ନକଲି ଔଷଧ ଉପରେ ଚଢ଼ଉ ଜାରି : ଅସାଧୁ ଔଷଧ ବେପାରୀଙ୍କ ମଧ୍ୟରେ ଭାଲେଣି

ଜିଲା ଓକିଲ ସଂଘର କଡା କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର: କରୋନାର କରାଳ ତାଣ୍ଡବ ଜାରି ରହିଥିବା ବେଳେ କିଛି ଅସାଧୁ ଔଷଧ ବ୍ୟବସାୟୀ ସାମାନ୍ୟ ଆର୍ଥିକ ଲାଭ ସକାଶେ ଜୀବନରକ୍ଷାକାରୀର ନକଲି ଔଷଧ ଗୁଡିକୁ ବିକ୍ରି କରୁଥିବାର ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଫଳରେ ରାଜ୍ୟ ସରକାର ଏହା ଉପରେ କଡା ଆଭିମୂଖ୍ୟ ଗ୍ରହଣ କରିବାରୁ ଗତ ୧୧ ତାରିଖରେ କଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିଲା। ଏହି କ୍ରମରେ ସମ୍ବଲପୁର ସମେତ ରାଜ୍ୟର ସମସ୍ତ ଜିଲା ଗୁଡିକରେ ନକଲି ଔଷଧ ଉପରେ ଚଢ଼ଉ ଜାରି ରହିଛି। ଡ୍ରଗ ବିଭାଗ ପକ୍ଷରୁ ଯୋଜନାବଦ୍ଧ ଭାବରେ ନକଲି ଜୀବନରକ୍ଷାକାରୀ ଔଷଧ ଉପରେ ଚଢ଼ଉ ଜାରି ରହିଥିବାରୁ ଏବେ ଜିଲାରେ ଅସାଧୁ ଔଷଧ ବ୍ୟବସାୟୀ ମାନଙ୍କ ମଧ୍ୟରେ ଭାଲେଣି ପଡ଼ି ଯାଇଛି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନକଲି ଔଷଧ କାରବାର ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ଚଢ଼ଉ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ କରାଯାଇଥିବାର ଜଣାପଡ଼ିଛି। ଫାଭିପିରାଭିର ସମେତ ୯ ପ୍ରକାରର ଜୀବନରକ୍ଷାକାରୀ ନକଲି ଔଷଧ ଇତି ମଧ୍ୟରେ ସାରା ରାଜ୍ୟରେ ଠାବ ହୋଇ ସାରିଛି।

