www.samajalive.in
Friday, December 12, 2025
14.1 C
Bhubaneswar

ଭୂତାଣୁ ନଥିବା ପୃଥିବୀ ଅସମ୍ଭବ

ପୃଥିବୀପୃଷ୍ଠର ଶ୍ରେଷ୍ଠ ଜୀବ ଜ୍ଞାନୀ-ବିଜ୍ଞାନୀ ମଣିଷଜାତି ଏବେ ଏକ ବଡ଼ ଆହ୍ବାନର ସମ୍ମୁଖୀନ। ମା​‌େ​‌ସ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ଦେଢ଼ବର୍ଷରୁ ଊର୍ଦ୍ଧ୍ବକାଳ ଧରି ଭୂପୃଷ୍ଠର ପ୍ରତ୍ୟେକ ମଣିଷ ଏବେ ଭୟ, ଆତଙ୍କ ମଧ୍ୟରେ ସମୟ ବିତାଉଛନ୍ତି। ଜୀବ ସଂପ୍ରଦାୟକୁ ଅତ୍ୟନ୍ତ ଅସହାୟଭାବେ କଳ୍ପନାତୀତ ଅବସ୍ଥାରେ ମରଣମୁହଁ ଦେଖାଇଥିବା ଜୀବଟିଏ ହେଉଛି କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ। ଏହା ଏତେ ଛୋଟ ଯେ ଅତିଶକ୍ତିଶାଳୀ ଅଣୁବୀକ୍ଷଣ ଯନ୍ତ୍ର ନହେଲେ ଏହାକୁ ଦେଖିବା ଅସମ୍ଭବ। ପୁଣି ମଣିଷ ବା ଅନ୍ୟ କୌଣସି ଜୀବଶରୀରକୁ ସ୍ପର୍ଶ କରିବା ପୂର୍ବରୁ ଏହା ମୃତବତ୍‌ କୌଣସି ପ୍ରତିକ୍ରିୟା ନ ଦେଖାଇ ରହିଥାଏ। ମାତ୍ର ଥରେ ଏହା ସଜୀବର ଶରୀର ମଧ୍ୟକୁ ପଶିଯିବା ପରେ ସେଠାରେ ଆଶ୍ରୟଦାତାର ଜୀବନ୍ତ କୋଷରୁ ନିଜ ପାଇଁ ଖାଦ୍ୟ ବା ଶକ୍ତି ସଂଗ୍ରହ କରି ମହାପରାକ୍ରମୀ ହୋଇ ନିଜର କାୟା ଓ ମାୟା ବଢ଼ାଇଚାଲେ। ବର୍ତ୍ତମାନ ଆମ ସମସ୍ତଙ୍କୁ ଭୀତତ୍ରସ୍ତ କରି ରଖିଥିବା କରୋନା ଭୂତାଣୁ ଏତେ ମାରାତ୍ମକ ହେବାର ପ୍ରମୁଖ କାରଣ ହେଉଛି ଏହାର ହଠାତ୍‌ ରୂପ ପରିବର୍ତ୍ତନ। କୌଣସି ଔଷଧ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟୋଗ କଲେ ମଧ୍ୟ ସେ ନିଜ ଶରୀରର ସମ୍ୟକ ପରିବର୍ତ୍ତନ କରି ଏହାକୁ ଏଡ଼ାଇଯାଇ ଆହୁରି ମାରାତ୍ମକ ରୂପରେ ପରିବର୍ତ୍ତିତ ହୋଇ ଆଶ୍ରୟଦାତାକୁ ଶୀଘ୍ର ସହଜରେ ମାରିଦେଇ ପାରୁଛି।

ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ପୃଥିବୀପୃଷ୍ଠରେ ଥିବା ଉଦ୍ଭିଦ ଜଗତ, ପ୍ରାଣୀଜଗତ ବ୍ୟତୀତ ଅନ୍ୟଏକ ଅଣୁଜୀବ ଜଗତ ଅଛି ଯେଉଁ ଜଗତର ବାସିନ୍ଦା ହେଉଛନ୍ତି ଭୂତାଣୁ ବା ଭାଇରସ। ଏମାନେ ପୁଣି ପୃଥିବୀପୃଷ୍ଠର ସବୁଠାରୁ ପୁରାତନ ବାସିନ୍ଦା। ଗବେଷଣାରୁ ଜଣାଯାଏ ଆଧୁନିକ ମାନବଗୋଷ୍ଠୀ ଆଜିଠାରୁ ମାତ୍ର ୫୦ ହଜାର ବର୍ଷ ତଳେ ପୃଥିବୀପୃଷ୍ଠରେ ନିଜର ସ୍ବତନ୍ତ୍ର ସ୍ବାକ୍ଷର ସୃଷ୍ଟି କରିପାରିବାରେ ସକ୍ଷମ ହୋଇପାରିଥିବାବେଳେ ଏମାନେ ଆଦ୍ୟ ପୃଥିବୀ ପୃଷ୍ଠରେ ଆଜିଠାରୁ ପ୍ରାୟ ୩୫୦ କୋଟି ବର୍ଷ ତଳେ ଦେଖାଦେଇଥିଲେ। ଭୂତାଣୁ ଭଳି ଅଦୃଶ୍ୟ ଆଉ ୪ଟି ଏହାର ଜାତିଭାଇ ଅଛନ୍ତି ଯେଉଁମାନେ ସମସ୍ତେ ମଣିଷପାଇଁ ବିପଦ ସୃଷ୍ଟି କରିପାରନ୍ତି। ଏମାନଙ୍କ ମଧ୍ୟରୁ କ୍ଷୁଦ୍ର ଶୈବାଳ ଆମର ସହଯୋଗୀ। ଏହା ବ୍ୟତୀତ ବୀଜାଣୁ, କବକ, ଆମିବା ଓ ଭୂତାଣୁ ସମସ୍ତେ ମଣିଷ ଓ ଅନ୍ୟ ଜୀବଙ୍କ ସମେତ ଉଦ୍ଭିଦ ଦେହରେ ଅତ୍ୟନ୍ତ ମାରାତ୍ମକ ରୋଗ ସୃଷ୍ଟି କରିବାରେ ପାରଙ୍ଗମ। ପୁଣି ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ପ୍ରାଣୀ ଓ ଉଦ୍ଭିଦଜଗତର ମୋଟ ଅଧିବାସୀଙ୍କ ସଂଖ୍ୟାଠାରୁ ଏହି ଅଦୃଶ୍ୟ ଜଗତର କ୍ଷୁଦ୍ର ଜୀବଙ୍କ ସଂଖ୍ୟା ସର୍ବାଧିକ।

- Advertisement -

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ଅଦୃଶ୍ୟ ଜୀବଗୋଷ୍ଠୀ ଆମ ପାଇଁ ଅନେକ ମାରାତ୍ମକ ରୋଗ ସୃଷ୍ଟିର କାରଣ ହେଉଥିଲେ ମଧ୍ୟ ଏମାନଙ୍କ ଅନୁପସ୍ଥିତିରେ ଆମେ ବିଶେଷଭାବେ ମଣିଷମାନେ ଚଳିପାରିବା ନାହିଁ। ଏମାନେ ଆମର ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି, ସ୍ବଚ୍ଛ ସୁନ୍ଦର ପରିବେଶ ସଂରଚନା, ଆମ ପାଇଁ ବିଭିନ୍ନ ଔଷଧ ପ୍ରସ୍ତୁତିରେ ସହଯୋଗୀ ହେବା ସହ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରି ମୃତ୍ତିକାର ଉର୍ବରତା ବଢ଼ାଇ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନରେ ସହଯୋଗୀ ହୋଇଥାଆନ୍ତି। ଅଣୁଜୀବ ନଥିଲେ ସୁରାସାର, ମଦ ଓ ଏସିଟିକ ଏସିଡ ଭଳି ରସାୟନ ଉତ୍ପାଦନ କରାଯାଇପାରନ୍ତା ନାହିଁ। ମଇଦା ଓ ଅଟାରୁ ସ୍ବାଦିଷ୍ଟ ପାଉଁରୁଟି, ଫଳରସ ଓ ବାର୍ଲିରୁ ମଦ, ସ୍ବାଦିଷ୍ଟ ଇଡ଼ଲି ଓ ଆମେ ଖାଉଥିବା ଚକୁଳିପିଠାକୁ ନରମ କରିବାରେ ଇଷ୍ଟ ନାମକ ଏକ କବକର ପ୍ରମୁଖ ସହଯୋଗ ରହିଛି। ଆମେ ଖାଉଥିବା ଛତୁ ମଧ୍ୟ ଏକ କବକ ଶ୍ରେଣୀଭୁକ୍ତ। ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ପେନସିଲିନ କବକ ହିଁ ଦେଇଥାଏ। ତେବେ କେତେକ କବକ ଓ ବୀଜାଣୁ ଯାଦୁ ଓ ଆମ ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ମୋଲ୍ଡ ଖାଦ୍ୟକୁ ନଷ୍ଟ କରେ। ଆଳୁ, ଗହମ, ମକାକୁ କେତେକ ନଷ୍ଟ କରିଥାନ୍ତି। ଭିନେଗାର ପ୍ରସ୍ତୁତିଠାରୁ ଆରମ୍ଭ କରି ଚମଡ଼ା ପ୍ରସ୍ତୁତିରେ ମଧ୍ୟ କେତେକ ବୀଜାଣୁ ସହଯୋଗ ହୋଇଥାଆନ୍ତି। ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି ଏହି ଅଦୃଶ୍ୟ ଗୋଷ୍ଠୀର ଜୀବମାନଙ୍କର ଆମର ପରିବେଶକୁ ସ୍ବଚ୍ଛ ତଥା ସୁନ୍ଦର ରଖିବାର ଅବଦାନ। ଯଦି ଏମାନେ ନଥାନ୍ତେ ତେବେ ପୃଥିବୀପୃଷ୍ଠରେ ମୃତ୍ୟୁବରଣ କରୁଥିବା ଜୀବଜନ୍ତୁଙ୍କ ଶବ ମାସମାସ ଧରି ପଡ଼ିରହି ପୃଥିବୀରେ ଏକ ଭିନ୍ନ ଅବସ୍ଥା ସୃଷ୍ଟି କରନ୍ତା। ଏମାନେ ହିଁ ଏହି ମୃତଦେହ ଗୁଡ଼ିକୁ ବିଘଟନ ବା ଅପଘଟନ କରି ମାଟିରେ ମିଶାଇ ଦେଇ ଜଗତର ଅଶେଷ ମଙ୍ଗଳ କରିଥାନ୍ତି।

