www.samajalive.in
Monday, December 15, 2025
16.1 C
Bhubaneswar

ଜଙ୍ଗଲରେ ନିଆଁ ଲଗାଇଲେ ବନ୍ଧା ହେବେ

-ନିଆଁ ଲିଭାଇବେ ଓଡ୍ରାଫ, ଡିଏଫ୍‌ଓ ଦେବେ ରିପୋର୍ଟ, -ଶିମିଳିପାଳ ନିୟନ୍ତ୍ରଣାଧୀନ, ଜୀବଜନ୍ତୁ ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ବର : ଏଣିକି ରାଜ୍ୟର କୌଣସି ଜଙ୍ଗଲରେ ନିଆଁ ଲଗାଇଲେ ସଂପୃକ୍ତ ବ୍ୟକ୍ତି ଗିରଫ ହେବେ। ଏଭଳି ନିର୍ଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ। ନିଆଁ ଲଗାଉଥିବା ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବନାଗ୍ନିକୁ ନେଇ ରାଜ୍ୟବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ଗ୍ରହଣ ଲାଗି ସ୍ଥିର ହୋଇଛି। ଦେଶରେ ଜଙ୍ଗଲ ନିଆଁରେ ଓଡ଼ିଶା ପ୍ରଥମରେ ରହିଛି। କେବଳ ଚଳିତ ବର୍ଷ ନୁହେଁ; ଗତ କିଛିବର୍ଷ ହେଲା ରାଜ୍ୟରେ ଏପରି ବନାଗ୍ନି ଚିନ୍ତାର ବିଷୟ ପାଲଟିଛି। ବିରୋଧୀ କଂଗ୍ରେସ ଓ ବିଜେପି ଏହି ଘଟଣାରେ ସରକାରଙ୍କୁ ସମାଲୋଚନା କରିଆସୁଛନ୍ତି। ବିଶେଷକରି ଶିମିଳିପାଳ ନିଆଁ ଯଥାଶୀଘ୍ର ଲିଭାଇବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ତେବେ ଶିମିଳିପାଳ ଜଙ୍ଗଲର ବନାଗ୍ନି ପ୍ରାୟତଃ ନିୟନ୍ତ୍ରଣାଧୀନ ଅଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି। ବନାଗ୍ନି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ବାହ୍ୟାଞ୍ଚଳ ଜଙ୍ଗଲରେ ସୀମିତ ଥିବା ହେତୁ କେନ୍ଦ୍ରାଞ୍ଚଳର ବନ୍ୟଜନ୍ତୁ ଏହାଦ୍ବାରା ପ୍ରଭାବିତ ହୋଇନାହାନ୍ତି। ଏଥିରେ କୌଣସି ଜୀବଜନ୍ତୁଙ୍କ କ୍ଷତି ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶିମିଳିପାଳରେ ୧୪୨୮ ପଏଣ୍ଟରେ ନିଆଁ ଲାଗିଥିଲା। ଏ ସମସ୍ତ ପଏଣ୍ଟକୁ ଲିଭାଇବା ପାଇଁ ବିଭାଗ ପଦକ୍ଷେପ ନେଇଛି।
ଶିମିଳିପାଳରେ ନିଆଁ ଆୟତ୍ତ କରିବା ପାଇଁ ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇବା ସହ ୧୧୭୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୩୫୯୧ କି.ମି ଫାୟାର ଲାଇନ ତିଆରି କରାଯାଇଛି। ୭ ନୋଡାଲ ଅଫିସର ନିୟୋଜିତ ଅଛନ୍ତି। ୪୦ ଗାଡ଼ିକୁ କାମରେ ଲଗାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ‘ଅଗ୍ନି ଋତୁ’ ଆରମ୍ଭ ପୂର୍ବରୁ ଅଗ୍ନି ନିୟନ୍ତ୍ରଣ ପାଇଁ ଶିମିଳିପାଳ ଅଞ୍ଚଳ ପାଇଁ ୨ କୋଟି ୧୪ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ନିଆଁର ଭୟାବହତାକୁ ଉପଲବ୍ଧି କରି ରାଜ୍ୟ ସରକାର ବନାଗ୍ନି ପରିଚାଳନା ପାଇଁ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ବନାଗ୍ନି ନିର୍ବାପନ କାର୍ଯ୍ୟରେ ଓଡ୍ରାଫକୁ ନିୟୋଜିତ କରାଯାଇଛି।
ରାଜ୍ୟରେ ବନାଗ୍ନି ପ୍ରତିହତ ଲାଗି ଆବଶ୍ୟକୀୟ ପଦକ୍ଷେପ ବାବଦରେ ଉପଦେଶ ଦେବା ନିମନ୍ତେ ପୂର୍ବତନ ପ୍ରଧାନ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ ହୋଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶଶି ପଲ, ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଡେରାଡୁନର ମହାନିର୍ଦେଶକ ପଙ୍କଜ ଅଗ୍ରୱାଲ, ଇଣ୍ଡିଆନ କାଉନସିଲ ଅଫ ଫରେଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଏଜୁକେସନ, ଡେରାଡୁନର ମହାନିର୍ଦେଶକଙ୍କ ପ୍ରତିନିଧି, ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର, ହାଇଦ୍ରାବାଦର ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ, ଓରସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପିକେ ମଲ୍ଲିକ, ଓଡ଼ିଶା ପରିବେଶ ସୋସାଇଟିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ ଏହାର ସଦସ୍ୟ ଅଛନ୍ତି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ଭାରପ୍ରାପ୍ତ) ଜିତେନ୍ଦ୍ର କୁମାର ଟାସ୍କଫୋର୍ସର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।
ଜଙ୍ଗଲରେ ଲାଗିଥିବା ନିଆଁର କାରଣ ଓ ନିରାକରଣ ବ୍ୟବସ୍ଥା, ଅତ୍ୟାଧୁନିକ ପ୍ରଣାଳୀରେ ନିଆଁକୁ କିଭଳି ଲିଭା ଯାଇପାରିବ, ଜୈବ ବିବିଧତା କ୍ଷୟକ୍ଷତି ଆକଳନ ଟାସ୍କଫୋର୍ସର ମୁଖ୍ୟ କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଫେବୃଆରୀ ୧୫ରୁ ଜୁନ୍ ୧୫ ତାରିଖ ଯାଏଁ ଅଗ୍ନିଋତୁ ଭାବେ ବିବେଚନା କରାଯାଏ। ଏହି ସମୟରେ ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ଏହି କମିଟି ବ୍ୟାପକ ବ୍ୟବସ୍ଥା କରିବ। ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି, କି ପ୍ରକାର ପଦକ୍ଷେପ ନିଆଯାଇଛି ଏନେଇ ଡିଏଫଓ ବିସ୍ତୃତ ରିପୋର୍ଟ ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ଜଙ୍ଗଲ ଓ ପରିବେଶ ବିଭାଗକୁ ଦେବାକୁ ଚିଠିରେ କୁହାଯାଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories