www.samajalive.in
Tuesday, December 9, 2025
15.1 C
Bhubaneswar

ରୁଟ୍‌ଙ୍କ କ୍ରମାଗତ ୩ୟ ଶତକ ; ଦୃଢ଼ ସ୍ଥିତିରେ ଇଂଲଣ୍ଡ

ହେଡିଂଲି : ଭାରତୀୟ ବୋଲିଂ ସହ ତାଙ୍କର ମଧୁର ସମ୍ପର୍କ ଜାରି ରଖିଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍‌ । ଭାରତ ବିପକ୍ଷରେ ଘରୋଇ ଶୃଙ୍ଖଳାର କ୍ରମାଗତ ୩ୟ ଟେଷ୍ଟରେ ରୁଟ୍‌ ୩ୟ ଶତକ ଅର୍ଜନ କରିଛନ୍ତି। ଫଳରେ ଚଳିତ ମ୍ୟାଚ୍‌ ଉପରେ ଇଂଲଣ୍ଡର କବ୍‌ଜା ମଜ୍‌ଭୁତ ହେବାରେ ଲାଗିଛି । ପ୍ରଥମ ଦିନରେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନ୍‌ରେ ଅଲ୍ଆଉଟ ହେବା ପରେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍ ଚମତ୍କାର ବ୍ୟାଟିଂକରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି। ଇଂଲଣ୍ଡର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ଅର୍ଦ୍ଧଶତକ ମାରିଥିବା ବେଳେ ୪ନଂ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ ଶତକ ମାରିଛନ୍ତି। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩ ଶହରୁ ଅଧିକ ରନ୍‌ରେ ଆଗୁଆ ହୋଇଯାଇଛି। ଏପରି ସ୍ଥିତିରୁ ମ୍ୟାଚ୍‌ ବଞ୍ଚାଇବାକୁ ହେଲେ ଭାରତକୁ କିଛି ଚମତ୍କାର କରିବାକୁ ପଡ଼ିବ। ଗୁରୁବାର ୨ୟ ଦିନରେ ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଇଂଲଣ୍ଡ ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୨୩ ରନ୍‌ ପାରିଛି। ଫଳରେ ହାତରେ୨ ୱିକେଟ ବାକିଥାଇ ଇଂଲଣ୍ଡ ଏବେ ୩୪୫ ରନ୍‌ ଆଗରେ ରହିଛି।
ପ୍ରଥମ ଦିନରେ ଇଂଲଣ୍ଡ ପ୍ରଥମ ଇନିଂସରେ କୌଣସି ୱିକେଟ ନ ହରାଇ ୧୨୦ ରନ୍ କରିଥିଲା। ଇଂଲଣ୍ଡର ୨ ଓପ୍‌ନର ହସିବ୍ ହମିଦ୍ ଓ ରୋରି ବର୍ନସ ଗୁରୁବାର ଭୋଜନ ବିରତି ପୂର୍ବରୁ ଆଉଟ ହୋଇଥିଲେ। ଦୁହେଁ ଓପ୍‌ନିଂ ଯୋଡ଼ିରେ ୧୩୫ ରନ୍‌କରି ବିଶାଳ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ବାମହାତି ବର୍ନସ ଗୋଟିଏ ଛକା ଓ ୬ଟି ଚୌକା ସହ ୬୧ ରନ୍‌କରି ଆଉଟ ହୋଇଥିଲେ। ଜୀବନର ପ୍ରଥମ ଅର୍ଦ୍ଧଶତକ ମାରିଥିବା ହସିବ୍ ହମିଦ୍‌ ୧୨ଟି ଚୌକା ସହ ୬୮ ରନ୍‌କରି ବିଦାୟ ନେଇଥିଲେ। ୧୫୯ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଡାୱିଡ୍‌ ମଲାନ୍ ଓ ଅଧିନାୟକ ଜୋ ରୁଟ୍‌ ୩ୟ ୱିକେଟ ପାଇଁ ୧୩୯ ରନ୍‌ର ଭାଗିଦାରୀ କରିଥିଲେ। ଟି୨୦ କ୍ରିକେଟ୍‌ରେ ବିଶ୍ବର ୧ନଂ ବ୍ୟାଟ୍‌ସମ୍ୟାନ ମଲାନ୍ ବହୁତ ଦିନ ପରେ ଟେଷ୍ଟମ୍ୟାଚ୍‌ ଖେଳିଥିଲେ ହେଁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ବାମହାତି ମଲାନ୍ କିଛି ଦର୍ଶନୀୟ ସଟ୍‌ ଖେଳି ୧୨୮ ବଲ୍‌ରୁ ୧୧ଟି ଚୌକା ସହ ୭୦ ରନ୍‌କରି ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ରୁଟ୍‌ ଓ ଜନି ବେୟାରଷ୍ଟୋ ୫୨ ରନ୍‌ ଯୋଡ଼ିଥିଲେ। ପରେ ୩୩ ରନ୍‌ରେ ୪ଟି ୱିକେଟ ପଡ଼ି ଯାଇଥିଲା। ବେୟାରଷ୍ଟୋ ଗୋଟିଏ ଛକା ଓ ୪ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। କ୍ରମାଗତ ୩ୟ ଶତକ ମାରିଥିବା ଜୋ ରୁଟ୍‌ ପୁଣିଥରେ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ। ୨୩ଶ ଟେଷ୍ଟ ଶତକ ହାସଲ କରିଥିବା ରୁଟ୍‌ ୧୪ଟି ଚୌକା ସହ ୧୨୧ ରନ୍‌କରି ଆଉଟ ହୋଇଥିଲେ। ଜୋସ୍ ବଟ୍‌ଲର ୭ ଓ ମୋଇନ୍ ଅଲୀ ୮ ରନ୍ କରି ପାରିଥିଲେ। ସାମ୍ କରନ୍ ୧୫ ରନ କରି ଆଉଟ ହୋଇଥିଲେ। କ୍ରେଗ୍ ଓଭର୍ଟନ ୨୪ ଏବଂ ରବିନସନ କୌଣସି ରନ ନ କରି  ସଂଘର୍ଷ ଜାରି ରଖିଛନ୍ତି । ମହମ୍ମଦ ସାମି ୩ଟି, ରବୀନ୍ଦ୍ର ଜାଡ଼େଜା  ଏବଂ ମହମ୍ମଦ ସିରାଜ୍  ୨ଟି ଲେଖାଁଏ ଓ ଯଶପ୍ରୀତ ବୁମ୍‌ରା ଗୋଟିଏ ୱିକେଟ ନେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories