www.samajalive.in
Wednesday, December 10, 2025
26.1 C
Bhubaneswar

ଆଗକୁ ବଡ଼ ପରୀକ୍ଷା

ସ୍ୱାଧୀନତା ପୂର୍ବରୁ ୧୯୧୪ ମସିହାରେ ମାଡ଼୍ରାସ ଉଚ୍ଚନ୍ୟାୟାଳୟ ବିଚାରପତି ସଦାଶିବ ଆୟାର ଏକ ମାମଲାର ରାୟରେ କହିଥିଲେ ଯେ, ‘ବ୍ରାହ୍ମଣଙ୍କ ଆକ୍ରୋଶମୂଳକ ମନୋଭାବ ଯୋଗୁଁ କ୍ଷତ୍ରିୟ ଓ ବୈଶ୍ୟ ବର୍ଣ୍ଣ ସମ୍ପ୍ରତି ଶୂଦ୍ର ସ୍ତରକୁ ଖସି ଆସିଛନ୍ତି’ା ଗୋପାଲ ମୁପାନ୍ନର ଓ ଅନ୍ୟାନ୍ୟ ବନାମ ସୁବ୍ରମଣ୍ୟମ୍‍ ଆୟାର ମାମଲାରେ ଜଷ୍ଟିସ୍‍ ଆୟାର ଏହି ମନ୍ତବ୍ୟ ଦେଇଥିଲେ। ତତ୍କାଳୀନ ବର୍ଣ୍ଣବାଦ ଭାରତବର୍ଷରେ ବର୍ଣ୍ଣଗତ ବୈଷମ୍ୟ ଯୋଗୁଁ ଯେଉଁ ଆର୍ଥିକ ଓ ସାମାଜିକ ଅସମାନତା ସୃଷ୍ଟି ହେଉଥିଲା ତାହା ହିଁ ବିଚାରପତିଙ୍କ ରାୟରେ ପ୍ରତିଫଳିତ ହୋଇଥିବା ପରି ମନେହୁଏ। ଏହି ଅବସ୍ଥାର ସମାଧାନ ପାଇଁ ସ୍ୱାଧୀନୋତ୍ତର ଭାରତବର୍ଷ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା। ଇତିମଧ୍ୟରେ ସ୍ୱାଧୀନ ରାଷ୍ଟ୍ରକୁ ୭୦ ବର୍ଷ ପୂରଣ ହୋଇ ସାରିଲାଣି, କିନ୍ତୁ ସମସ୍ୟାର ସମାଧାନ ହୋଇପାରି ନାହିଁ; ବରଂ ସଂରକ୍ଷଣ ବ୍ୟବସ୍ଥା କ୍ରମଶଃ ପରିବ୍ୟାପ୍ତ ହୋଇଚାଲିଛି।

ଆର୍ଥିକ ଅନଗ୍ରସରତା ଦୂର ପାଇଁ ଯେଉଁ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା ତାହା ଶିକ୍ଷା କ୍ଷେତ୍ରକୁ କ୍ରମଶଃ ବ୍ୟାପି ଚାଲିଲାଣି। ଏବେ ଏହା ଅତ୍ୟୁକ୍ତି ନୁହେଁ ଯେ, ଜଷ୍ଟିସ ଆୟାରଙ୍କ ଅନଗ୍ରସର ତାଲିକାରେ ବ୍ରାହ୍ମଣ ଯୋଡ଼ି ହୋଇଗଲେଣି। ଏ ପ୍ରକାର ପରିସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ମରାଠା ସଂରକ୍ଷଣକୁ ସର୍ବୋଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ଡାକ୍ତରୀ ପାଠ୍ୟକ୍ରମରେ ପଛୁଆ ବର୍ଗ (ଓବିସି) ପାଇଁ ୨୭% ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ପଛୁଆ ବର୍ଗ ଚିହ୍ନଟ ଦାୟିତ୍ୱ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରିବାକୁ ସମ୍ବିଧାନ ସଂଶୋଧନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ମରାଠା ସଂପ୍ରଦାୟ ସଂରକ୍ଷଣ ପ୍ରସଙ୍ଗରେ ପଛୁଆବର୍ଗ ଚିହ୍ନଟ ରାଷ୍ଟ୍ରପତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟସ୍ତ ରଖିଥିଲେ।

- Advertisement -

ଆର୍ଥିକ ସମାନତା ପାଇଁ ଅନୁସୂଚିତ ଜାତି (ଏସ୍‍ସି) ଓ ଜନଜାତି(ଏସ୍‍ଟି)ଙ୍କ ପାଇଁ ଆମ ସମ୍ବିଧାନରେ ସଂରକ୍ଷଣ ସୁଯୋଗ ରହିଛି; କିନ୍ତୁ ମୂଳ ସମ୍ବିଧାନରେ ଶିକ୍ଷାକ୍ଷେତ୍ର ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ରଖାଯାଇ ନ ଥିଲା। ଶିକ୍ଷାକୁ ସଂରକ୍ଷିତ କରାଗଲେ ମେଧା ବାଧାପ୍ରାପ୍ତ ହେବ ବୋଲି ବୋଧହୁଏ ସେ ସମୟରେ ସମ୍ବିଧାନ ପ୍ରଣେତାଗଣ ଅନୁଭବ କରିଥିଲେ। ତେବେ ୧୯୫୧ରେ ପ୍ରଥମ କରି ସମ୍ବିଧାନ ସଂଶୋଧନ ଆରମ୍ଭ ହୁଏ ଏବଂ ଏଇଠାରେ ଶିକ୍ଷାକୁ ସଂରକ୍ଷଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରି ଦିଆଗଲା। ଦୀର୍ଘ ୭୦ ବର୍ଷ ମଧ୍ୟରେ ଏସ୍‍ସି /ଏସ୍‍ଟି ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ସୁଯୋଗ ପାଇଁ ୮ ଥର ସମ୍ବିଧାନ ସଂଶୋଧନ ଓ ବିଧିପାଳିକାରେ ସଂରକ୍ଷଣ ନିମନ୍ତେ ୧୨ ଥର ସମ୍ବିଧାନ ସଂଶୋଧନ ହୋଇସାରିଲାଣି। ଉଦ୍ଦେଶ୍ୟ ସମାଜର ଅବହେଳିତ ବର୍ଗଙ୍କୁ ସମାନ ସୁଯୋଗ ପ୍ରଦାନ କରି ସମାଜର ମୁଖ୍ୟସ୍ରୋତକୁ ଆଣିବା। ଏସ୍‍ସି /ଏସ୍‍ଟି ବର୍ଗ ସଂରକ୍ଷଣ ପରେ ଆରମ୍ଭ ହେଲା ପଛୁଆ ବର୍ଗ ସଂରକ୍ଷଣ ବ୍ୟବସ୍ଥା। ଦଳିତ ଓ ପଛୁଆ ବର୍ଗଙ୍କୁ ନେଇ ରାଜନୀତି କରିବାର ଅଭିଳାଷ ଆଉ ଏକ ସଂରକ୍ଷଣ ବ୍ୟବସ୍ଥା ପାଇଁ ସୁଯୋଗ ସୃଷ୍ଟି ହେଲା ୧୯୯୦ରେ।

ମଣ୍ଡଳ କମିସନ ସୁପାରିସ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେ​‌େ​‌ଲ ପ୍ରଧାନମନ୍ତ୍ରୀ ଭି.ପି. ସିଂହ। ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ମୋରାରଜୀ ଦେଶାଇଙ୍କ ସରକାର ୧୯୭୯ରେ ଏକ କମିସନ ବସାଇଥିଲେ। ବି.ପି.ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିସନ ୧୯୮୦ରେ ନିଜ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ପାଇଁ ସୁପାରିସ କରାଯାଇଥିଲା। ୧୯୯୦ରେ ମଣ୍ଡଳ କମିସନ ରିପୋର୍ଟ କାର୍ଯ୍ୟକାରୀ କରି ଭି.ପି.ସିଂହ ସଂରକ୍ଷଣ ରାଜନୀତିର ଯେଉଁ ନୂଆ କୁହୁକ ପେଡ଼ିଟି ଖୋଲିଲେ ତଦ୍ଦ୍ବାରା ଦେଶରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହେଲା। ବହୁ ଛାତ୍ର ଆତ୍ମଦାହ କଲେ। ସର୍ବୋଚ୍ଚ ନ୍ୟାୟାଳୟ ସାମୟିକ ସୁପାରିସର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଥିଲେ ମଧ୍ୟ ପରେ ଏହାକୁ ମଞ୍ଜୁରୀ ଦେଇଥିଲେ। ୧୯୯୨ ମସିହାରୁ ଏହି ନୂଆ ସଂରକ୍ଷଣ କାର୍ଯ୍ୟକାରୀ ହେଲା। ଫଳରେ ସଂରକ୍ଷଣ ରାଜନୀତିର ଚକ୍ରଟି ଘୂର୍ଣ୍ଣାୟମାନ ଅବସ୍ଥାରେ ରହିଲା।

ମଣ୍ଡଳ କମିସନ ପଛୁଆ ବର୍ଗ ଚିହ୍ନଟ ପାଇଁ ମୁଖ୍ୟତଃ ଜାତି ଓ ସଂପ୍ରଦାୟକୁ ଗୁରୁତ୍ୱ ଦେଇଥିଲେ। ଏଥିରେ ଆୟ କମ୍‍ ଗୁରୁତ୍ୱ ପାଇଥିଲା। ଏହି କାରଣରୁ ଇତିମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡ଼ି ନେତା ତେଜସ୍ୱୀ ଯାଦବ, ମୁଶହାର ଦଳ ନେତା ଜିତନ ରାମ, ଖୁସ୍‍ୱା ଦଳ ନେତା ଉପେନ୍ଦ୍ର ଖୁସୱା ପ୍ରମୁଖ ଜାତିଭିତ୍ତିକ ଗଣନା ପାଇଁ ଦାବି ଉଠାଇବା ସହ ବିଭିନ୍ନ ଜାତିର ଜନସଂଖ୍ୟା ଅନୁଯାୟୀ ଆନୁପାତିକ ସଂରକ୍ଷଣ ବ୍ୟବସ୍ଥା ପାଇଁ ଦାବି ଉଠାଇଲେଣି। ଏକଦା ଦେଶର ସ୍ୱଚ୍ଛଳ ବର୍ଗ ଭାବେ ବିବେଚିତ ମରାଠୀ, ପଟେଲ, କାପୁ ଓ ଜାଠ ସଂପ୍ରଦାୟ ସଂରକ୍ଷଣ ଯୋଗୁଁ ବିଭିନ୍ନ କ୍ଷେତ୍ରରେ କୋଣଠେସା ହେଲା ପରେ ଏବେ ଜାତିଭିତ୍ତିକ ସମାନୁପାତିକ ସଂରକ୍ଷଣ ନୀତି ପାଇଁ ଦାବି ଉଠାଇଛନ୍ତି। ଏଥିରୁ ପ୍ରମାଣିତ ଯେ, ଦେଶର ସ୍ୱଚ୍ଛଳ ବର୍ଗ କ୍ରମଶଃ ଅସ୍ୱଚ୍ଛଳ ସ୍ତରକୁ ଆସିଗଲେଣି। ଏହା ମଧ୍ୟ ଆକଳନ କରାଗଲାଣି ଯେ, ୧୯୫୦ରେ ଅସ୍ୱଚ୍ଛଳ ବର୍ଗ ଜନସଂଖ୍ୟାର ଏକ ଚତୁର୍ଥାଂଶ ଥିବାବେଳେ ଏହା ଏବେ ଦୁଇ ତୃତୀୟାଂଶରେ ପହଞ୍ଚିଲାଣି।

