ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ତଥା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଉତ୍ତର ଓଡ଼ିଶା ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏଭଳି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି ଓ ଗଞ୍ଜାମ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଓ ବୌଦ୍ଧ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସ୍ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ଜିଲାସ୍ତରୀୟ ହାରାହାରି ବର୍ଷା ତଥ୍ୟାନୁଯାୟୀ, ଅଗଷ୍ଟ ୨୭ ସକାଳ ସାଢେ ୮ଟା ସୁଦ୍ଧା ରାଜ୍ୟରେ ହାରାହାରି ୧୩.୨ ମିମି ବର୍ଷା ରେକର୍ଡ କରାଯାଇଛି। କଟକରେ ୪୭.୨ ମିମି, ଜଗତସିଂହପୁରରେ ୪୧.୬ ମିମି ଓ ଖୋର୍ଦ୍ଧାରେ ୨୯.୫ମିମି ବର୍ଷା ହୋଇଛି। ସାଲେପୁର ବ୍ଲକରେ ସବୁଠୁ ଅଧିକ ବର୍ଷା ୧୨୦ ମିମି ରେକର୍ଡ କରାଯାଇଛି। ମୌସୁମି ଜନିତ ବର୍ଷା ଜୁନ୍ ପହିଲାରୁ ଏଯାବତ୍ ୬ ଜିଲାରେ ସ୍ବାଭାବିକ, ୧୬ ଜିଲାରେ ନିଅଣ୍ଟିଆ ଏବଂ ୮ ଜିଲାରେ ଅତି ଅଭାବୀ ବର୍ଷା ହୋଇଛି।



