ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର ପଞ୍ଚାୟତର ଗଦାଧରପୁର ଗ୍ରାମରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ସଂଯୋଜନା କରି ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ କର୍ଣ୍ଣିଆ ଜନିତ ଦୃଷ୍ଟିହୀନତା ଏକ ସାଧାରଣ ଦୃଷ୍ଟିଶକ୍ତି ସମସ୍ୟା ଏବଂ ଅନ୍ଧତ୍ୱର ଦ୍ୱିତୀୟ ମୁଖ୍ୟ କାରଣ, ଯାହାକି ମୁଖ୍ୟତଃ ଶିଶୁ ଓ ଯୁବବର୍ଗଙ୍କଠାରେ ଦେଖା ଯାଇଥାଏ ବୋଲି ସୂଚନା ଦେଇଥିଲେ। ପ୍ରତିବର୍ଷ ଆମ ଦେଶରେ ୨୦ହଜାରରୁ ଉର୍ଦ୍ଧ ବ୍ୟକ୍ତି ଏହି ପ୍ରକାରର ଦୃଷ୍ଟିହୀନତାର ଶିକାର ହୋଇଥାନ୍ତି। ଚକ୍ଷୁଦାନ ଦ୍ୱାରା ଏହି ପ୍ରକାରର ଦୃଷ୍ଟିହୀନ ବ୍ୟକ୍ତିଙ୍କ ଜୀବନକୁ ଆଉଥରେ ଆଲୋକିତ କରାଯାଇପାରିବ ବୋଲି ଶ୍ରୀ ଅସଲମ ମତବ୍ୟକ୍ତି କରିଥିଲେ। କୌଣସି ବ୍ୟକ୍ତି ଜୀବନକାଳ ମଧ୍ୟରେ ଯେ କୌଣସି ସମୟରେ ସ୍ୱଇଚ୍ଛାରେ ଚକ୍ଷୁଦାନ ପାଇଁ ସମ୍ମତି ଦେଇପାରିବେ। ଏହାଛଡ ଚକ୍ଷୁଦାନ ସମ୍ମତିପତ୍ରରେ ସ୍ୱାକ୍ଷର ନଥିଲେ ମଧ୍ୟ ନିକଟ ସଂପର୍କୀୟଙ୍କ ସମ୍ମତି କ୍ରମେ ଚକ୍ଷୁଦାନ କରାଯାଇପାରିବ। ମୃତ ଶରୀରରୁ ଚକ୍ଷୁର ସ୍ୱେତପଟଳ ବା କର୍ଣ୍ଣିଆ ସଂଗ୍ରହ କରିବା ପାଇଁ ମାତ୍ର ୧୦-୧୫ମିନିଟ ଲାଗିଥାଏ ଏବଂ ଏହା ଦ୍ୱାରା ମୁଖମଣ୍ଡଳ ବିକୃତ ହୋଇନଥାଏ। ଜଣେ ବ୍ୟକ୍ତିଙ୍କ ଚକ୍ଷୁଦାନ ଦ୍ୱାରା ୨ଜଣ ବ୍ୟକ୍ତିଙ୍କର ଅନ୍ଧତ୍ୱ ଦୂରୀଭୂତ ହୋଇଥାଏ କିନ୍ତୁ କୌଣସି ପରିସ୍ଥିତିରେ ଚକ୍ଷୁ ବିକ୍ରି କିମ୍ବା କ୍ରୟ କରାଯାଇପାରିବ ନାହିଁ। ଲୋକେ ଚକ୍ଷୁ ବ୍ୟାଙ୍କ ସହିତ ଯୋଗାଯୋଗ କରି ମୃତ୍ୟୁପୂର୍ବରୁ ଚକ୍ଷୁଦାନ ପାଇଁ ପଞ୍ଜିକରଣ କରି ସମ୍ମତିପତ୍ରରେ ଦସ୍ତଖତ କରିପାରିବେ। ମୃତ୍ୟୁର ୪-୬ଘଣ୍ଟା ମଧ୍ୟରେ ଚକ୍ଷୁଦାନ କରାଯାଇପାରିବ। ଚକ୍ଷୁଦାନ ଏବଂ ଚକ୍ଷୁ ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ପାଇଁ ୧୯୧୯ଦେୟମୁକ୍ତ ଟେଲିଫୋନ ନମ୍ବରରେ ଯୋଗାଯୋଗ କରି ନିଜର ସମସ୍ୟା ଦୂର କରିପାରିବେ ବୋଲି ଶ୍ରୀ ଅସଲମ କହିଥିଲେ। ପ୍ରତିବର୍ଷ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୫ ଯାଏଁ ଜାତୀୟ ଚକ୍ଷୁଦାନ ପକ୍ଷ ପାଳନ କରାଯାଇଥାଏ। ଏ ବର୍ଷର ବାର୍ତ୍ତା ‘ଆଖିଟିଏ ଦେଇ ଦୃଷ୍ଟିହୀନ ପାଇଁ ଯୋଗାଅ ନୂଆ ଜୀବନ, ମଲାପରେ ଅବା ନିଷ୍ପ୍ରାଣ ଆଖିରେ କିବା ଆଉ ପ୍ରୟୋଜନ’ ରହିଥିବା ଶ୍ରୀ ଅସଲମ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁ, ଗାଁ କଲ୍ୟାଣ ସମିତି ଅଧ୍ୟକ୍ଷ ଗୋପାଳ ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଗାଁ ପରିକ୍ରମା କରିଥିବା ଏକ ଶୋଭାଯାତ୍ରାରେ ଯୋଗଦେଇ ସଚେତନତା ସୃଷ୍ଟି କରିଥିଲେ।
Popular Categories