ଆମ ଶରୀରର ଅନ୍ତଃନଳୀରେ ଅଗଣିତ ଅଣୁଜୀବ ରହି ଆମର ଖାଦ୍ୟ ହଜମରେ ସାହାଯ୍ୟ କରି ଆସି ଆମକୁ ସୁସ୍ଥ ଭାବେ ଜୀବନଯାପନ କରିବାରେ ସହଯୋଗୀ ହୋଇଆସିଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଗାଈର ଅନ୍ତଃନଳୀରେ ଥିବା ବୀଜାଣୁ ସେ ଖାଉଥିବା ନଡ଼ା, ଘାସ ଓ ଉଦ୍ଭିଦଙ୍କୁ ପାକସ୍ଥଳୀ ଓ ଅନ୍ତଃନଳୀରେ ହଜମ କରାଇବାରେ ସହାୟତା ପ୍ରଦାନ କରିଥାଏ। ଯାହା ଏମାନଙ୍କ ସହାୟତା ବିନା ଗାଈଟିଏ କରିବାରେ ଅକ୍ଷମ। ତେଣୁ ଗାଈ, ମଇଁଷି ଭଳି ଆମକୁ ଅମୃତତୁଲ୍ୟ କ୍ଷୀର ପ୍ରଦାନ କରି ସହଯୋଗ କରିଆସିଥିବା ଜୀବମାନଙ୍କ କ୍ଷୀର ଉତ୍ପାଦନ ପାଇଁ ମଧ୍ୟ ପରୋକ୍ଷରେ ଅଣୁଜୀବ ବୀଜାଣୁ ହିଁ ଦାୟୀ। ଶୈବାଳ ଜାତିର ଅଣୁଜୀବ ଲାଲ, ବାଦାମୀ, ନୀଳହରିତ ରଙ୍ଗଯୁକ୍ତ ହୋଇଥାନ୍ତି। ଏମାନେ ଅନେକ ସାମୁଦ୍ରିକ ପ୍ରାଣୀଙ୍କର ପ୍ରଧାନ ଖାଦ୍ୟ। ପୋଖରୀ, ନଦୀନାଳରେ ଏମାନେ ଦେଖାଯାଆନ୍ତି।

ଆମ ଆଖିଆଗରେ ସେମାନଙ୍କ କଳାକୌଶଳ ଅହରହ କରିଚାଲିଥିବା ଏହ ଅଣୁଜୀବ ଜଗତର ଅଦୃଶ୍ୟ ସଦସ୍ୟଙ୍କ ଜୀବଜଗତ ତଥା ବିଶେଷଭାବେ ମାନବ ସମାଜ ପାଇଁ ଉପକାର କେତେ ତାହା ଆମକୁ ଏଇଥିରୁ ଜାଣିବାକୁ ହେବ। ଏଭଳି କ୍ଷୁଦ୍ର ପରିସରରେ ଏମାନଙ୍କର ଜୀବଜଗତ ପ୍ରତି ରହିଥିବା ଉପକାରର କାହାଣୀ ଲେଖିବା ସମ୍ଭବ ନୁହେଁ।