ଅଧୁନା ବିଭିନ୍ନ ରାଜ୍ୟ ସରକାର ନିଜନିଜ ରାଜ୍ୟର ଅଧିକ ବର୍ଗଙ୍କୁ ସାମିଲ କରିବା ଫଳରେ ଦେଶରେ ସଂରକ୍ଷଣ ହାର ବୃଦ୍ଧି ପାଇ ଚାଲିଛି। ଇନ୍ଦର ସହ୍ୱାନେ ମାମଲାରେ ସୁପ୍ରିମକୋର୍ଟର ୯ ଜଣିଆ ଖଣ୍ଡପୀଠ ସଂରକ୍ଷଣ ସୀମା ୫୦%ରେ ସୀମିତ ରଖିଥିଲେ ମଧ୍ୟ ବହୁ କ୍ଷେତ୍ରରେ ଏହା ଧାର୍ଯ୍ୟ ସୀମା ଅତିକ୍ରମ କରିଯାଉଛି; ଫଳରେ ଅଦାଲତଙ୍କୁ ହସ୍ତକ୍ଷେପ କରିବା ପାଇଁ ପଡ଼ୁଛି। ଉଲ୍ଲେଖ ଆବଶ୍ୟକ ଯେ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୧୯୫୧ରେ ମାତ୍ର ୧୦ ବର୍ଷ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା। ୧୦ ବର୍ଷ ପରେ ଏହା ଉଚ୍ଛେଦ ନହୋଇ ବରଂ ସଂରକ୍ଷଣର ଏକାଧିକ ବର୍ଗ ସୃଷ୍ଟି ହେଲାଣି। ପ୍ରାଚୀନ ଜାତିପ୍ରଥା ବ୍ୟବସ୍ଥାରୁ ଏବେ ଅନେକ ଉପଜାତି, ସଂପ୍ରଦାୟ ଓ ଗୋଷ୍ଠୀର ଆବିର୍ଭାବ ଘଟିଲାଣି। ସଂରକ୍ଷଣରେ ନିଜ ଅଂଶ ପାଇଁ ଏମାନେ ଦାବି ଉଠାଇଲେଣି। ସଂରକ୍ଷଣ ସୀମା ୫୦%ରୁ ଅଧିକ ପାଇଁ ମଧ୍ୟ ରାଜ୍ୟ ସରକାରଗୁଡ଼ିକ କ୍ରମଶଃ ଦାବି କଲେଣି।

୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ଉଚ୍ଚବର୍ଗର ଦୁର୍ବଳ ଶ୍ରେଣୀ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣ ବ୍ୟବସ୍ଥା କରି ୧୨୪ତମ ସମ୍ବିଧାନ ସଂଶୋଧନ କଲେ। ଏହା ପୂର୍ବରୁ ପି.ଭି.ନରସିଂହ ରାଓ ସରକାର ମଧ୍ୟ ସମ୍ବିଧାନ ସଂଶୋଧନ ବ୍ୟତି‌େ‌ରକ ଆୟଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନେଇଥିଲେ। ୧୨୪ ତମ ସମ୍ବିଧାନ ସଂଶୋଧନରେ ଶିକ୍ଷାନୁଷ୍ଠାନରେ ଅତିରିକ୍ତ ଭାବେ ଆସନ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି। ସଂରକ୍ଷଣ ଭିତ୍ତିରେ ଡିଗ୍ରୀ ପ୍ରମାଣପତ୍ର ହସ୍ତଗତ କରି ବିଦ୍ୟାର୍ଥୀଗଣ ଦେଶ ଭିତରେ ନିଯୁକ୍ତି ପାଇଁ ଘୂରିବୁଲିବେ ବା ବିଦେଶ ଯିବେ। ପ୍ରତିଦ୍ୱନ୍ଦ୍ୱିତା ପାଇଁ ସରକାର ଗୋଟିଏ ପଟେ ଆହ୍ୱାନ ଦେଉଛନ୍ତି; କିନ୍ତୁ ଶିକ୍ଷାନୁଷ୍ଠାନ ଓ ଚାକିରୀରେ ପ୍ରତିଦ୍ୱନ୍ଦ୍ୱିତା କଥା ଉଠିଲେ ସରକାର ଦୋମୁହାଁ ନୀତି ଆପଣାଉଛନ୍ତି। ସଂରକ୍ଷଣ ନୀତି ଧରୁଛନ୍ତି। ଯୋଗ୍ୟତା ଉପେକ୍ଷିତ ହେଉଥିବାରୁ ଏନ୍‍ଆଇଟି ବା ଆଇଆଇଟିରୁ ଉତ୍ତୀର୍ଣ୍ଣ ସଂରକ୍ଷିତ ବର୍ଗ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ଘରୋଇ କଂପାନୀରେ ନିଯୁକ୍ତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସମର୍ଥ ହୋଇପାରୁ ନଥିବା ଦେଖାଯାଉଛି।

ସାଧାରଣତଃ ମେଧା ମଣିଷର ଏକ ଅନ୍ତର୍ନିହିତ ଗୁଣ। ସମସ୍ତଙ୍କ ମେଧା ଯେ ଏକାପରି ତାହା କୁହାଯାଇପାରିବ ନାହିଁ। ସେଥିପାଇଁ କିଛିକିଛି ବ୍ୟକ୍ତିଙ୍କୁ ମା’ ସରସ୍ୱତୀଙ୍କ ବରଦାନ ବୋଲି କୁହାଯାଇଥାଏ। ପରିସ୍ଥିତି ଓ ପରିବେଶ ମେଧାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହୋଇଥାଏ। ଏହା ମଧ୍ୟରେ ଆନୁଷ୍ଠାନିକ ଶିକ୍ଷା ଅନ୍ୟତମ। ଉପଯୁକ୍ତ ଉପାଦାନ ପାଇଲେ ମେଧା ନୂଆ ସର୍ଜନା ରଚନାରେ ସମର୍ଥ ହୋଇପାରିଥାଏ। ପ୍ରତିଦ୍ୱନ୍ଦ୍ୱିତା ପାଇଁ ସାମର୍ଥ୍ୟ ଜୁଟାଇଥାଏ। ସଂରକ୍ଷଣ ଦ୍ୱାରା ସାମର୍ଥ୍ୟ ବାଧାପ୍ରାପ୍ତ ହୋଇଥାଏ। ଆଗ୍ରହ ନଥାଇ ସୁଦ୍ଧା ସୁବିଧାରେ ମିଳୁଥିବା ସୁଯୋଗ କେହି ଛାଡ଼ିବା ପାଇଁ ଯେପରି ଚାହିଁନଥାନ୍ତି, ସାଂପ୍ରତିକ ସଂରକ୍ଷଣ ସୁବିଧା ହାତଛଡ଼ା କରିବା ପାଇଁ କେହି ରାଜି ନୁହନ୍ତି। ସଂରକ୍ଷଣ ସଂପ୍ରତି ଏକ ପ୍ରଲୋଭନରେ ରୂପାନ୍ତରିତ ହୋଇଥିବା ମନେ କରାଯାଉଛି। ମୂଳ ସମ୍ବିଧାନ ଅନୁଯାୟୀ ଶିକ୍ଷାନୁଷ୍ଠାନ ସଂରକ୍ଷଣମୁକ୍ତ ହେବା ଉଚିତ୍‍। ଏଥିସହ ସଂରକ୍ଷଣ ସୁବିଧା ଏକକାଳୀନ ହେବା ଆବଶ୍ୟକ। ଚକ୍ରବୃଦ୍ଧି ସୁଧ ପରି ହେବା ଉଚିତ୍‍ ନୁହେଁ। ଶିକ୍ଷା, ନିଯୁକ୍ତି, ପଦୋନ୍ନତି ଆଦି ତିନି ସ୍ତରରେ ଜଣେ ବ୍ୟକ୍ତି ଏହା ଉପଭୋଗ କରିବାର ଆବଶ୍ୟକତା ନାହିଁ। ଏହା ଫଳରେ ଅନ୍ୟମାନେ ଉପେକ୍ଷିତ ହେଉଛନ୍ତି। ତେଣୁ ଜାତି ଭିତ୍ତିରେ ନା ଆୟ ଭିତ୍ତିରେ ଅଥବା ଆୟ-ମେଧା ଭିତ୍ତିରେ ସଂରକ୍ଷଣ ହେବ ସେ ସଂପର୍କରେ ରାଷ୍ଟ୍ର ନିର୍ଦ୍ଦିଷ୍ଟ ଭାବେ ନିଷ୍ପତ୍ତି ନେବା ଆବଶ୍ୟକ।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories