ଆସନ୍ତାକାଲି ଆସାମ ଓ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ, ଗୋଟିଏ ବୁଥରେ ଭୋଟ ଦେବେ ହଜାରେ

ଆସାମ ଓ ପଶ୍ଚିମବଙ୍ଗରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ସକାଶେ ସବୁ ପ୍ରସ୍ତୁତି ଶେଷ ହୋଇଛି। ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ଇଭିଏମ୍‍ ସହିତ ଭିଭିପାଟ ମେସିନ ବ୍ୟବହାର କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବୃଦ୍ଧି ପାଇବ। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଭୋଟ୍‍ ଗ୍ରହଣ କେନ୍ଦ୍ରରେ ୧୫ଶହ ପରିବର୍ତ୍ତେ ଏକ ହଜାର ଭୋଟଦାତାଙ୍କୁ ଅନୁମତି ଦେବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। କୋଭିଡ ୧୯ ପଜିଟିଭ୍‍ ବ୍ୟକ୍ତିମାନେ ଡାକ ଯୋଗେ ଭୋଟ୍‍ ଦେଇପାରିବେ। ଭିନ୍ନକ୍ଷମ ଓ କ୍ୱାରେଣ୍ଟାଇନ୍‍ରେ ଥିବା ବ୍ୟକ୍ତିବିଶେଷ ଏବଂ ୮୦ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନେ ଡାକଯୋଗେ ଭୋଟ୍‍ ଦେଇପାରିବେ। ସବୁ ଭୋଟ୍‍ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପିଇବା ପାଣି, ଅପେକ୍ଷା କରିବା ପାଇଁ ଛାମୁଣ୍ଡିଆ ଓ ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇଛି। ସବୁ ଭୋଟ୍‍ ଗ୍ରହଣ କେନ୍ଦ୍ରଗୁଡ଼ିକୁ ସାନିଟାଇଜ୍‍ କରାଯିବ।

ଭୋଟଦାତାମାନଙ୍କ ତାପମାତ୍ରା ଯାଞ୍ଚ କରାଯିବ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କର ତାପମାତ୍ରା ମଧ୍ୟ ଯାଞ୍ଚ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଆସାମର ୧୩ଟି ଜିଲ୍ଲାର ଅଣଚାଳିଶଟି ଆସନଟି ପାଇଁ ୩୪୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୨୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୩୦ଟି ଆସନ ପାଇଁ ୧୭୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୧୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ରାଜ୍ୟରେ ୮ ପର୍ଯ୍ୟାୟ ଭୋଟ୍‍ ଗ୍ରହଣ ହେବ। ୭୫ଲକ୍ଷ ୯୫ ହଜାର ଭୋଟ୍‍ ଦାତା ଏହି ପର୍ଯ୍ୟାୟରେ ସେମାନଙ୍କର ମତଦାନ କରିବେ।

ଅନ୍ୟପକ୍ଷରେ କେରଳ ଓ ପୁଡୁଚେରୀ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟ ସରଗରମ ହେଉଛି। ଏପ୍ରିଲ୍‍ ୬ ତାରିଖରେ ଭୋଟ୍‍ ଗ୍ରହଣ ହେବ। କେରଳର ୧୪୦ଟି ଆସନ ପାଇଁ ୯୫୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାମିଲନାଡୁର ୨୩୪ଟି ଆସନ ପାଇଁ ୪ ହଜାର ୧୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ଖବର ମିଳିଛି। ତେଣେ ପୁଡୁଚେରୀର ୩୦ଟି ଆସନ ପାଇଁ ୩୨୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ସେହିଦିନ ହେବ। ଏଥିରେ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। କେରଳର ମଲ୍ଲାପୁରମ ଲୋକସଭା ଆସନ ପାଇଁ ଉପନିର୍ବାଚନରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।

Comments are closed.