ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଦେଇ ବହି ଯାଇଥିବା ଦଳେଇ ଘାଇ ସଂଲଗ୍ନ ପଢିଆଭଙ୍ଗା ନାଳ ପରିସରରୁ ନିଖୋଜ ଥିବା ଦୁଇ ଚାଷୀଙ୍କ ମୃତ ଦେହ ସନ୍ଧିଗ୍ଧ ଅବସ୍ଥାରେ ନାଳ ପରିସରୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ଦୁଇ ଚାଷୀ ହେଲେ ଗୋଳନ୍ଥରା ଜେନା ସାହିର ସନାତନ ଜେନା(୫୫) ଓ ରାଜୁ ଗୌଡ(୪୦) ବୋଲି ଜଣାପଡିଛି । ଘଟଣା କ୍ରମରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ ଜମିରେ ପାଣିର ଅଭାବ ରହିବା ଯୋଗୁଁ ତଳି ପୋଡିବା ପରିସ୍ଥିତି ସୃଷ୍ଟି ଯୋଗୁଁ ରାତିରେ ଅନେକ ଚାଷୀ ନିଜ ଜମିକୁ ପାଣି ଆଣିବା ପାଇଁ କେନାଲକୁ ଯାଇ ସେଠାରୁ ରାସ୍ତା ବାହାର କରି ନିଜ ଜମିକୁ ପାଣି ମଡାଇବା ବ୍ୟବସ୍ଥା କରିଥାନ୍ତି। ଏହି କ୍ରମରେ ସନାତନ ଓ ରାଜୁ ମଧ୍ୟ ରାତି ୮ ଟାରେ ଘରୁ କୋଦାଳ, ଟର୍ଚ୍ଚ ଆଦି ଧରି ଦଳେଇ ଘାଇ ନିକଟକୁ ଯାଇ ଚାଷ ଜମିକୁ ପାଣି ମଡାଇ ଘରକୁ ଫେରିଥାନ୍ତେ। କିନ୍ତୁ ରାତି ଅନେକ ହେବା ପରେ ମଧ୍ୟ ସେମାନେ ଘରକୁ ନ ଫେରିବାରୁ ପରିବାର ବର୍ଗ ବ୍ୟତିବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ ଦୁହିଁଙ୍କ କୌଣସି ଖୋଜ ଖବର ମିଳି ପାରିନଥିଲା।

ଗୁରୁବାର ଅପରାହ୍ନ ୩ଟା ବେଳେ ଗୋଳନ୍ଥରା ଦେଇ ପ୍ରବାହିତ ହୋଇଥିବା ୧୦ ନଂ କେନାଲର ଦଳେଇ ଘାଇର ପଢିଆଭଙ୍ଗା ନାଳ ତଥା ନିଜ ଜମିର ୩ କିମି ଦୂରରେ ନାଳ ପରିସରରେ ମୁହଁ ମାଡି ଉଭୟ ଲଦାଲଦି ହୋଇ ମୃତ ଅବସ୍ଥାରେ ପଡ଼ିଥିବା ଖବରପାଇ ପରିବାର ବର୍ଗ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଚିହ୍ନଟ କରିବା ସହ ଗୋଳନ୍ଥରା ଥାନାରେ ଘଟଣା ନେଇ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇ ଗୋଳନ୍ଥରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏହା ସହ ଏହି ଦୁଇ ଚାଷୀଙ୍କ କିପରି ସ୍ଥିତିରେ ମୃତ୍ୟୁ ଘଟିଲା ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟ ପଟେ ଜମିରେ ପାଣି ମଡାଇବାକୁ ନେଇ କାହା ସହ ଝଗଡା ଲାଗିବା ଯୋଗୁଁ ଆକ୍ରମଣ ରେ ମୃତ୍ୟୁ ଘଟିଛି ନା ଫସଲକୁ ବାରହା ଦାଉରୁ ରକ୍ଷା କରିବା ନିମନ୍ତେ ବିଛା ଯାଇଥିବା ବିଦ୍ୟୁତ ତାର ସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ଘଟିଛି ତାହା ସନ୍ଦେହ ଘେରରେ ରହିଛି । ଅନ୍ୟ ପଟେ ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରିବା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇଥିବା ଜଣାପଡିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ଉଭୟ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।



