www.samajalive.in
Tuesday, December 9, 2025
26.1 C
Bhubaneswar

ରଥ-ପଥ-ଦେବତା ପ୍ରସ୍ତୁତ ; ଆସିବେନି ଭକ୍ତ

ଶ୍ରୀକ୍ଷେତ୍ରରେ ଲାଗିଲା ୪୮ ଘଣ୍ଟିଆ ସାନ୍ଧ୍ୟ ଆଇନ

ପୁରୀ  : ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ସୋମବାର ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀକ୍ଷେତ୍ରର ପବିତ୍ର ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ଅଭିମୁଖେ ବିଜେ କରିବେ ମହାପ୍ରଭୁ। ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହୋଇଛନ୍ତି ରଥ, ପଥ ଓ ଭକ୍ତ। ରବିବାର ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନିରଥ ଟଣାଯାଇ ସିଂହଦ୍ବାର ସମ୍ମୁଖକୁ ନିଆଯାଇଛି। ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟକଣ୍ଟ ନୀତି ସମେତ ସେନାପଟା ଲାଗି କରାଯାଇଛି। ଆକର୍ଷଣୀୟ ଫୁଲ ଏବଂ ସୋଲରେ ଝଲମଲ କରୁଛି ତିନିରଥ। ରଥରେ ଚାରମାଳ ବନ୍ଧାଯାଇଛି। ସୋମବାର ସକାଳ ଧୂପରେ ଖେଚୁଡ଼ି ଖାଇ ରଥଯାତ୍ରାକୁ ବାହାରିବେ ଚତୁର୍ଦ୍ଧା ମୂର୍ତ୍ତି।

- Advertisement -

ସକାଳ ୮ଟାରେ ରଥ ପ୍ରତିଷ୍ଠା କରାଯିବ। ମଙ୍ଗଳାର୍ପଣ ପରେ ୮ଟା ୩୦ରେ ଆରମ୍ଭ ହେବ ପରଂବ୍ରହ୍ମଙ୍କ ପହଣ୍ଡି ଯାତ୍ରା। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ଘଣ୍ଟ, ଘଣ୍ଟା, ବିଜେ କାହାଳୀ ଏବଂ ମୃଦଙ୍ଗ ବାଦ୍ୟ ସହ ତାଳରେ ତାଳ ମିଳାଇ ସେବକଙ୍କ ଗହଣରେ ଝୁଲି ଝୁଲି ରଥ ଉପରକୁ ବିଜେ କରିବେ ମହାପ୍ରଭୁ। ଦିନ ୧୧ଟା ୩୦ ସୁଦ୍ଧା ଶେଷ‌େ‌ହବ ପହଣ୍ଡି। ଏହାପରେ ରଥ ଉପରକୁ ବିଜେ କରିବେ ମଦନମୋହନ। ଦିନ ୧୨ଟା ୩୦ରେ ଚିତାଲାଗି କରାଯିବା ସହ ପ୍ରଭୁଙ୍କୁ ବେଶ କରାଯିବ। ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ। ରଥରୁ ଚାରମାଳ ଫିଟାଯିବା ସହ ଘୋଡ଼ା ଏବଂ ସାରଥି ଲଗାଯିବ। ଅପରାହ୍ଣ ୩ଟାରେ ଆରମ୍ଭ ହେବ ରଥଟଣା। ଚଳିତବର୍ଷ କେବଳ ଶ୍ରୀମନ୍ଦିର ସେବାୟତ ରଥ ଟାଣିବେ। ସନ୍ଧ୍ୟା ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିବା ସମ୍ଭାବନା ରହିଛି।
ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୋବର୍ଦ୍ଧନ ପୀଠରେ ସାକ୍ଷାତ କରି ରଥଯାତ୍ରା ପାଇଁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। କରୋନା କଟକଣା ସହ ବିନାଭକ୍ତରେ ରଥଯାତ୍ରା ଆୟୋଜନ ସମ୍ପର୍କରେ ସେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ୭ଜଣ ଶିଷ୍ୟଙ୍କ ସହ ରଥ ଉପରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ ପାଇଁ ସମ୍ମତି ଜଣାଇଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରଥଯାତ୍ରା ସମ୍ପର୍କରେ ପୂର୍ବରୁ ସେ ଯେଉଁ ପରାମର୍ଶ ଦେଇଥିଲେ ତାହାକୁ ନିଜେ ପାଳନ କରିବେ ବୋଲି ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି।
ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରବିବାର ରାତି ୮ଟାରୁ ସାନ୍ଧ୍ୟ ଆଇନ ଜାରି କରାଯାଇଛି। ପୁରୀକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଆରକ୍ଷୀ ମହାନିର୍ଦେଶକ ଅଭୟ ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ଲୋକଙ୍କ ଘରୁ ବାହାରିବା ଉପରେ କଟକଣା ଜାରି କରିଛି ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ବଡ଼ଦାଣ୍ଡକୁ ଲାଗି ରହିଥିବା ସାହିବସ୍ତିର ପ୍ରବେଶପଥକୁ ବାଡ଼ ପକାଯାଇ ବନ୍ଦ କରାଯାଇଛି। ତଟରକ୍ଷୀ ବାହିନୀ ଏବଂ ପୁଲିସ ସମୁଦ୍ରରେ ମିଳିତ ପଇଁତରା ମାରୁଛନ୍ତି। ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୫ଶହରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସାନ୍ଧ୍ୟ ଆଇନ ଯୋଗୁଁ ଖଁା ଖଁା ଲାଗୁଛି ପୁରୀ ବଡ଼ଦାଣ୍ଡ। ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପ। ଗୁଣ୍ଡିଚା ଯାତ୍ରା ନୀତି ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛି ପ୍ରଶାସନ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories