BJD Bijuli 480×75 Mob

ପିପିଲି ଉପନିର୍ବାଚନ:ଇଭିଏମ୍‍ରେ ସିଲ୍‍ ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ଦିନକ ପରେ ହେବ ଭୋଟ ଗଣତି

BJD Bijuli 480×75 Mob

ପିପିଲି:ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‍ ସରିଛି। ସମସ୍ତ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‍ରେ ସିଲ୍‍ ରହିଛି। ଆଉମାତ୍ର ଦିନକ ପରେ ଅର୍ଥାତ ୩ ତାରିଖ ରବିବାର ହେବ ଭୋଟ୍‍ ଗଣତି। ଗଣତି ସମୟ ଯେତିକ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ସମେତ ରାଜନୈତିକ ନେତା ଓ କର୍ମୀଙ୍କ ହୃତସ୍ପନ୍ଦନ ସେତିକି ବଢିବାରେ ଲାଗିଛି। କିଏ କେତେ ଭୋଟ ପାଇବ, କେଉଁ ପଞ୍ଚାୟତରେ କିଏ ଆଗୁଆ ରହିବ ଏହାର ହିସାବ ଚାଲିଛି ବିଭିନ୍ନ ଦଳୀୟ କାର୍ଯ୍ୟାଳୟରେ। ନିର୍ବାଚନରେ ଏଠାକାର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଉଭୟେ ବିଜୟ ହେବା ନେଇ ବେଶ୍‍ ଆଶାବାଦୀ। ବିଭିନ୍ନ ସ୍ଥାନରେ ଚାଲୁଥିବା ଅଙ୍କ କଷା ଓ ଆଲୋଚନା ସେମାନଙ୍କ ଆଶା ଓ ଆକାଂକ୍ଷାକୁ ବହୁଗୁଣିତ କରିଛି।
ପ୍ରଥମଥର ପାଇଁ ଏହି ପିପିଲି ଭୋଟ୍‍କୁ ନେଇ ରାଜନୈତିକ ବିଷାରଦ ମାନଙ୍କର ଗଣିତ କାମ କରୁନି। ଏଥର କିଏ ଜିତିବ ସେନେଇ ସଠିକ ଭାବେ ଆକଳନ କରିବା ଆଦୌ ସମ୍ଭବପର ହେଉନାହିଁ। କାରଣ ପୂର୍ବ ତୁଳନାରେ ଏଠାକାର ଭୋଟରମାନେ ଅଧିକ ସଚେତନ ଥିବାରୁ କିଏ କେତେ ଭୋଟ୍‍ ପାଇବ ସେନେଇ ଚାଲିଥିବା ଅଙ୍କକଷା ଛିଣ୍ଡି ପାରୁନାହିଁ। ସବୁଠାରୁ ବଡକଥା ହେଲା ଭୋଟରମାନେ ନିଜ ନିଜର ମତଦାନକୁ ସଂପୂର୍ଣ୍ଣ ଗୁପ୍ତ ରଖିଥିବା ବେଳେ ଅଦ୍ୟାବଧି ନୀରବ ରହିଛନ୍ତି। ଏହି ସାଇଲେଣ୍ଟ ଭୋଟରଙ୍କ ଯୋଗୁଁ ବିଭିନ୍ନ ଦଳ ଚିନ୍ତାରେ ପଡିଛନ୍ତି। ନିଜ ନିଜ ଆକଳନ ଅନୁଯାଇ ନିର୍ବାଚନରେ ବିଭିନ୍ନ ବୁଥ୍‍ର ହୋଇଥିବା ମତଦାନକୁ ନେଇ ସେମାନେ ନିଜର ସ୍ଥିତିକୁ ପରଖିବାରେ ଏବେ ପୁରା ବ୍ୟସ୍ତ। ସକାଳେ କେଉଁ ଦଳର କର୍ମୀମାନେ ମିଠା ବାଣ୍ଟୁଛନ୍ତି ତ’ ସଂନ୍ଧ୍ୟାରେ ପୁଣି ମୁହଁ ଶୁଖାଇ ବସୁଛନ୍ତି। ଏଭଳି ସ୍ଥିତି ଏବେ ସମଗ୍ର ନିର୍ବାଚନମଣ୍ଡଳୀର ପ୍ରତି ଗାଁ ଓ ଛକବଜାରରେ ଦେଖିବାକୁ ମିଳିଛି। ତେବେ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ କିଏ ବିଜୟ ଟିକା ପିନ୍ଧିବ ସେନେଇ ସମସ୍ତେ ସନ୍ଦୀହାନ। ଏଥର ଭୋଟ ବ୍ୟବଧାନ ପୂର୍ବାପେକ୍ଷା କମ୍‍ ରହିବ ନା’ ତାଠାରୁ ଅଧିକ ରହିବ ସେନେଇ ଚାଲିଛି ନାନା କଳ୍ପନା ଜଳ୍ପନା। ତେବେ ୩ ତାରିଖ ଭୋଟ୍ ଫଳାଫଳକୁ ସମେସ୍ତ ଅପେକ୍ଷା କରି ବସିଥିବା ବେଳେ ସମସ୍ତଙ୍କ ମୁହଁରେ ଗୋଟିଏ କଥା- ଏଥର ରୁଦ୍ର ନା’ ଆଶ୍ରୀତ।

 

ପିପିଲି ନିର୍ବାଚନମଣ୍ଡଳୀର ସମସ୍ତ ୩୪୮ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଗୁରୁବାର ଶେଷ ହୋଇଥିଲା। ଏଠାରେ କୋଭିଡ୍‍ମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଭୋଟରଙ୍କ ମଧ୍ୟରେ ବେଶ୍‍ ଆଗ୍ରହ ପରିଲକ୍ଷିତ ହୋଇଥିଲା ଓ ବହୁ ସଂଖ୍ୟାରେ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ। ଭୋଟ ପରେ ଇଭିଏମ୍‍ ଗୁଡିକୁ କଡା ପୁଲିସ ସୁରକ୍ଷା ମଧ୍ୟରେ ପୁରୀରେ ଷ୍ଟ୍ରଙ୍ଗରୁମ୍‍ରେ ରଖାଯାଇଛି। ୩ ତାରିଖ ରବିବାର ସକାଳୁ ଭୋଟ୍‍ ଗଣତି କରାଯିବ ଓ ସେହିଦିନ ଫଳାଫଳ ପ୍ରକାଶ ପାଇବ। ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ପିପିଲି ଇତିହାସରେ ପ୍ରଥମଥର ପାଇଁ ହେଉଥିବା ଏହି ଉପନିର୍ବାଚନରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Comments are closed.