୧୦ରେ କଂଗ୍ରେସର ଭାରତ ବନ୍ଦ

0

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ‘ମୋଦୀଙ୍କ ଅଚ୍ଛେଦିନ୍’: ଭକ୍ତ

prayash

ଭୁବନେଶ୍ୱର: ଦେଶରେ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନଗ୍ୟାସ ଦର ନିୟନ୍ତ୍ରଣ ବାହାରେ ରହିଛି। ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଘଟି ସାଧାରଣ ଜନତା ଭାରାକ୍ରାନ୍ତ ହୋଇଛନ୍ତି। ଇନ୍ଧନରେ ମାତ୍ରାଧିକ ଟିକସ ଲଗାଇ ମୋଦୀ ସରକାର ନିର୍ବାଚନରେ ଭୋଟ କିଣିବାକୁ ଟଙ୍କା ଠୁଳ କରିବାରେ ଲାଗିଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ପ୍ରଚାର କମିଟିର ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ଅଭିଯୋଗ କରିଛନ୍ତି। ଏହା କ’ଣ ମୋଦିଙ୍କ ଅଚ୍ଛେଦିନ୍‌ ବୋଲି ସେ ପ୍ରଶ୍ନ କରିଛନ୍ତି। ମାତ୍ରାଧିକ ଟିକସ ବୋଝ ଲଦିଦେଇ ବର୍ଦ୍ଧିତ ଟିକସରୁ କେନ୍ଦ୍ର ସରକାର ଇତିମଧ୍ୟରେ ୧୧ ଲକ୍ଷ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଛନ୍ତି। ତେବେ ଜନତାଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହା ପ୍ରତିବାଦରେ ଆସନ୍ତା ୧୦ରେ କଂଗ୍ରେସ ଭାରତ ବନ୍ଦ ଡକରା ଦେଇଛି ବୋଲି ଶ୍ରୀ ଦାସ କହିଛନ୍ତି। ଅନ୍ୟପକ୍ଷରେ ଏଆଇସିସିର ଭାରତ ବନ୍ଦ ଡାକରା ନିଷ୍ପତ୍ତିକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ କର୍ମୀ, ନେତୃମଣ୍ଡଳୀ ଓ ସର୍ବୋପରି ଓଡିଶାବାସୀଙ୍କ ସହଯୋଗ କାମନା କରିଛନ୍ତି। ଏହି ବନ୍ଦ ପାଳନ ସମୟରେ ଜରୁରୀକାଳୀନ ଆମ୍ବୁଲାନ୍‍ସ ସେବା, ପରୀକ୍ଷାର୍ଥୀ, ଔଷଧ ଦୋକାନ, କ୍ଷୀରଗାଡି ପ୍ରତି ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନବାନ ରହିବା ପାଇଁ ସେ ଦଳୀୟ ନେତା ଓ କର୍ମୀ ସତର୍କ ତଥା ସଜାଗ ରହିବାକୁ ଅନୁରୋଧ କରିଛନ୍ତି।
ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଶ୍ରୀ ଦାସ କହିଛନ୍ତି, କଂଗ୍ରେସ ନେତୃତ୍ୱାଧୀନ ତତ୍କାଳୀନ ୟୁପିଏ ସରକାର ସମୟରେ ଆନ୍ତର୍ଜାତିକ ବଜାରେ ଅଶୋଧିତ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲେ ମଧ୍ୟ ସରକାର ଦେଶ ମଧ୍ୟରେ ଟିକସ ହ୍ରାସକରି ତୈଳଦର ନିୟନ୍ତ୍ରଣରେ ରଖିଥିଲେ; କିନ୍ତୁ ଏବେ ତାହା କରାଯାଉନାହିଁ। ୨୦୧୪ ମେ ୧୬ ତାରିଖରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ ପିଛା ୧୦୭.୦୯ ଡଲାର ରହିଥିଲାବେଳେ ଦେଶରେ ପେଟ୍ରୋଲ ଲିଟର ୭୧ ଟଙ୍କା ୪୧ ପଇସା ଏବଂ ଡିଜେଲ ଲିଟର ୫୫ ଟଙ୍କା ୪୯ ପଇସା ଥିଲା। ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୭୭ ଡଲାର ରହିଛି, ଯାହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରେ ଥିବା ମୂଲ୍ୟ ତୁଳନାରେ ପ୍ରାୟ ୩୦ ଡଲାର କମ୍‍। ତଥାପି ମୋଦୀ ସରକାର ସମୟରେ ପେଟ୍ରୋଲ ଡ଼ିଜେଲ ମୂଲ୍ୟ ଆକାଶଛୁଆଁ ଭାବରେ ବୃଦ୍ଧି ପାଇ ଚାଲିଛି। ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ମଧ୍ୟ ବଢିଛି। ସବ୍‍ସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ ୪୧୨ ଟଙ୍କାରୁ ୮୨ ଟଙ୍କା ବୃଦ୍ଧିପାଇ ୪୯୪ ଟଙ୍କାରେ ପହଞ୍ଚିଛି। କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍‍କୁ ଜିଏସ୍‍ଟି ପରିସରଭୁକ୍ତ କରିବାକୁ ଏକାଧିକାର ଦାବି କରିଥିଲେ ମଧ୍ୟ ମୋଦୀ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରି ହେଲେ ପେଟ୍ରୋଲ, ଡ଼ିଜେଲ ଲିଟର ପ୍ରାୟ ୧୦ରୁ ୧୫ ଟଙ୍କା ହ୍ରାସ ପାଇବ।
ଶ୍ରୀ ଦାସ କହିଛନ୍ତି, ମୋଦୀଙ୍କ ବିଜେପି ସରକାର ବିଦେଶ ରାଷ୍ଟ୍ରକୁ ପେଟ୍ରୋଲ, ଡ଼ିଜେଲ ଯଥେଷ୍ଟ କମ୍‍ ମୂଲ୍ୟରେ ରପ୍ତାନି କରୁଛନ୍ତି। ଅଥଚ ଦେଶବାସୀ ଟିକସ ଭାରରେ ଆକ୍ରାନ୍ତ। ପେଟ୍ରୋଲ ଦର ବୃଦ୍ଧିଯୋଗୁଁ ଦେଶର ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ, କୃଷକଙ୍କ ପାଇଁ ବାଧୁଛି। ଡିଜେଲ ଦରବୃଦ୍ଧି କାରଣରୁ ପରିବହନ ଖର୍ଚ୍ଚ ଏବଂ ବସ୍‍, ଅଟୋ ଭଡ଼ା ବୃଦ୍ଧିପାଇଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତା ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ପାଳନକୁ ସଫଳ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।

kalyan agarbati
Leave A Reply