ଏମାନଙ୍କ ମଧ୍ୟରୁ ଅନେକ ମାରାତ୍ମକ ନାଳଝାଡ଼ା, ଆନ୍ଥ୍ରାକ୍ସ ରୋଗ, ଯାଦୁ, ଥଣ୍ଡାରୋଗ ଓ ଅନ୍ୟ କେତେକ ରୋଗ ସୃଷ୍ଟି କରିଥାନ୍ତି। ତେବେ ଆମକୁ ସ୍ବୀକାର କରିବାକୁହେବ ଯେ ଏମାନଙ୍କ ସଂଖ୍ୟା ଆମଠାରୁ ବହୁଗୁଣରେ ଅଧିକ ଓ ଏମାନେ ଆମ ସହିତ ସବୁବେଳେ ରହିବେ ହିଁ ରହିବେ। ଆମଭଳି ସେମାନେ ପୃଥିବୀପୃଷ୍ଠର ଅଧିବାସୀ। ଏମାନଙ୍କ ସଂଖ୍ୟା ଜାଣିବାକୁ ପ୍ରଖ୍ୟାତ ବୈଜ୍ଞାନିକ ବଗବେନ ୧୯୮୧ ମସିହାରେ ଗୋଟିଏ ଚାମଚ ସମୁଦ୍ର ଜଳ ଆଣି ପରୀକ୍ଷା କରି ଦେଖିଲେ ଯେ ସେତିକି ଜଳରେ ଶହେ କୋଟିରୁ ଅଧିକ ସଂଖ୍ୟକ ଭୂତାଣୁ ଅଛନ୍ତି। ତେଣୁ ମଣିଷଙ୍କ ସଂଖ୍ୟା ଏମାନଙ୍କ ତୁଳନାରେ କେତେ ନ୍ୟୂନ ତାହା ଏଥିରୁ ଅନୁମାନ କରିବାକୁ ହେବ।

ତେବେ ପ୍ରଶ୍ନ ଉଠୁଛି ଏମାନଙ୍କ ମଧ୍ୟରେ ବସବାସ କରି ଆମେ କିପରି ସୁସ୍ଥ ଜୀବନଯାପନ କରିପାରିବା ଓ ନିଜକୁ ନିରୋଗ ରଖିବା। ଏମାନେ ଦୃଶ୍ୟ ହେଉନଥିବାରୁ ଏମାନଙ୍କ ଉପସ୍ଥିତି ଜାଣିବା ଅସମ୍ଭବ। ହୁଏତ ଭୂତାଣୁ ସବୁବେଳେ ଆମ ଶରୀର ଭିତରକୁ ପଶିବାକୁ ଉଦ୍ୟମ କରି ଚାଲିଥିବ ଓ ଥରେ ଆମେ ତାକୁ ଏହି ସୁଯୋଗ ଦେଇଦେଲେ କଥା ସରିଲା! ଅଦୃଶ୍ୟ ଭୂତାଣୁ କବଳରୁ ମୁକ୍ତି ପାଇବାର ବାଟ ହେଉଛି ସାମାନ୍ୟ କେତୋଟି କଥା ମାନି ଚଳିବା। ଯାହା ସବୁ ଏବେ ଆମେ ଜାଣୁ। ଆମ ଶରୀର ଭିତରକୁ ମୁଖ୍ୟ ପ୍ରବେଶ ପଥ ପାଟି, ନାକ ଓ ଆଖିକୁ ସୁରକ୍ଷିତ ରଖିବା। ଏଥିପାଇଁ ପାଟିକୁ ଓ ନାକକୁ ତୁଣ୍ଡି ଦ୍ବାରା ସୁରକ୍ଷିତ ରଖି ବାହାରିବା ତଥା ସାମାଜିକ ଦୂରତା ରଖି ଗହଳିଠାରୁ ଦୂରରେ ରହିବା। ବାହାରୁ ଘରକୁ ଫେରିଲେ ସାବୁନରେ ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ୍ନ ରହିବା। ଏତକ ନକରିବା ଯାଏ କରୋନା ଭୂତାଣୁ ପ୍ରଭାବରୁ ମୁକ୍ତି ନାହିଁ। ଏସବୁ ସାମାନ୍ୟ କାର୍ଯ୍ୟ କରୁନଥିବାରୁ ଏବେ କରୋନା ବଢ଼ିବଢ଼ି ଚାଲିଛି। ବୁଦ୍ଧିମାନ, ବିଜ୍ଞାନୀ ମଣିଷ କ’ଣ କରୋନା କବଳରୁ ନିଜକୁ ସୁରକ୍ଷିତ ରଖିପାରିବ ନାହିଁ, ଏହି ସାମାନ୍ୟ କେତୋଟି କାର୍ଯ୍ୟ କରିପାରିବ ନାହିଁ- ଏହା ହିଁ ଆଜିର ପ୍ରଶ୍ନ। ଭୂତାଣୁର ଆହ୍ବାନକୁ ଆମେ ଗୁରୁତ୍ବର ସହ ନ ନେଇ କ’ଣ ତା’ଠାରୁ ହାରିଯିବା!

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories