ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ରୋନାଲଡୋ, ସାଲାହ୍‍ ଓ ମୋଡ୍ରିକ

0

ଲଣ୍ଡନ : ଚଳିତବର୍ଷର ଶ୍ରେଷ୍ଠ ଫୁଟବଲ ଖେଳାଳିଭାବେ ଫିଫା ପୁରସ୍କାର ପାଇଁ ତିନିଜଣ ଖେଳାଳିଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଏମାନେ ହେଲେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋ, ଇଜିପ୍ଟର ମହମ୍ମଦ ସଲାହ୍‍ ଓ କ୍ରୋଏସିଆର ଲୁକା ମୋଡ୍ରିକ। ତେବେ ବିଗତ ଦଶନ୍ଧିରେ ସର୍ବାଧିକ ପାଞ୍ଚଥର ଏହି ପୁରସ୍କାର ଜିତିଥିବା ଆର୍ଜେଣ୍ଟିନାର ତାରକା ଫରୱାର୍ଡ ଲିଓନେଲ ମେସି ଏଥର ତାଲିକାରୁ ବାଦପଡିଛନ୍ତି। କ୍ରମାଗତ ଏଗାର ବର୍ଷ ଧରି ଏହି ପୁରସ୍କାରର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଆସୁଥିବା ମେସିଙ୍କ ବାଦପଡିବା ଘଟଣା ତାଙ୍କ ସମର୍ଥକଙ୍କୁ ନିରାଶ କରିଛି। ରିଏଲ ମାଦ୍ରିଦରୁ ନିକଟରେ ଇଟାଲୀର ଜୁଭେଣ୍ଟସ କ୍ଲବକୁ ସ୍ଥାନାନ୍ତରିତ ହୋଇଥିବା ରୋନାଲଡୋ ପୂର୍ବରୁ ପାଞ୍ଚଥର ଏହି ପୁରସ୍କାର ଲାଭ କରିସାରିଥିବାବେଳେ ଉଭୟ ସଲାହ୍‍ ଓ ମୋଡ୍ରିକ ପ୍ରଥମ ଥର ପାଇଁ ଦୌଡରେ ସାମିଲ ହୋଇଛନ୍ତି।
୨୬ ବର୍ଷୀୟ ସଲାହ୍‍ ଇଂଲଣ୍ଡର ଲିଭରପୁଲ କ୍ଲବକୁ ପ୍ରତିନିଧିତ୍ୱ କରୁଥିବାବେଳେ ଚଳିତବର୍ଷ ଇପିଏଲ (ଇଂଲିଶ ପ୍ରିମିୟର ଲିଗ୍‍)ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚଳିତବର୍ଷ ରୁଷିଆରେ ଅନୁଷ୍ଠିତ ଫିଫା ବିଶ୍ୱକପରେ ଫୁଟବଲପ୍ରେମୀ ସଲାହ୍‍ଙ୍କଠାରୁ ବହୁତ କିଛି ଆଶା ରଖିଥିଲେ। ତେବେ ସଲାହ୍‍ ଆହତ ହୋଇଥିବା କାରଣରୁ ବିଶ୍ୱକପରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ଅପରପକ୍ଷରେ ୩୨ ବର୍ଷୀୟ ଲୁକା ମୋଡ୍ରିକ ୨୦୧୨ରୁ ରିଏଲ ମାଦ୍ରିଦ କ୍ଲବକୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ଚଳିତବର୍ଷ ବିଶ୍ୱକପରେ କ୍ରୋଏସିଆକୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ମୋଡ୍ରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଶ୍ରେଷ୍ଠ ଖେଳାଳିଭାବେ ‘ସୁନା ବଲ’ ପୁରସ୍କାର ହାସଲ କରିଥିଲେ। ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଁ ଥିବାଓ କୋର୍ଟୋଆ (ବେଲଜିୟମ), ହ୍ୟୁଗୋ ଲୋରିସ (ଫ୍ରାନ୍‍ସ) ଓ କାସ୍‍ପର ସ୍କିମିକେଲ (ଡେନମାର୍କ)ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।
ଚଳିତବର୍ଷର ଶ୍ରେଷ୍ଠ ମହିଳା ଫୁଟବଲ ଖେଳାଳି ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ନରୱେର ଆଦା ହେଗରବର୍ଗ, ଜର୍ମାନୀର ଜେନିଫର ମାରୋସଜାନ୍‍ ଓ ବ୍ରାଜିଲର ମାର୍ତା ଭିଏରା ଡା’ ସିଲ୍‍ଭା ସ୍ଥାନ ପାଇଛନ୍ତି। ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଁ ଫ୍ରାନ୍‍ସର ବିଶ୍ୱକପ ବିଜେତା ଦଳର ପ୍ରଶିକ୍ଷକ ଡିଡିୟର ଡେସ୍‍ଚାମ୍ପ୍‍ସ, କ୍ରୋଏସିଆର ଜ୍ଲାଟ୍‍କୋ ଡାଲିକ୍‍ ଓ ରିଏଲ ମାଦ୍ରିଦର ପୂର୍ବତନ ପ୍ରଶିକ୍ଷକ ଜିନାଡିନ ଜିଡାନଙ୍କୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି।

Leave A Reply