ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ପୁଲିସର ବୟାନ: ଗିରଫ ସାମାଜିକକର୍ମୀଙ୍କ କାର୍ଯ୍ୟକଳାପ ସମାଜରେ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ଥିଲା

0

ନୂଆଦିଲ୍ଲୀ : ମାଓବାଦୀଙ୍କ ସହିତ ସମ୍ପୃକ୍ତି ଅଭିଯୋଗରେ ୫ ସାମାଜିକ କର୍ମୀଙ୍କୁ ଗିରଫ କରାଯିବା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନିହିତ ନାହିଁ; ବରଂ ସେମାନଙ୍କ କାର୍ଯ୍ୟକଳାପ ସାମାଜିକ ଅସ୍ଥିରତା ସୃଷ୍ଟି କରିବାର ଆଶଙ୍କା ଥିବାରୁ ପୁଲିସ ସେମାନଙ୍କୁ ଉପଯୁକ୍ତ ପ୍ରମାଣ ଭିତ୍ତିରେ ଗିରଫ କରିଛି। ଏହି ଗିରଫ ଦାରିକୁ ବିରୋଧରେ କରି ହୋଇଥିବା ଏକ ଆବେଦନ ଉପରେ ମହାରାଷ୍ଟ୍ର ପୁଲିସ ବୁଧବାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ନିଜ ପ୍ରତିକ୍ରିୟାରେ ଉଲ୍ଲେଖ କରିଛି। ଐତିହାସିକ ରୋମିଲା ଥାପର, ଅର୍ଥନୀତିଜ୍ଞ ଦେବକି ଜୈନ ଓ ପ୍ରଭାତ ପାଟ୍ଟନାଏକ, ସୋସିଓଲୋଜି ପ୍ରଫେସର ସତୀଶ ଦେଶପାଣ୍ଡେ ଏବଂ ସାମାଜିକ ଅଧିକାର ଓକିଲ ମାୟ ଦାରୁୱାଲାଙ୍କ ପକ୍ଷରୁ ଏହି ଆବେଦନ ହୋଇଥିଲା। ଏହା ଉପରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଜବାବ ଲୋଡିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିବା ବେଳେ ଏନେଇ ବଳିଷ୍ଠ ପ୍ରମାଣ ରହିଥିବା ରାଜ୍ୟ ସରକାର ଦର୍ଶାଇଛନ୍ତି। ୨୦୧୭ ଡିସେମ୍ବର ୩୧ରେ ଏଲଗାର ପରିଷଦର ସମାବେଶ ପରେ ଭୀମ କୋରେଗାଓଁଠାରେ ଘଟିଥିବା ହିଂସାକୁ ନେଇ ଅଭିଯୋଗ ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ବରାବର ରାଓ, ଅରୁଣ ପରେରା, ବେର୍ଣ୍ଣନ ଗୋନଜାଲଭେସ, ସୁଧା ଭାରଦ୍ୱାଜ ଏବଂ ଗୌତମ ନବଲଖାଙ୍କୁ ଗତ ମାସରେ ଗିରଫ କରିଥିଲା। ମାତ୍ର ଏଭଳି ଗିରଫଦାରୀ ଗଣତନ୍ତ୍ର ଉପରେ ପ୍ରହାର ବୋଲି ଦର୍ଶାଇ ଉପରୋକ୍ତ ଆବେଦନ ହୋଇଥିଲା। ଆବେଦନକାରୀମାନଙ୍କର ଏହି ମାମଲା ସହିତ କୌଣସି ସମ୍ପୃକ୍ତି ନ ଥିବା ଦର୍ଶାଇ ରାଜ୍ୟ ସରକାର ଉପରୋକ୍ତ ଆବେଦନକୁ ବିରୋଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ସେଥିପ୍ରତି ଗୁରୁତ୍ୱ ନ ଦେଇ ଗିରଫ ସାମାଜିକର୍ମୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ ପୂର୍ବକ ସେମାନଙ୍କୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଗୃହବନ୍ଦୀ କରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ସେପ୍ଟେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave A Reply