ପ୍ରାକୃତିକ ଦୁର୍ବିପାକ ସହ ଓଡ଼ିଶାବାସୀ ପୁରୁଷପୁରୁଷ ଧରି ପରିଚିତ। କେବେ ବନ୍ୟା ତ କେବେ ବାତ୍ୟା। କେବେ ଘୂର୍ଣ୍ଣିଝଡ଼ ତ କେବେ ଲଘୁଚାପ। ବର୍ଷର ଅନେକ ସମୟରେ ଏମାନେ ଆମର ଅତିଥି। ଆମ ଲୋକମାନେ ପ୍ରକୃତିର ବିଭିନ୍ନ ପରିବର୍ତ୍ତନ ଓ ଲକ୍ଷଣ ଦେଖି ଆଗାମୀ ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ କରିପାରୁଥିଲେ। ଆଗାମୀ ଦିନରେ ପାଗ କିପରି ରହିବ ନିର୍ଦ୍ଦିଷ୍ଟ ଭାବରେ କହିପାରୁଥିଲେ। କିଛି ଲୋକ ଢଗରେ ମଧ୍ୟ ବୋଲି ଥାଆନ୍ତି। ଏଇ ଯେମିତି- ‘ଚନ୍ଦ୍ରମଣ୍ଡଳ ମଧ୍ୟରେ ତାରା; ବରଷା ହୁଅଇ ମୁଷଳ ଧାରା’। ଅର୍ଥାତ୍ ଚନ୍ଦ୍ର ମଣ୍ଡଳ ଭିତରେ ତାରା ଦେଖାଦେଲେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥାଏ। ଦକ୍ଷିଣା ପବନ ବହିବାରୁ ବର୍ଷା ଓ ନଈବଢ଼ି ଛାଡ଼ିବାର ସଂକେତ ମିଳିଥାଏ। ସେଥି ପାଇଁ କହିଥାଆନ୍ତି- ବରଷା ବ୍ରାହ୍ମଣ ଯେ ନଈବଢ଼ି। ଦକ୍ଷିଣା ପାଇଲେ ଯାଆନ୍ତି ଛାଡ଼ି।ା ପୁଣି କୁହାଯାଇଛି- ଝରିପୋକ ଯେବେ ଆକାଶେ ଉଡ଼େ। ଝିପିଝିପି ଝଡ଼ି ବରଷା ପଡ଼େ।ା ଆହୁରି ଶୁଣିବାକୁ ମିଳେ- ବାଲିଜନ୍ଦା, କଙ୍କି ଆଉ ନାଗଫେଣୀ ଫୁଲରେ। ବରଷଇ ପାଣି ହାତୀ ଶୁଣ୍ଢରେ।ା ଅର୍ଥାତ୍ ବାଲିଜନ୍ଦା ଦେଖାଦେଲେ, ଆକାଶରେ କଙ୍କି ଉଡ଼ିଲେ କିମ୍ବା ଏକ ନାଗଫେଣୀ ଫୁଲ ଫୁଟିଲେ ହାତୀଶୁଣ୍ଢ ଭଳି ବର୍ଷା ହୋଇଥାଏ। ଏହିପରି ସମ୍ଭାବ୍ୟ ପାଣିପାଗକୁ ନେଇ ରହିଛି ଅନେକ ଢଗଢମାଳି। ପ୍ରକୃତିର ଏପରି ଲକ୍ଷଣକୁ ଲକ୍ଷ୍ୟକରି ଚାଷବାସ, ବାଣିଜ୍ୟ-ବ୍ୟବସାୟ, ଦୂରଯାତ୍ରା ଇତ୍ୟାଦି କରାଯାଉଥିଲା। ବେଶ୍ ସୁଖ- ଶାନ୍ତିରେ ଜନଜୀବନ ପରିଚାଳିତ ହେଉଥିଲା। ହାରିଯାଇ ନଥିଲା ସେବେକାର ମଣିଷ। ସମସ୍ୟାକୁ ସମ୍ମୁଖୀନ କରୁଥିଲା ଧୈର୍ଯ୍ୟ ଓ ସାହସର ସହିତ। ଦୁର୍ବିପାକ ସେମାନଙ୍କର ସର୍ବସ୍ୱ ନେଇଯାଉଥିଲା। ଫସଲଠାରୁ ଘରଦ୍ୱାର ପର୍ଯ୍ୟନ୍ତ। ତଥାପି ସେମାନେ ଅଣ୍ଟା ସଳଖୁଥିଲେ। ଦିନଦିନ ଧରି ରହୁଥିଲେ ବନ୍ୟାପାଣି ଘେରରେ। ଉପାସ, ଭୋକ ସେମାନଙ୍କୁ ଟଳାଇ ପାରୁନଥିଲା। ସେ ଜାଣିଥିଲେ ବିପଦ ସବୁବେଳେ ନଥାଏ। ବନ୍ୟା ସପ୍ତାହକର ଅତିଥି। ବାତ୍ୟା ଦୁଇଦିନର। ଆଉ ବର୍ଷା ତିନି କି ଚାରିଦିନର ଆଗନ୍ତୁକ। ପୁଣି ଖରା ପଡ଼ିବ। ସୂର୍ଯ୍ୟ ଆମର ସବୁଦିନିଆ ସାଥୀ। ପ୍ରାକୃତିକ ଦୁର୍ବିପାକ ତ ହଠାତ୍ ଆସୁନଥିଲା। ଏମାନଙ୍କ ଆସିବାର ସୂଚନା ଦେଇଥାଏ ପ୍ରକୃତି। କେଉଁଠି ବୃକ୍ଷ-ଲତା ତ କେଉଁଠି ଜୀବ-ଜନ୍ତୁ। ଆଉ କେବେ କୀଟ-ପତଙ୍ଗରୁ ମିଳୁଥିଲା ସମ୍ଭାବ୍ୟ ପାଗର ସୂଚନା। ମଣିଷ ସତର୍କ ହେଉଥିଲେ। ସଜାଗ ରହୁଥିଲେ। ନିଜ ପରିବାର, ଫସଲ, ଗୃହପାଳିତ ଜୀବ, ଧନ ସମ୍ପତ୍ତିକୁ ସୁରକ୍ଷା ଦେବା ପାଇଁ ବନ୍ଦୋବସ୍ତ କରୁଥିଲେ। ବିପଦ ଟଳିଗଲେ ପହିଲି ସକାଳର ସୂର୍ଯ୍ୟଙ୍କ ସୁନେଲି କିରଣ ହସିଲା ପରି ପୁଣି ହସୁଥିଲେ। ଦୁନିଆକୁ ଖୁସି ବାଣ୍ଟୁଥିଲେ। ଅଣ୍ଟା ସଳଖୁଥିଲେ।
ଏବେ କିନ୍ତୁ ପରିସ୍ଥିତି ବଦଳିଛି। ଅନେକ ଛନ୍ଦି ହୋଇ ପଡ଼ିଛନ୍ତି କୃତ୍ରିମତାର ମାୟାଜାଲରେ। ଭୁଲିବାକୁ ଲାଗିଲେଣି ପ୍ରକୃତିକୁ। ତା’ର ବିଭିନ୍ନ ସଂକେତକୁ। ପ୍ରକୃତି ସହିତ ସମ୍ପର୍କ ରଖିବାକୁ ତର କାହିଁ ! ପାଣିପାଗର ସୂଚନା ଗଣମାଧ୍ୟମରୁ ମିଳିଯାଉଛି। ସେହି ଅନୁସାରେ କାର୍ଯ୍ୟ ଧାରା ପ୍ରସ୍ତୁତ ହେଉଛି। ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ପାଣିପାଗ ଯେ ଭୁଲ୍ ଏବଂ ନିରର୍ଥକ ତାହା କୁହାଯାଉ ନାହିଁ। ଏବର ବୈଜ୍ଞାନିକମାନଙ୍କ ଗବେଷଣା ଲବ୍ଧ ଉନ୍ନତ ଯନ୍ତ୍ର ହିଁ ଭବିଷ୍ୟତର ପାଗ ବିଷୟରେ ଅନେକ ତଥ୍ୟ ଓ ସୂଚନା ଦେଇଥାଏ। ଏହା ଦ୍ୱାରା ଜନସାଧାରଣ ସତର୍କ ରହିଥାନ୍ତି। ମାତ୍ର ପରିତାପର ବିଷୟ ହେଉଛି ଆଜିର ଗଣମାଧ୍ୟମରେ ଆଗାମୀ ବାତ୍ୟା ବା ବୃଷ୍ଟିପାତର ସୂଚନା ଦେଲାବେଳେ କୌଣସି ଗୋଟିଏ ଭୟଙ୍କର ଦୃଶ୍ୟକୁ ବାରମ୍ବାର ପରିବେଷଣ କରାଯାଇଥାଏ। ମଣିଷ ଭାବିନିଏ ଆସୁଥିବା ବିପଦ ମଧ୍ୟ ଠିକ୍ ଏହିଭଳି ତାଣ୍ଡବ ରଚନା କରିବ। ଫଳରେ ସତର୍କ ରହିବା ବଦଳରେ ଆତଙ୍କିତ ହୋଇଥାନ୍ତି। ଏ ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକା ଆହୁରି ବେଶି। ବେଳେବେଳ ସାମାନ୍ୟ ଘଟଣାଟିଏ ବିରାଟ ରୂପରେ ଖେଳିଯାଇଥାଏ ବିଜୁଳି