କୋଭିଡ ଟିକା ଅଭାବରୁ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ

ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବକୁ ଦୃଷ୍ଟିରେ ରଖି ବୁଧବାର ୪୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି। ଯଦି ତୁରନ୍ତ ୨୫ ଲକ୍ଷ ଟିକା ରାଜ୍ୟକୁ ନ ଆସେ ତେବେ ଆସନ୍ତା ୧୦ ଦିନ ପାଇଁ ‘ରୋଡ ମ୍ୟାପ୍’ ପ୍ରସ୍ତୁତ କରିବା କଷ୍ଟ ସାଧ୍ୟ ହେବ। ଏହାସହିତ ଟିକାକରଣ ଅଭିଯାନରେ ବାଧା ଉପୁଜିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାସ ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ରାଜ୍ୟରେ ଟିକାକରଣର ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଦୈନିକ ଅଢ଼େଇ ଲକ୍ଷ ଟିକାକରଣ ଲାଗି ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ୧୦ଦିନ ଲାଗି ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି। ସଂପ୍ରତି ଟିକାର ଅଭାବ ଯୋଗୁଁ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇ ମାତ୍ର ୭୫୫ କେନ୍ଦ୍ରରେ ଟିକାକରଣ କରାଯାଇଛି। ରାଜ୍ୟ ସରକାର ଟିକାର ସୁବିନିଯୋଗ କରୁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ମାତ୍ର ୦.୫ ପ୍ରତିଶତ ଟିକା ନଷ୍ଟ ହେଉଛି।

ଶ୍ରୀ ଦାସ କହିଛନ୍ତି ଯେ, ବୁଧବାର ସକାଳ ୧୦ଟା ସୁଦ୍ଧା ରାଜ୍ୟରେ ୫.୩୪ଲକ୍ଷ କୋଭିସିଲ୍ଡ ଟିକା ମହଜୁଦ୍ ରହିଥିଲା। ଯଦି ପର୍ୟ୍ୟାପ୍ତ ଟିକା ଦିଆଯାଏ ଏହା ଅତିବେଶିରେ ୨ଦିନ ଯିବ। ଏହାବାଦ୍ ୪୫ବର୍ଷରୁ ଊର୍ଦ୍ଧ୍ବ ଏବଂ ଅନ୍ୟ କେତେକ ବର୍ଗଙ୍କ ପାଇଁ ଦ୍ବିତୀୟ ଡୋଜ ଟିକାର ନିହାତି ଆବଶ୍ୟକତା ରହିଛି। ଟିକା ଅଭାବ ନେଇ ପୂର୍ବରୁ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ମନ୍ତ୍ରାଳୟକୁ ଅବଗତ କରାଇଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଅତି କମ୍‌ରେ ଆସନ୍ତା ୧୦ଦିନ ଲାଗି ଓଡ଼ିଶାକୁ ୨୫ଲକ୍ଷ ଟିକା ପଠାଇବା ଲାଗି ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.