ଆଜି ଚୀନ୍‌-ଭାରତ ସାମରିକ ଅଧିକାରୀ ଆଲୋଚନା

ନୂଆଦିଲ୍ଲୀ: ଲଦାଖରୁ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉପରେ ଭାରତ ଓ ଚୀନ୍‌ ମଧ୍ୟରେ ତ୍ରୟୋଦଶ ପର୍ଯ୍ୟାୟ ସାମରିକ ଅଧିକାରୀସ୍ତରୀୟ ଆଲୋଚନା ରବିବାର ହେବ। ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍‌ ପାଖ ଚୁସିଲ-ମୋଲ୍‌ଡୋଠାରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦୀର୍ଘ ୧୭ ମାସ ଧରି ପୂର୍ବ ଲଦାଖରେ ରହିଆସିଥିବା ସେନା ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା ହେବ। ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍‌ ପ୍ରତିନିଧି ଦଳର ନେତୃତ୍ବ ନେବାକୁ ଥିବାବେଳେ ଚୀନ୍‌ ପକ୍ଷରୁ ମେଜର ଜେନେରାଲ ଲିଉ ଲିନ୍‌ଙ୍କ ଦଳ ଆଲୋଚନା କରିବେ। ସୀମାନ୍ତରେ ଚୀନ୍‌ ବିପୁଳ ସେନା ମୁତୟନ ସହ ସାମରିକ ଭିତ୍ତିଭୂମି ନିର୍ମାଣ କରିଛି। ଆଲୋଚନା ବେଳେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଥିବା ଭାରତର ସେନାଧ୍ୟକ୍ଷ ଜେନେରାଲ ଏମ.ଏମ୍‌ ନରବଣେ କହିଛନ୍ତି।

ଜେନେରାଲ ନରବଣେ ଲଦାଖ ଗସ୍ତ ସମୟରେ ଚୀନ୍‌ ଅଧିକ ସେନା ମୁତୟନ ସହ ଭିତ୍ତିଭୂମି ନିର୍ମାଣ କରିବା ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ଜୁଲାଇ ୩୧ରେ ଉଭୟ ପକ୍ଷ ମଧ୍ୟରେ ଦ୍ବାଦଶ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏହାପରେ ଗୋଗ୍ରାର ପାଟ୍ରୋଲିଂ ପଏଣ୍ଟ ୧୭-ଏରୁ ଚୀନ୍‌ ସେନା ପଛକୁ ହଟିଥିଲେ। ଏବେ ହଟ୍‌ସ୍ପ୍ରିଙ୍ଗ ତଥା ପାଟ୍ରୋଲିଂ ପଏଣ୍ଟ ୧୫ରୁ ସେନା ପ୍ରତ୍ୟାହାର ମୁଖ୍ୟ ପ୍ରସଙ୍ଗ ରହିଛି। ଏତଦ୍‌ବ୍ୟତୀତ ପାଟ୍ରୋଲିଂ ପଏଣ୍ଟ- ୧୦, ୧୧, ୧୧-ଏ. ୧୨ ଓ ୧୩ ରହିଥିବା ଦେସ୍‌ପାଙ୍ଗ ସମତଳ ଅଞ୍ଚଳରେ ଚୀନ୍‌ ସମସ୍ୟା ସୃଷ୍ଟି କରୁଥିବାରୁ ଏ ବାବଦରେ ଆଲୋଚନା ହେବ।

Comments are closed.