍ଗୁଆଳ ସାଜିଥିବା ସଭାପତି ଓ କିଛି ବରିଷ୍ଠ ନେତା ଆନ୍ଦୋଳନରେ ସାମିଲ ଥିଲେ ସୁଦ୍ଧା ସେମାନେ ଏକ ପ୍ରକାରର ଦୂରତା ଅବଲମ୍ବନ କରୁଥିବାର ଦେଖା ଯାଇଥିଲା । ଏପରିକି ପୁଲିସ ଅଧିକାରୀ ମାନଙ୍କ ସହିତ ହସଖୁସିରେ ଗପ କରୁଥିବାର ମଧ୍ୟ ଦେଖାଯାଇଥିଲା । ପୁଲିସ କିଛି ଯୁବ ନେତା ଓ ବିଧାୟକ ମାନଙ୍କ ଉପରେ ଫୋକସ ରଖି ସେମାନଙ୍କୁ କଳେବଳେ ଗିରଫ କରିଥିବା ବେଳେ କିନ୍ତୁ ଉକ୍ତ ନେତା ମାନଙ୍କୁ ଗିରଫ ମଧ୍ୟ କରି ନ ଥିଲା । ଏହାକୁ ଦେଖଣାହାରୀ ମାନେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଯୋଗୁଁ ମ୍ୟାଚ ଫିକ୍ସିଂ ହୋଇଯାଇଛି ବୋଲି ଟାହିଟୁପୁରା କରୁଥିବାର ଦେଖାଯାଇଥିଲା।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories