www.samajalive.in
Tuesday, December 9, 2025
16.1 C
Bhubaneswar

ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗ : ଜୋର ଧରୁଛି ଦାବି, ଏକ ହେଉଛନ୍ତି ଲୋକେ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ସୁନ୍ଦରଗଡ଼ କାହିଁକି ସମଗ୍ର ପଶ୍ଚିମାଞ୍ଚଳରେ ଦାବି ଜୋର ଧରିବାରେ ଲାଗିଛି। ଏପରିକି ସୁନ୍ଦରଗଡ଼ ସମେତ ଆଖପାଖ ଜିଲାରେ ମଧ୍ୟ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ସହମତି ପ୍ରକାଶ ପାଇବା ସହ ନିଜ ନିଜ ସ୍ତରରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରୁଥିବାର ଜଣାପଡ଼ିଛି ।ବୁଧବାର ସମ୍ବଲପୁର ସମଲେଇ ମନ୍ଦିରଠାରେ ଏକ ଦସ୍ତଖତ ଅଭିଯାନ ହୋଇଥିବା ବେଳେ ଗୁରୁବାର ପୁଣି ସୁନ୍ଦରଗଡ଼ ପ୍ରଗତି ମଣ୍ଡପଠାରେ ଜଣାଶୁଣା ଡାକ୍ତର ଦିଲୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସର୍ବଦଳୀୟ ବୈଠକରେ ସହରର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ବ୍ୟବସାୟିକ ସଂଗଠନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସର ଆବଶ୍ୟକତା ଓ ଏହାକୁ ହାସଲ କରିବା ପାଇଁ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ହୋଇଛି। ସର୍ବଦଳୀୟ ବୈଠକର ଆବଶ୍ୟକତା ରହିଛି ବୋଲି ଜିଲା ଓକିଲ ସଂଘର ସଭାପତି ସୁକାନ୍ତ କୁମାର ମହାପାତ୍ର, ସୁନ୍ଦରଗଡ଼ ବିକାଶ ଫୋରମର ସଂଯୋଜକ ଦିଲୀପ କୁମାର ପଟେଲ, ପୂର୍ବତନ ପୌରାଧ୍ୟକ୍ଷ ରାଜକିଶୋର ଷଡ଼ଙ୍ଗୀ, ବେଣୁଧର ତାଣ୍ଡିଆ, ଉର୍ମିଲା ବାଗ, ବରିଷ୍ଠ ନାଗରିକ କମିଟିର ସଭାପତି ଡଃ.ହିମାଂଶୁ ଶେଖର ଗୁରୁ, ସୁନ୍ଦରଗଡ଼ ନାଗରିକ କମିଟିର କାର୍ଯ୍ୟକାରୀ ସଭାପତି ସିଦ୍ଧାନ୍ତ କୁମାର ପଣ୍ଡା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିଆଇଆରଟିଡିର ଅଧ୍ୟକ୍ଷ ନଟକିଶୋର ମିଶ୍ର ପ୍ରମୁଖଙ୍କ ଦସ୍ତଖତରେ ଏକ ଚିଠି ସମସ୍ତଙ୍କୁ ପ୍ରଦାନ କରାଯାଇ ବୈଠକରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଥିଲା।

ଏହି ବୈଠକରେ ସହରର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜ ମତାମତ ଦେବା ସହ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି ସୁନ୍ଦରଗଡ଼ ନାଗରିକ କମିଟି ଅତିଶୀଘ୍ର ପଶ୍ଚିମାଞ୍ଚଳର ସମସ୍ତ ବିଧାୟକ, ସାଂସଦଙ୍କୁ ନେଇ ଆଗାମୀ ବିଧାନସଭା ଓ ଲୋକସଭା ଅଧିବେଶନରେ ସୁନ୍ଦରଗଡ଼ଠାରେ ଏମ୍ସ ସ୍ଥାପନ ପାଇଁ ଦାବି ଉପସ୍ଥାପନ କରିବା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା, ଅଧିବେଶନରେ ସଂକଳ୍ପ ପାରିତ କରିବା ଉପରେ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିବାର ଜଣାପଡ଼ିଛି। ସୂଚନା ଯୋଗ୍ୟ, ରାଜ୍ୟ ସରକାର ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ବେଳେ କେନ୍ଦ୍ର ସରକାର କେବଳ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ପଠାଇ ଭିତ୍ତିଭୂମିର ଆକଳନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଫେରିଯାଇଥିଲେ ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ସମୟରେ କୌଣସି ସ୍ପଷ୍ଟୀକରଣ ବା ସୂଚନା ଦିଆଯାଇନଥିବା ବେଳେ ରାଜ୍ୟ ସରକାର ମଧ୍ୟ ତରବରିଆ ଭାବେ ନିର୍ମାଣ ହୋଇଥିବା ଏନଟିପିସିର ହସ୍ପିଟାଲ ଓ ମେଡିକାଲ କଲେଜରେ ସରକାରୀ ହସ୍ପିଟାଲ ଖୋଲିବା ପାଇଁ ଏକ ନିର୍ଦ୍ଦେଶନାମା ଜିଲା ପ୍ରଶାସନକୁ ପଠାଇଥିଲେ। ଫଳରେ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ନେଇ ଅନିଶ୍ଚିତତା ଦେଖାଦେବାରୁ ସୁନ୍ଦରଗଡ଼ ସମେତ ଆଖପାଖ ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୂର୍ବରୁ ନାଗରିକ କମିଟିର ଏକାଧିକ ବୈଠକ ବସି ଏମ୍ସ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିବା ବେଳେ କଂଗ୍ରେସ ଦଳ ମଧ୍ୟ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସଚେତ କରାଇଥିବାର ଜଣାପଡ଼ିଛି। ଉଲ୍ଲେଖ ଯୋଗ୍ୟ, କେଇ ବର୍ଷ ପୂର୍ବରୁ ସୁନ୍ଦରଗଡ଼ରେ ମାତୃ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା ନେଇ ଯେଭଳି ଗଣଆନ୍ଦୋଳନ ଗଡ଼ି ଉଠିଥିଲା ଠିକ ଅନୁରୂପ ଭାବେ ଆନ୍ଦୋଳନ କରି ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା କରିବା ଉଚିତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଖୁବଶୀଘ୍ର ଏମ୍ସ ପ୍ରତିଷ୍ଠା ନେଇ ତୀବ୍ର ଆନ୍ଦୋଳନ କରାଯିବା ପାଇଁ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଏକ ହୋଇ ଦାବି ହାସଲରେ ସହାୟକ ହେବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବାର ଜଣାପଡ଼ିଛି। ଉକ୍ତ ବୈଠକରେ ସଦର ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂ, ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ ମାଝୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ସୁନ୍ଦରଗଡ଼ ନାଗରିକ କମିଟିର ସଂପାଦକ ଧର୍ମେଶ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories