www.samajalive.in
Saturday, December 6, 2025
19.1 C
Bhubaneswar

ପେଗାସସ୍‌ ମାମଲା​ର ତଦନ୍ତ ସପକ୍ଷରେ ନୀତୀଶ

ପାଟନା/ନୂଆଦିଲ୍ଲୀ : ପେଗାସସ୍‌ ଗୁଇନ୍ଦାଗିରିର ତଦନ୍ତ ପାଇଁ ବିରୋଧୀ ଦଳଙ୍କ ଦାବି ସହିତ ସ୍ବର ମିଳାଇଛନ୍ତି ଏନ୍‌ଡିଏ ସହଯୋଗୀ ଦଳ ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କାହାକୁ ହଇରାଣ ହରକତ କରାଯିବା ଭଳି ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଅନୁଚିତ; ବରଂ ମାମଲା ସମ୍ପର୍କରେ ସର୍ବସାଧାରଣଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ଉପସ୍ଥାପନ କରିଦେବା ଭଲ ବୋଲି ନୀତୀଶ କହିଛନ୍ତି। ‘ପେଗାସସ୍‌ ଦୀର୍ଘ ଦିନ ଧରି ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ଫୋନ୍‌ ବାର୍ତ୍ତାଳାପ ଆଧାରରେ ଗୁଇନ୍ଦାଗିରି ଚଳାଇଛି। ଏହାର ତଦନ୍ତ ପାଇଁ ସଂସଦରେ ଦାବି ହେଉଛି। ଗଣମାଧ୍ୟମରେ ମଧ୍ୟ ବିସ୍ତୃତ ଖବର ପ୍ରକାଶ ପାଉଛି; ଅତଏବ ମାମଲା ଉପରେ ନିଶ୍ଚିତ ତଦନ୍ତ ହେବା ଆବଶ୍ୟକ। ସବୁ କଥାର ଯାଞ୍ଚ ହେବା ସହ ସତ୍ୟ ଲୋକଲୋଚନକୁ ଆସିବା ଦରକାର’ ବୋଲି ନୀତୀଶ କହିଛନ୍ତି। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ପେଗାସସ୍‌ ଗୁଇନ୍ଦାଗିରି ସମ୍ପର୍କରେ ସଂସଦରେ ଆଲୋଚନା ପାଇଁ ଅଧିବେଶନ ଆରମ୍ଭରୁ ଗତ ଦୁଇ ସପ୍ତାହ ଧରି ଦାବି କରିଆସୁଛନ୍ତି। ସେଥିଯୋଗୁଁ ଅଧିବେଶନ ସୁରୁଖୁରୁରେ ଚାଲିପାରୁ ନାହିଁ। ଏ ବାବଦରେ ୧୩୩ କୋଟି ଟଙ୍କା ବରବାଦ ହେଲାଣି। ଏହା ସତ୍ତ୍ବେ ସରକାର ‘ପେଗାସସ୍ ମାମଲା ସେଭଳି ଗୁୂରୁତ୍ବପୂର୍ଣ୍ଣ ନୁହେଁ’ ବୋଲି କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏ ନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ସୁଫଳ ମିଳି ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ଏ ସମ୍ପର୍କରେ ଆସନ୍ତା ୫ରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ ସହଯୋଗୀ ଦଳ ଜେଡି(ୟୁ)ର ନେତା ମାମଲାର ତଦନ୍ତ ଦାବି କରିବା ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବ ବହନ କରୁଛି।
ଅପରପକ୍ଷରେ ମାମଲା ଉପରେ ଆଲୋଚନା ପାଇଁ ସଂସଦରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଦାବି ଜଣାଇ ବିଫଳ ହେବା ପରେ ବିରୋଧୀ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ପାଇଁ ମଙ୍ଗଳବାର ସକାଳେ ସମସ୍ତ ବିରୋଧୀ ଦଳ ନେତାଙ୍କୁ ଏକ ବୈଠକକୁ ଡକାଇଛନ୍ତି। ଜଳଖିଆ ସହିତ ପେଗାସସ୍‌ ସମ୍ପର୍କରେ ଆଲୋଚନା କରାଯିବ ବୋଲି ରାହୁଲ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ବୈଠକ ଦିଲ୍ଲୀର କନ୍‌ଷ୍ଟିଚୁସନ୍‌ କ୍ଲବ୍‌ଠାରେ ଆୟୋଜନ କରାଯାଇଛି। ସଂସଦରେ କିପରି ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ। ଆବଶ୍ୟକ ପଡ଼ିଲେ ବିରୋଧୀ ଦଳଗୁଡ଼ିକ ସଂସଦ ଭବନ ବାହାରେ ସମାନ୍ତରାଳ ସଂସଦ ଅଧିବେଶନ ଚଳାଇବା ଯୋଜନା କରିଥିବା ସୂଚନା ମିଳିଛି। ସରକାର ଆଲୋଚନା ପାଇଁ ରାଜି ହେଉ ନ ଥିବାରୁ ସମାନ୍ତରାଳ ଅଧିବେଶନରେ ପେଗାସସ୍‌ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣେ ବିରୋଧୀ ଦଳ ନେତା କହିଛନ୍ତି। କଂଗ୍ରେସ ପେଗାସସ୍‌ ପ୍ରସଙ୍ଗ ମାଧ୍ୟମରେ ଏବେ ସମସ୍ତ ବିରୋଧୀ ଦଳଙ୍କୁ ଏକତ୍ର କରିବା ପ୍ରୟାସ ଚଳାଇଛି। ଗତ ସପ୍ତାହରେ ଅନୁଷ୍ଠିତ ଏଭଳି ପ୍ରଥମ ପ୍ରୟାସ​ରେ ୧୪ଟି ବିରୋଧୀ ଦଳର ନେତା ଏକତ୍ର ହୋଇଥିଲେ। ଅନ୍ୟପକ୍ଷରେ ସରକାର ସଂସଦ ଚଳାଇବାରେ ବିଫଳ ହେବା ପରେ ଏବେ ବିରୋଧୀ ଦଳର ଏକତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟିକରି ପେଗାସସ୍‌ ପ୍ରସଙ୍ଗକୁ ଚପାଇଦେବା ପାଇଁ ସରକାର ଜୋର୍‌ଦାର ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ବିରୋଧୀ ଦଳ ଅଯଥାରେ ସରକାର ବିରୋଧରେ ଷଡ଼ଯନ୍ତ୍ର ଚଳାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories