ଗୁଟକା ଦୁର୍ନୀତି : ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ, ଡିଜିପିଙ୍କ ଘରେ ସିବିଆଇ ଚଢାଉ

0

ନୂଆଦିଲ୍ଲୀ : ବହୁ କୋଟି ଟଙ୍କାର ଗୁଟ୍‍ଖା ଦୁର୍ନୀତିର ତଦନ୍ତ କ୍ରମେ ସିବିଆଇ ବୁଧବାର ଦେଶବ୍ୟାପୀ ୪୦ଟି ସ୍ଥାନରେ ବ୍ୟାପକ ଚଢାଉ କରିଛି। ଚଢାଉ କରାଯାଇଥିବା ସ୍ଥାନ ମଧ୍ୟରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସି. ବିଜୟାଭାସ୍କର ଏବଂ ପୁଲିସ ମହାନିର୍ଦେଶକ (ଡିଜିପି) ଟି.କେ. ରାଜେନ୍ଦ୍ରନ ଓ ଡିଜି (ଅଗ୍ନିଶମ ଓ ଉଦ୍ଧାରକାର୍ଯ୍ୟ) ଏସ୍‍. ଜଜ, ପୂର୍ବତନ ମନ୍ତ୍ରୀ ବି.ଭି. ରମଣ ଏବଂ କେନ୍ଦ୍ର ଶୁଳ୍କ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବହୁ ପଦାଧିକାରୀଙ୍କ ବାସଭବନ ଅନ୍ତର୍ଭୁକ୍ତ। ଏଥିସହ ଚେନ୍ନାଇ, ମୁମ୍ବଇ ଏବଂ ବାଙ୍ଗାଲୋରସ୍ଥିତ କେତେକ ସ୍ଥାନରେ ମଧ୍ୟ ଚଢାଉ ହୋଇଛି। ପୂର୍ବାହ୍ଣ ୭ଟାରୁ ସିବିଆଇର ଏକାଧିକ ଦଳ ବିଭିନ୍ନ ସ୍ଥାନରେ ଏକକାଳୀନ ଏହି ଚଢାଉ ଆରମ୍ଭ କରିଥିଲା।
୨୦୧୭ ଜୁଲାଇରେ ୨୫୦ କୋଟି ଟଙ୍କାର ଆୟକର ଠକେଇ ମାମଲାରେ ସମ୍ପୃକ୍ତ ବିଭାଗ ପକ୍ଷରୁ ତାମିଲନାଡୁର ବିଭିନ୍ନ ଗୁଟକା, ପାନ ମସାଲା ଉତ୍ପାଦନକାରୀଙ୍କ ଗୋଦାମ, କାର୍ଯ୍ୟାଳୟ ଏବଂ ବାସଭବନ ଉପରେ ଚଢାଉ କରିବା ପରେ ଏହି ଦୁର୍ନୀତିର ଫର୍ଦାଫାଶ ହୋଇଥିଲା। ଆୟକର ବିଭାଗ ଚଡାଉ ବେଳେ ଏକ ଡାଏରୀ ମିଳିଥିଲା, ଯେଉଁଥିରେ ଗୁଟକା ଉତ୍ପାଦନକାରୀଙ୍କୁ ଟଙ୍କା ଦେଇଥିବା ଲୋକଙ୍କ ନାମ ଉଲ୍ଲେଖ ଥିଲା। ସେଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାସ୍କରଙ୍କ ନାମ ମଧ୍ୟ ସାମିଲ ଥିଲା। ୨୦୧୮ ମେ’ରେ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ମାଡ୍ରାସ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତାମିଲନାଡୁ ସରକାର, କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ବହୁ ଅଜ୍ଞାତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ସିବିଆଇ ଚଡାଉ ପରେ ଡିଜିପି ରାଜେନ୍ଦ୍ରନ୍‍ ନିଜ ପଦରୁ ଇସ୍ତଫା ଦେବା ଉଚିତ ବୋଲି ଡିଏମ୍‍କେ ବିଧାୟକ ଜେ. ଆନବାଝାଗାନ ଦାବି କରିଛନ୍ତି। ଉଲ୍ଲେଖ ଯେ, ୨୦୧୩ରେ ତାମିଲନାଡୁ ସରକାର ରାଜ୍ୟରେ ଗୁଟକା ଓ ପାନମସଲା ସମେତ ସମସ୍ତ ତମ୍ବାଖୁର ବିକ୍ରି, ଉତ୍ପାଦନ ଏବଂ ସଂରକ୍ଷଣ ନିଷେଧ କରିଥିଲେ। ଏହା ସତ୍ୱେ ରାଜ୍ୟରେ ଗୁଟକା ଉତ୍ପାଦନ ଜାରି ଥିବା ଜଣାପଡିବା ପରେ ଅନବାଝଗାନ ହାଇକୋର୍ଟରେ ଏକ ଆବେଦନ କରିଥିଲେ। ଏହାର ଶୁଣାଣି କରି ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ।

Leave A Reply