www.samajalive.in
Monday, December 15, 2025
16.1 C
Bhubaneswar

ଦୁଇଦିନ ଧରି ଲଗାଣ ବର୍ଷା, ଫୁଲୁଛି ମହାନଦୀ, ଚିନ୍ତାରେ ନଦୀକୂଳିଆ ବାସୀନ୍ଦା

ବୌଦ୍ଧ: ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ବୌଦ୍ଧଜିଲାରେ ସବୁ ପରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଉପରମୁଣ୍ଡରେ ମଧ୍ୟ ବର୍ଷା ଲାଗିରହିଥିବାରୁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ୧୪ ତାରିଖ ସକାଳ ସୁଦ୍ଧା ବୌଦ୍ଧରେ ୨୬୨ ମିଲିମିଟର ବର୍ଷା ହୋଇଥିବାବେଳେ କଣ୍ଟାମାଳରେ ୨୩୨ ମି.ମି ଓ ହରଭଙ୍ଗାରେ ୧୯୪ ମି.ମି ବର୍ଷା ହୋଇଛି। ଜିଲାରେ ସମୁଦାୟ ୬୮୮ ମି.ମି ବର୍ଷା ରେକର୍ଡ କରାଯାଇଥିବାବେଳେ ସେପ୍ଟେମ୍ବର ମାସରେ ଏହି ପରିମାଣର ବର୍ଷା ସର୍ବକାଳୀନ ରେକର୍ଡ ବୋଲି ଜଣାଯାଇଛି। ଲଗାଣବର୍ଷା ଯୋଗୁଁ ହାତୀ ନଦୀ,ତେଲନଦୀ,ବାଘ ଓ ସାଲୁଙ୍ଖୀ ନଦୀରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଗତକାଲି ବିପଦ ସଙ୍କେତ ଠାରୁ ୪ ମିଟର ତଳେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଆଜି ଏହାର ବ୍ୟବଧାନ କମ ହୋଇ ମାତ୍ର ୨ ମିଟର ତଳେ ପ୍ରବାହିତ ହେଉଥିବା ଜଣାପଡିଛି। ତେବେ ବର୍ଷାର ପରିମାଣ ନକମିଲେ ବନ୍ୟା ନିଶ୍ଚିତ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଜିଲାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ନାଳରେ ଜଳପ୍ରବାହ ବୃଦ୍ଧି ପାଇବା ସହିତ ଅନେକ ଗୁଡିଏ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

ମିଳିଥିବା ସୂଚନା ମୁ୍‍ତାବକ କଣ୍ଟାମାଳ ବ୍ଲକର ମାଣ୍ଡିଆଜୋର ରେଗଡୋଲ ରାସ୍ତା ଉପରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତର ଗୋହିରା ନାଳ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଅଛି। ସେହିପରି ବୌଦ୍ଧ ବ୍ଲକର ବାଉଁଶୁଣୀ ଓ ଗୁନ୍ଦୁଳିଆ ମଧ୍ୟରେ ଜମ୍ବୁନାଳରେ ୫ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ହରଭଙ୍ଗା ବ୍ଲକର ଜଗନ୍ନାଥ ସଡକରେ ମଧ୍ୟ ଯୋଗଯୋଗ ବିଛିନ୍ନ ହୋଇଯାଇଛି। ତେବେ ଏହିଭଳି ପରିସ୍ଥିତିରେ ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ନେଇ ନଦୀକୂଳିଆ ଲୋକମାନେ ଚିନ୍ତିତ ହୋଇପଡିଛନ୍ତି। ପ୍ରତିବର୍ଷ ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ବନ୍ୟା ଆଶଙ୍କା ରହିଥିବାବେଳେ ନଦୀକୂଳରେ ରହୁଥିବା ପରିବାରମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବାବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ବନ୍ୟା ବିଭୀଷିକା ସୃଷ୍ଟି କରିବାରେ ମୁଖ୍ୟ କାରଣ ହୋଇଥାଏ।