ବେଗରେ। ଫଳରେ ଲୋକମାନେ ସଜାଗ ରହିବା ବଦଳରେ ଭୟଭୀତ ହୋଇଥାଆନ୍ତି। ବିପଦକୁ ସମ୍ମୁଖୀନ ହେବା ପରିବର୍ତ୍ତେ କାତର ହୋଇଥାଆନ୍ତି। ଦୁଇଦିନ ପାଇଁ ବାତ୍ୟା ଥିଲେ ସପ୍ତାହକ ଲାଗି ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିଥାଆନ୍ତି; ଯାହାର ପ୍ରଭାବ ଅନ୍ୟମାନଙ୍କ ଉପରେ ପଡ଼ିଥାଏ। ପ୍ରତିକ୍ଷଣରେ ଦେଖିଥାଆନ୍ତି ବିନାଶର ସ୍ୱପ୍ନ। ବିଜ୍ଞାନର ଯନ୍ତ୍ରପାତି ଉଦ୍ଭାବନ ହେବା ପୂର୍ବରୁ ଏହି ମଣିଷ ଜାତି ପ୍ରକୃତିକୁ ଲକ୍ଷ୍ୟକରି ଆଗାମୀ ଦିନର ପାଣିପାଗ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦେଇପାରୁଥିଲା। ଅନେକ ଝଡ଼ଝଞ୍ଜାକୁ ସହଜରେ ହଜମ କରୁଥିଲା; କିନ୍ତୁ ସେହି ମଣିଷ ଆଜି ସାମନ୍ୟ ବର୍ଷାପବନ ହେବାର ଖବରରେ ଅଧୀର, କାତର ହେଉଛି। କାରଣ ସେ ପ୍ରକୃତିର ସୂଚନା ଓ ଠାରକୁ ଅନୁଧ୍ୟାନ କରୁନାହିଁ। ଏବେ ବି ପ୍ରକୃତିରୁ ପାଗ ପରିବର୍ତ୍ତନର ସଂକେତ ମିଳୁଛି; କିନ୍ତୁ ଆମେ ଲକ୍ଷ୍ୟ କରୁନାହୁଁ। ଅନ୍ଧ ଭାବରେ ଅନୁସରଣ କରୁଛୁ ସାମାଜିକ ଗଣମାଧ୍ୟମକୁ, ଯେଉଁଥିରେ ଭୟ ଓ କାତର ହେବାର ସୂଚନା ଭରପୂର ହୋଇଥାଏ। ବିପଦରେ ସାନ୍ତ୍ୱନା ମିଳିବାର ସମ୍ଭାବନା ଥାଏ ଖୁବ୍ କମ୍।
ଆସୁଥିବା ଦୁର୍ବିପାକ ପାଇଁ ତୁମେ ଭୟଭୀତ ହୁଅ କି ନହୁଅ, ସତର୍କ ରୁହ କିମ୍ବା ନରୁହ ପ୍ରକୃତି ତା’ର ଲୀଳା ରଚନା କରିବ ହିଁ କରିବ। କେବେ ସେ ମଳୟ ଆଣିବ ତ କେବେ ପ୍ରଳୟ। କେବେ ତୁଷାରପାତ ତ କେବେ ଅଂଶୁଘାତ। ପ୍ରକୃତିର ପ୍ରକୋପରୁ ପରିତ୍ରାଣ ନାହିଁ ଏ ମଣିଷର। ମଣିଷର ଉଚ୍ଚାଭିଳାଷୀ ଆକାଙ୍କ୍ଷା, ନଭଶ୍ଚୁମ୍ବୀ ସ୍ୱପ୍ନ ଏବଂ ଏ ସମ୍ପୂର୍ଣ୍ଣ ଧରାକୁ ସରା ମନେକରି ନିଜ ନିୟନ୍ତ୍ରଣକୁ ଆଣିବାର ଅଲଙ୍ଘ୍ୟ କାମନା ତା’ର ବିନାଶର ଏକମାତ୍ର କାରଣ। ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପୂର୍ବରୁ ମାନବ ଜାତି ଯଦି ଏ ପ୍ରକୃତିକୁ ପ୍ରତ୍ୟାଖ୍ୟାନ ନକରି ଅନ୍ତରର ସହିତ କୋଳେଇ ନ ନିଏ ତେବେ ଆଗାମୀ ଦିନରେ ଆମର ଅସ୍ତିତ୍ୱ ରହିବ ତ?
ବ୍ରହ୍ମଚାରୀ ସତ୍ୟଚୈତନ୍ୟ
ଦୂରଭାଷ:୯୪୩୯୪୫୨୯୪୬


