ଆତଙ୍କବାଦୀ ସଂଗଠନରେ ମିଶିଲେ ଜାମ୍ମୁର ଏମ୍‍ବିଏ ଛାତ୍ର

0

ଜାମ୍ମୁ: ଜାମ୍ମୁର ଜଣେ ୨୯ ବର୍ଷୀୟ ଏମ୍‍ବିଏ ଛାତ୍ର ହିଜ୍‍ବୁଲ୍‍ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ତାଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେନା ବାହିନୀ ପକ୍ଷରୁ କୁହାଯାଇଛି।
ହାରୁନ୍‍ ଆବାସ୍‍ ୱାନି ନାମକ ଏହି ଛାତ୍ର ଏକେ ୪୭ ରାଇଫ୍‍ଲ ଧରିଥିବା ଏକ ଫଟୋ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହୋଇଥିଲା। ଡୋଡା ଜିଲା ନିବାସୀ ୱାନି ଶ୍ରୀ ମାତା ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟରୁ ଏମ୍‍ବିଏ ଡିଗ୍ରୀ ପାଇଛନ୍ତି। ସେ ଗତ ଶନିବାର ଆତଙ୍କବାଦୀ ସଂଗଠନରେ ମିଶିଥିବା ଜଣାପଡ଼ିଛି।
ଘରକୁ ଫେରି ଆସିବାକୁ ତାଙ୍କ ପରିବାର ପକ୍ଷରୁ ଏକ ଭିଡିଓ ମାଧ୍ୟମରେ ନିବେଦନ କରାଯାଇଛି। ୱାନିଙ୍କ ଜଣେ ସମ୍ପର୍କୀୟ ଉକ୍ତ ଭିଡିଓରେ କହିଛନ୍ତି ଯେ ‘ଆମର ଧନ ଆବଶ୍ୟକ ନାହିଁ କି ଜିହାଦ ହେବା ଦରକାର ନାହିଁ। ଆମେ ଶାନ୍ତି ଚାହୁଁ। ଘରେ ବାପା ମା’ ଅସୁସ୍ଥ ଅଛନ୍ତି। ଖୁବ୍‍ ଶୀଘ୍ର ଘରକୁ ଫେରି ଆସ। ତୋର ଫେରିବା ବାଟକୁ ଆମେ ଚାହିଁ ରହିଛୁ।’
ୱାନି କେଉଁ କାରଣରୁ ଆତଙ୍କବାଦୀ ସଂଗଠନରେ ମିଶିଲେ ତାହା ଜଣାପଡ଼ିନାହିଁ। ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଭଳି ଘଟଣା ଘଟିଛି। ଗତ ଜୁଲାଇ ୨୫ ତାରିଖରେ କାଶ୍ମୀରର ଆବିଦ୍‍ ହୁସେନ୍‍ ଭଟ୍ଟ ନାମକ ଜଣେ ଶିକ୍ଷିତ ଯୁବକ ଆତଙ୍କବାଦୀ ସଂଗଠନ ଲସ୍କର – ଏ- ତୋଇବାରେ ଯୋଗ ଦେଇଥିଲେ। କିଛି ଦିନ ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ସେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

Leave A Reply