- Advertisement -

୧୯୮୨ର ପ୍ରଳୟଙ୍କାରୀ ବନ୍ୟାରେ ସାଲୁଙ୍ଖି ନଦୀରେ ଭୀଷଣ ବନ୍ୟାଜଳ ବୌଦ୍ଧଜିଲାରେ ବିଭୀଷିକା ସୃଷ୍ଟି କରିଥିଲା। ସେହିପରି ୨୦୦୦ ମସିହା ପରଠାରୁ ପ୍ରତିବର୍ଷ ତେଲନଦୀର ବନ୍ୟାଜଳ ତଳମୁଣ୍ଡକୁ ବିପଦ ସୃଷ୍ଟି କରିଆସିଛି। ତେବେ ପ୍ରତିବର୍ଷ ବନ୍ୟାରେ ନଦୀ କୂଳ ଖାଇ ଚାଲିଥିବାବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁଁ ମୌସୁମୀ ପୂର୍ବରୁହିଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ତେଲନଦୀ ମହାଁଣରେ ସୁବର୍ଣ୍ଣପୁର ସହରର ସୁରକ୍ଷା ପାଇଁ ନଦୀକୂଳରେ ପଥରପେଚିଂ ଓ ରାସ୍ତା ତିଆରି ହୋଇଥିବାବଳେ ଏହା ମନମୁଣ୍ଡାବାସୀଙ୍କ ପାଇଁ ବିପଦର କାରଣ ପାଲଟିଲାଣି। ମନମୁଣ୍ଡା ପଟେ ମଧ୍ୟ ତେଲନଦୀ କୂଳରେ ପଥର ପେଚିଂ ସହ ନଦୀ କୂଳର ଉପଯୁକ୍ତ ସୁରକ୍ଷା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି। ବୌଦ୍ଧଜିଲାରେ ମନମୁଣ୍ଡା ଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ମହାନଦୀ କୂଳେ କୂଳେ ୧୦ ହଜାର ରୁ ଊର୍ଦ୍ଧ୍ବ ପରିବାର ନଦୀକୂଳରେ ଘର କରି ରହୁଥିବାବେଳେ ଅନେକ ସ୍ଥାନରେ ବନ୍ୟା ପାଣି ପଶି ପ୍ରତିବର୍ଷ କ୍ଷୟକ୍ଷତି କରୁଅଛି। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାଚିଂ ସହିତ ବୃକ୍ଷ ରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜ କଲମରେ ରହିଯାଉଛି।

ସରକାର ନଦୀବନ୍ଧ ର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଜିଲାରେ ଏହି ଯୋଜନା ହଜିଗଲାଣି। ସେହିପରି ବୌଦ୍ଧ ସହରର ମହାନଦୀ କୂଳେ କୂଳେ ଏକ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଅନେକ ସ୍ଥାନରେ ବେସରକାରୀ ଜମି ପଡୁଥିବାରୁ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଏହି ଅର୍ଥରୁ କିଛି ଖର୍ଚ୍ଚ କରି ବଳକା ଅର୍ଥକୁ ସରକାରଙ୍କୁ ଫେରାଇଦିଆଗଲା। ସେତେବେଳେ ଏହି ଅର୍ଥ ଫେରାଇଦିଆଗଲେ ଅଧିକ ଅର୍ଥ ଅନୁମୋଦନ ହୋଇ ଆସିବ ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିବାବେଳେ ଏପର୍ଯ୍ୟନ୍ତ ନୂତନ ଅନୁଦାନ ମଂଜୁର ହୋଇନାହିଁ। ସହରର ଲୋକମାନେ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟଜଳ ପାଇଁ ଡହଳ ବିକଳ ହେଉଥିବାବେଳେ ବର୍ଷାରେ ବନ୍ୟା ଆଶଙ୍କାରେ ରହୁଛନ୍ତି। ତେଣୁ ବୌଦ୍ଧ ସହର ସମେତ ଜିଲ୍ଲାର ଜନବସତି ରହିଥିବା ନଦୀକୂଳ ଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ନଦୀ କୂଳେ କୂଳେ ଏକ ରିଙ୍ଗବନ୍ଧ ନିର୍ମାଣ ପାଇଁ ସାଧାରଣରେ ମତପ୍ରକାଶ ପାଉଅଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories