ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ସକାଶେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ପକ୍ଷରୁ ଦୁଇଟି କ୍ରାୟୋଜେନିକ ଟ୍ୟାଙ୍କର ଯୋଗାଇ ଦିଆଯ।।ଇଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ତରଳ ମେଡିକାଲ ଅମ୍ଳଜାନ ଯୋଗାଣ ନିମନ୍ତେ ଏହି ଦୁଇଟି ଟ୍ୟାଙ୍କର ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବହାର କରାଯିବ। ନିକଟରେ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନଙ୍କର ବୈଠକରେ କୋଭିଡ-୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ସହଯୋଗ କରିବାକୁ ଶିଳ୍ପଗୁଡିକୁ ଅନୁରୋଧ କରାଯାଇଥିଲା। ଉକ୍ତ ବୈଠକର ସପ୍ତାହକ ମଧ୍ୟରେ ଜେଏସପିଏଲ ପକ୍ଷରୁ ଏହି ଦୁଇଟି ଟ୍ୟାଙ୍କର ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ଜେଏସପିଏଲ ତାହାର ଅନୁଗୁଳସ୍ଥିତ ମେଗା ଇସ୍ପାତ କାରଖାନାରୁ ଗତ ଏପ୍ରିଲ ମାସରୁ ତରଳ ମେଡିକାଲ ଅମ୍ଳଜାନ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଇ ଆସୁଛି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଅନୁଗୁଳ କାରଖାନାରୁ ଦୈନିକ ପ୍ରାୟ ୧୦୦ ଟନ୍ ତରଳ ମେଡିକାଲ ଅମ୍ଳଜାନ ଯୋଗାଇ ଦିଆଯାଉଛି।



