ବଳାତ୍କାର ପୀଡିତାଙ୍କୁ ମାତ୍ର ୬ ଘଣ୍ଟାରେ ମିଳିଲା ନ୍ୟାୟ
ଉଜ୍ଜେନ: ମାତ୍ର ୬ ଘଣ୍ଟାରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଚାରି ବର୍ଷର ଜଣେ ନାବାଳିକା ସହ ବଳାତ୍କାର ମାମଲାରେ ଉଜ୍ଜେନର କିଶୋର ନ୍ୟାୟ ବୋର୍ଡ ୬ ଘଣ୍ଟାରେ ଫଇସଲା ଶୁଣାଇଛନ୍ତି । ସୋମବାର ନ୍ୟାୟ ବୋର୍ଡ ଜଣେ ୧୪ ବର୍ଷର ଅଭିଯୁକ୍ତଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇବା ସହିତ ବାଳାଶ୍ରମକୁ ପଠାଇବାକୁ ନିର୍ଦେଶ ଦେଇଛନ୍ତି ।
ବଳାତ୍କାର ମାମଲାରେ ଦେଶରେ ଏହାପୂର୍ବରୁ ଏତେ ତ୍ବରିତ ଶୁଣାଣି ହୋଇ ନ ଥିଲା। ଏହି ଘଟଣାଟି ୬ ଦିନ ପୂର୍ବର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ନାବାଳିକଙ୍କୁ ପ୍ରଲୋଭିତ କରି ଅଭିଯୁକ୍ତ ଜଣକ ଘରକୁ ଡାକି ନେଇ ବଳାତ୍କାର କରିଥିଲା। ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ସୋମବାର ରାଜସ୍ଥାନରେ ଥିବା ଜଣେ ସମ୍ପର୍କୀୟଙ୍କ ଘରୁ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
ଏସପି ସଚିନ ଅତୁଲକରଙ୍କ ସୂଚନା ଅନୁଯୟୀ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଡିଏନ୍ଏ ରିପୋର୍ଟ ମିଳିଯାଇଥିଲା। ଡିଏନ୍ଏ ରିପୋର୍ଟରୁ ନାବାଳକ ଜଣକ ବଳାତ୍କାର କରିଥିବା ପ୍ରମାଣିତ ହୋଇଛି । ସୋମବାର ସକାଳ ୧୧ଟାରେ ମାଲନବାସା ସ୍ଥିତ କିଶୋର ନ୍ୟାୟ ବୋର୍ଡରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ବିଚାରପତି ତୃପ୍ତି ପାଣ୍ଡେ ସାକ୍ଷୀ, ପ୍ରମାଣ, ମେଡିକାଲ ଓ ଡିଏନ୍ଏ ରିପୋର୍ଟ ଆଧାରରେ ନାବାଳକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।