ଟିଟିଲାଗଡ଼ : ଟିଟିଲାଗଡ ବ୍ଲକରେ ମନରେଗାରେ କାର୍ଯ୍ୟ କରିଥିବା ଶ୍ରମିକଙ୍କ ପାଉଣା ଠିକଣା ସମୟରେ ପ୍ରଦାନ କରାଯାଉନାହିଁ। ପ୍ରାୟ ୩୫ ଲକ୍ଷ ଟଙ୍କାର ପ୍ରାପ୍ୟ ପ୍ରାୟ ଦୁଇ ମାସ ହେଲା ବକେୟା ରହିଛି। କରୋନା ସମୟରେ ଶ୍ରମିକ ପରିବାର ଏନେଇ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଶୁକ୍ରବାର ବିଡିଓ ନବିନ ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାରୁ ଟିଟିଲାଗଡ ବ୍ଲକର ସରପଞ୍ଚଦାବି କରିଛନ୍ତି। ସେହିପରି କିଛି ପଞ୍ଚାୟତରେ ପୋଖରିର ଉନ୍ନତ୍ତିକରଣ ନେଇ ଜଳ ନିଷ୍କାସନ କରାଯାଇଥିଲା। ହେଲେ ମନରେଗା ପାଣ୍ଠି ମଞ୍ଜୁର ହେବାରେ ବିଳମ୍ବ ହେଉଛି। ମନରେଗାରେ ବ୍ୟକ୍ତିଗତ ପ୍ରକଳ୍ପ ମଧ୍ୟ ମଞ୍ଜୁର ନହୋଇ ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟରେ ଫାଇଲ ପଡିରହିଛି। ଭତ୍ତା ଅନେକ ହିତାଧିକାରୀ ମୃତ୍ୟୁବରଣ କରିସାରିଥିବା ବେଳେ ସରକାରଙ୍କ ନିୟମ ଅନୁଯାୟୀ ଉକ୍ତ ରିକ୍ତ ସ୍ଥାନରେ ନୁତନ ଯୋଗ୍ୟ ଅସହାୟ, ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପ୍ରଦାନ କରାଯାଉନାହିଁ। ଅନେକ ଗରିବ ପରିବାର ଭଙ୍ଗା ମାଟି ଘର ତଥା ପଲିଥିନ ତଳେ ରହୁଥିବା ବେଳେ ଘରଟିଏ ମଞ୍ଜୁର ହୋଇପାରୁନାହିଁ। ଏନେଇ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସରପଞ୍ଚ ଦାବି କରିଛନ୍ତି। ଏହା ସହ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଟିକାଦାନକୁ ଆଗ୍ରାଧିକାର ପ୍ରଦାନ କରିବାକୁ ବିଡିଓଙ୍କ ଠାରେ ଦାବି ହୋଇଛି। ଆଳୋଚନା କାଳରେ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ଅନନ୍ତ କିଶୋର ସାହୁ, ପୁର୍ବତନ ଜିଲା ପରିଷଦ ସଭ୍ୟ ସଞ୍ଜିବ ସାହୁ, ପୁର୍ଣ୍ଣଚନ୍ଦ୍ର ହିଆଲ, ଡମ୍ବରୁଧର ବାଗ, ଇନ୍ଦ୍ର ଜାନୀ, ସୁବାଶ ମହାନନ୍ଦ, ଦୁର୍ବଲ କଟା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



