ଟଙ୍କା ଠକି ଦେଶ ଛାଡିଛନ୍ତି ୩୧

0

୯୧ ଖିଲାପକାରୀଙ୍କ ଉପରେ ଦେଶ ଛାଡ଼ିବା ନେଇ ଲାଗିପାରେ ନିଷେଧାଦେଶ

ନୂଆଦିଲ୍ଲୀ : ଦଣ୍ଡାଦେଶକୁ ଏଡାଇବାକୁ ଯାଇ ୩୧ ଜଣ ବ୍ୟକ୍ତି ଆର୍ଥିକ ଠକେଇ କରି ଦେଶ ଛାଡ଼ି ଚାଲିଯାଇଛନ୍ତି। ଭାରତରେ ବିଭିନ୍ନ ଦୁର୍ନୀତି ଜରିଆରେ ଠକେଇ କରି ଅନେକ ବ୍ୟବସାୟୀ ଦେଶ ଛାଡ଼ି ପଳାୟନ କରି ଅନ୍ୟ ରାଷ୍ଟ୍ରରେ ରହୁଥିବା ସରକାରଙ୍କ ପକ୍ଷରୁ ଲୋକସଭାରେ ଏହି ତଥ୍ୟ ରଖାଯାଇଛି। ଦେଶରେ ରହିଥିବା ଋଣ ଖିଲାପକାରୀମାନେ ଯେପରିି ଦେଶ ଛାଡ଼ି ବିଦେଶ ପଳାୟନ କରି ନ ପାରନ୍ତି ସେଥିପାଇଁ ସରକାର ଏବେ କଡା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଏ ନେଇ ସରକାର ୯୧ ଋଣ ଖିଲାପକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ଖିଲାପକାରୀମାନଙ୍କ ଦ୍ୱାରା ପରିଚାଳିତ କମ୍ପାନୀ କୋଟି କୋଟି ଟଙ୍କାର ଋଣ ଖିଲାପ ମାମଲା ସହ ଜଡିତ। ସରକାର ଏବେ ଏହି ୯୧ ଋଣ ଖିଲାପକାରୀଙ୍କ ଉପରେ ଦେଶ ଛାଡ଼ିବା ନେଇ ନିଷେଧାଦେଶ ଲାଗୁ କରିପାରନ୍ତି। ଦେଶର ୪୦୦ କମ୍ପାନୀକୁ ସରକାର ଇଚ୍ଛାକୃତ ଋଣ ଖିଲାପକାରୀ ତାଲିକାରେ ରଖିଛନ୍ତି।
କେନ୍ଦ୍ର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର ଲୋକସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କୁ ମିଶାଇ ୩୧ ଜଣ ବ୍ୟକ୍ତି ଆର୍ଥିକ ଠକେଇ କରି ଦେଶ ଛାଡି ଚାଲିଯାଇଛନ୍ତି। ଏଥିରେ ନିରବ ମୋଦିଙ୍କ ପତ୍ନୀ ଆମି, ପୁଅ ନିଶାଲ ମୋଦି, ମଦ ସମ୍ରାଟ ବିଜୟ ମାଲ୍ୟା, ଲଳିତ ମୋଦି ଏବଂ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରି ପ୍ରମୁଖ ରହିଛନ୍ତି। ତେବେ ଏହି ଠକେଇ
ଅଭିଯୁକ୍ତମାନେ କେବେଠାରୁ ଦେଶଛାଡି ଯାଇଛନ୍ତି ସେ ସମ୍ପର୍କରେ ମନ୍ତ୍ରୀ ନିର୍ଦିର୍ଷ୍ଟ ଭାବେ କୌଣସି ଉତ୍ତର ରଖି ନ ଥିଲେ। ତେବେ ବିଜୟ ମାଲ୍ୟା, ଆଶିଷ ଯୋବନପୁତ୍ର, ପୁଷ୍ପେଷ କୁମାର ବୈଦ୍ୟ,ସଞ୍ଜୟ କଲ୍‌ରା ଏବଂ ଆରତି କଲ୍‌ରାଙ୍କ କ୍ଷେତ୍ରରେ ସିବିିଆଇ ନିକଟରୁ ମନ୍ତ୍ରାଳୟ ପ୍ରତ୍ୟାର୍ପଣ ଅନୁରୋଧ ମିଳିଛି। ଏହି ପ୍ରତ୍ୟାର୍ପଣ ଅନୁରୋଧକୁ ସମ୍ପୃକ୍ତ ରାଷ୍ଟ୍ରକୁ ବିଚାର ନିମନ୍ତେ ପଠାଇ ଦିଆଯାଇଛି। ତେବେ ସନ୍ନୀ କଲରାଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ସମ୍ପର୍କିତ ଅୁନରୋଧ ବହିର୍ବ୍ୟାପାର ମନ୍ତ୍ରାଳୟ କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ‘ପଳାତକ ଆର୍ଥିକ ଠକେଇକାରୀ ବିଲ୍‌ ୨୦୧୮’ ପାର୍ଲାମେଣ୍ଟରେ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ଆର୍ଥିକ ଠକେଇ କରି ଦେଶ ଛାଡି ଚାଲିଯାଇଥିବା ବ୍ୟକ୍ତିଙ୍କ ତାଲିକାରେ ରହିଥିବା ବ୍ୟକ୍ତିମାନେ ହେଉଛନ୍ତି, ସୌମିତ୍‌ ଜେନା, ବିଜୟ କୁମାର ରେଭାଭାଇ ପଟେଲ, ସୁନୀଲ ରମେଶ ରୂପାନୀ, ପୁଷ୍ପେଷ କୁମାର ବୈଦ୍ୟ, ସୁରେନ୍ଦ୍ର ସିଂ, ଅଙ୍ଗଦ ସିଂ,ହରସାହିବ ସିଂ, ହରଲିନ୍‌ କୌର,ଆଶିଷ ଯୋବନପୁତ୍ର,ଯତୀନ୍‌ ମେହେଟ୍ଟା, ଚେତନ ଜୟନ୍ତୀ ଲାଲ ସନ୍ଦେସାରା, ଦୀପ୍ତି ଚେତନ ସନ୍ଦେସାରା, ନୀତିନ ଜୟନ୍ତୀ ଲାଲ ସନ୍ଦେସାରା, ସଭ୍ୟା ସେଠ୍‌, ନୀଲେଶ ପାରେଖ, ଉମେଶ ପରେଖ୍‌, ସନ୍ନୀ କଲରା, ଆରତି କଲ୍‌ରା, ସଞ୍ଜୟ କଲ୍‌ରା, ବର୍ଷା କଲ୍‌ରା, ହେମନ୍ତ ଗାନ୍ଧି, ଇଶ୍ୱର ଭାଇ ଭଟ୍ଟ,ଏମ୍‌.ଜି. ଚନ୍ଦ୍ରଶେଖର, ଚେରିୟା ଭନ୍ନାରାକାଲ ସୁଧୀର, ନୌଶା କାଦିଜାଠ୍‌ ଏବଂ ଚେରିୟା ସଦ୍ଦିକ୍‌।

Leave A Reply