ଅପରପକ୍ଷରେ ତାଲା ବନ୍ଦ ସମୟରେ ବ୍ୟାପକ ନକଲି ଔଷଧ କାରବାର ହେଉଥିବା ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରୁ ଏହି ଅସାଧୁ ବ୍ୟବସାୟର ଚେର ପଶ୍ଚିମ ଓଡ଼ିଶାର ସମ୍ବଲପୁର ସମେତ ବୌଦ୍ଧ, ବରଗଡ, ବଲାଙ୍ଗୀର, ଝାରସୁଗୁଡା ଆଦି ଅନେକ ଜିଲାକୁ ଲମ୍ବିଥିବାର ଜଣାପଡ଼ିଛି। ଶୁକ୍ରବାର ଓ ଶନିବାର କ୍ରମାଗତ ଭାବରେ ସମ୍ବଲପୁରର ୨ଟି ପ୍ରମୁଖ ହୋଲସେଲ ଓ ୩ଟି ରିଟେଲ ଦୋକାନ ଗୁଡିକରେ ଚଢ଼ଉ ଏବଂ ୧ ହଜାରରୁ ଉର୍ଦ୍ଧ ନକଲି ଔଷଧ ଜବତ ହେବା ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଅପରପକ୍ଷରେ ସମ୍ବଲପୁର ଜିଲା ତଥା ପଶ୍ଚିମ ଓଡ଼ିଶାରେ ଔଷଧ କାରବାରର ବଡ ମୁଣ୍ଡି ମାନେ ଏହି ଅସାଧୁ ବେପାରରେ ଲିପ୍ତ ଥିବାରୁ ଆଗାମୀ ଦିନରେ କଣ କରାଯିବ ତାକୁ ନେଇ ବୁଢ଼ାରଜା ସ୍ଥିତ ଏକ ସମ୍ରାନ୍ତ ହୋଟେଲରେ ରବିବାର ରାତ୍ରିରେ ଗୁପ୍ତ ବୈଠକ ହୋଇଥିଲା। ଏହି ବୈଠକରେ ଡେମେଜ କଣ୍ଟ୍ରୋଲ ଏବଂ ଅସାଧୁ ବ୍ୟବସାୟୀ ମାନଙ୍କୁ କିଭଳି ଖସାଇ ଦିଆଯାଇ ପାରିବ ସେ ନେଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଚାର ମନ୍ଥନ ପ୍ରକ୍ରିୟା ଜାରି ରହିଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ଔଷଧ ବ୍ୟବସାୟରେ ରହିଥିବା ଏହି ବ୍ୟବସାୟୀ ମାନେ ପର୍ଦ୍ଦା ଆଢ଼ୁଆଳରେ ଏଭଳି ଅନୈତିକ କାର୍ଯ୍ୟ କରୁଥିବାର ଡ୍ରଗ ବିଭାଗର ଚଢ଼ଉ ଯୋଗୁଁ ସମସ୍ତ ଗୁମର ପଦାରେ ପଡ଼ି ଯାଇଥିବାରୁ ଏବେ ସେମାନଙ୍କୁ ଗୋଟିଏ ପଟରେ କଡା କାର୍ଯ୍ୟାନୁଷ୍ଠାନ ଓ ଅପର ପକ୍ଷରେ ବ୍ୟବସାୟରେ ରହିଥିବା ନାମ ଖରାପ ହେବାର ଭୟ ଘାରିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସୋମବାର ଚଢ଼ଉ କାର୍ଯ୍ୟ ଆହୁରୀ ଜୋରସୋରରେ ଚାଲିଥିବା ବେଳେ ଆହୁରୀ ୬ ପ୍ରକାରର ନକଲି ଜୀବନ ରକ୍ଷାକାରୀ ଔଷଧ ମିଳିଥିବାର ଜଣାପଡ଼ିଛି। ଏଣୁ ସମ୍ବଲପୁରରେ ମାକ୍ସ ରିଲିଫ ହେଲଥ କେୟାର ନାମକ ଅନାମଧେୟ କମ୍ପାନୀର ସମୁଦାୟ ୯ଟି ନକଲି ଔଷଧ ଠାବ ହୋଇ ସାରିଥିବାର ଜଣାପଡ଼ିଛି।

ଜିଲା ଓକିଲ ସଂଘର କଡା କାର୍ଯ୍ୟାନୁଷ୍ଠାନ ଦାବି

ବରଗଡ ଜିଲା ଓକିଲ ସଂଘ ନକଲି ଔଷଧ ବ୍ୟବସାୟୀଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଦାବି ପରେ ସୋମବାର ସମ୍ବଲପୁର ଜିଲା ଓକିଲ ସଂଘ ମଧ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ କଡା ପଦକ୍ଷେପ ନେବାକୁ ଦାବି କରିଛି। ସମ୍ବଲପୁର ଜିଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ ରଥ ଦେଇଥିବା ପ୍ରେସ ବିବୃତ୍ତି ଅନୁଯାୟୀ ସଂଘ ନକଲି ଔଷଧ ବେପାରୀ ମାନଙ୍କର କାର୍ଯ୍ୟକୁ କଡା ନିନ୍ଦା କରିଛି। ଡ୍ରଗ ବିଭାଗର ନାକ ତଳେ ଏଭଳି ଅସାଧୁ କାରବାର ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ମାନେ କିଛି ନ କରି ହାତ ବାନ୍ଧି ବସି ରହିଥିଲେ। ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବେ କାର୍ଯ୍ୟାନୁଷ୍ଠାନ କଥା କହୁଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସାଧରଣ ଜନତାଙ୍କ ଜୀବନ ସହିତ ଖେଳିବା କୌଣସି ଦିଗରୁ ସହନୀୟ ନୁହେଁ। ବାରମ୍ବାର ଡ୍ରଗ ବିଭାଗକୁ ଅନୁରୋଧ ସତ୍ୱେ ଡ୍ରଗ ମାଫିଆ, ଔଷଧ କଳାବଜାର ଓ ନକଲି ଔଷଧ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ଏଣୁ ନକଲି ଔଷଧ କାରବାରରେ ଜଡିତ ଥିବା ବ୍ୟକ୍ତିଙ୍କ ଲାଇସେନ୍ସ ବାତିଲ କରିବା ସହିତ ସେମାନଙ୍କର ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉ। ଯଦି ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଡ୍ରଗ ବିଭାଗ ଗ୍ରହଣ ନ କରେ ତାହା ହେଲେ ବିଭାଗୀୟ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସଂଘ ସଭାପତି ଡ. ରଥ କହିଛନ୍ତି।

Comments are closed.