ଆରମ୍ଭ ହେଲା କମିଶନରେଟ୍‍ ପୁଲିସ୍‍ର ‘ନୋ ଇଓର ପୁଲିସ୍‍’ ଅଭିଯାନ

0

ଭୁବନେଶ୍ଵର : ଆମେ କୌଣସି କ୍ଷେତ୍ରରେ ସ୍କଟଲାଣ୍ଡ ୟାର୍ଡ଼ ଠାରୁ କମ୍‍ ନୁହେଁ, ଛାତ୍ରଛାତ୍ରୀମାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଭୁବନେଶ୍ୱର-କଟକ ପୁଲିସ କମିଶନର୍‍ ଶ୍ରୀ ସତ୍ୟଜିତ୍‍ ମହାନ୍ତି। ଆଜି କମିଶନରେଟ୍‍ ପୁଲିସ୍‍ ଦ୍ୱାରା ପ୍ରଥମ କରି ନନ୍ଦନକାନନ ଥାନା ପରିସରରେ ଆୟୋଜିତ ‘ନୋ ଇଓର ପୋଲିସ୍‍’ କାର୍ଯ୍ୟକ୍ରମରେ ଏହା ପ୍ରକାଶ କରିଛନ୍ତି। ସ୍କୁଲ୍‍ ଛାତ୍ରଛାତ୍ରୀମାନଙ୍କୁ ସମ୍ବେଦନଶୀଳ ଏବଂ ପୁଲିସ୍‍ ପ୍ରତି ସେମାନଙ୍କ ମନରୁ ଭୟ ଦୂର କରିବା ଓ ପୁଲିସ୍‍ ବିଭାଗ ସମ୍ବନ୍ଧରେ ଅନେକ କିଛି ଜ୍ଞାନ ଆହରଣ କରିବା ଉଦ୍ଦେଶ୍ୟରେ କମିଶନରେଟ୍‍ ପୁଲିସ୍‍ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛନ୍ତି। ଆଜି ପ୍ରଥମକରି ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅଭିଯାନ ମାଧ୍ୟମରେ ଅନ୍ୟ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଛି।

ଏହି ଅଭିଯାନରେ ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ୬୦ ଜଣ ଛାତ୍ରଛାତ୍ରୀ ଶନିବାର ନନ୍ଦନକାନନ ପୁଲିସ୍ ଷ୍ଟେସନ୍‍ ବୁଲିବାର ସୁଯୋଗ ପାଇଥିଲେ। ଭୁବନେଶ୍ୱର ଡିସିପି ଅନୁପ୍‍ ସାହୁ, କଟକ ଡିସିପି ଶ୍ରୀ ଅଖିଳେଶ୍ୱର ସିଂ,  ଇନଫୋସିଟି ପୁଲିସ୍‍ ଷ୍ଟେସନ୍‍ର ଇନ୍‍ସପେକ୍ଟର ଇନ୍‍ଚାର୍ଜ ଶ୍ରୀମତୀ ବିଜୟନୀ ସିଂ, ନନ୍ଦନକାନନ ପୋଲିସ୍‍ ଷ୍ଟେସନ୍‍ର ଇନ୍‍ସପେକ୍ଟର ଇନ୍‍ଚାର୍ଜ ଶ୍ରୀ ରବିନ୍ଦ୍ରନାଥ ମେହେର୍‍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ଛାତ୍ରଛାତ୍ରୀମାନଙ୍କୁ ପୁଲିସ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଫଆଇଆର୍‍, ଚାର୍ଜସିଟ୍‍, ଫାଇନାଲ୍‍ ରିପୋର୍ଟ, ରେକର୍ଡ଼ ରୁମ୍‍, ସିଗ୍ନାଲ୍‍ ପ୍ରଣାଳୀ, ଲକଅପ୍‍ ଗୃହ, ମାଲଖାନା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ଗ୍ରହଣ କରିବା ସହିତ ଛାତ୍ରଛାତ୍ରୀମାନେ ଉକ୍ତ ଥାନାରେ ଏ ସବୁକୁ ଦେଖିବାକୁ ସୁଯୋଗ ପାଇଥିଲେ। ଏକ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପୁଲିସ୍‍ କମିଶନରଙ୍କୁ ଅନେକ ପ୍ରଶ୍ନ ପଚାରି ଏହାର ଉତ୍ତର ପାଇଥିଲେ।

ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲର ଚେୟାରମ୍ୟାନ୍‍ ଡଃ ବିଜୟ କୁମାର ସାହୁ ପୁଲସ୍‍ ବିଭାଗକୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏପରି ଏକ ସୁନ୍ଦର ଅଭିଯାନର ଆରମ୍ଭ ପାଇଁ ସାଇ ଇଣ୍ଟରନ୍ୟାସନାଲ୍‍ ସ୍କୁଲ ତରଫରୁ ପ୍ରଥମେ ପ୍ରସ୍ତାବ ଦିଆଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ପୁଲିସ୍‍ ବିଭାଗ ବିଷୟରେ ଅନେକ କିଛି ଜାଣିପାରିବେ ଓ ଭବିଷ୍ୟତରେ ଜଣେ ଜଣେ ଭଲ ପୁଲିସ୍‍ ଅଫିସର୍‍ ହୋଇ ରାଷ୍ଟ୍ରପାଇଁ କିଛି କିରବାର ସୁଯୋଗ ପାଇପାରିବେ।

Leave A Reply