www.samajalive.in
Thursday, December 11, 2025
14.1 C
Bhubaneswar

ସିସୋରର ୬୫୦ କୋଟି ସମ୍ପତ୍ତି ବାଜ୍ୟାପ୍ତି ନିର୍ଦେଶ : କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବଣ୍ଟା ହେବ ନିଲାମ ଅର୍ଥ

କଟକ : ସିସୋର ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରି ନିଲାମ ପାଇଁ କଟକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତି ପରେ ଏହି ସମ୍ପତ୍ତି ନିଲାମ କରାଯାଇ ନିଲାମରୁ ମିଳିବାକୁ ଥିବା ଅର୍ଥ ସିସୋର ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ବଣ୍ଟନ କରାଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ମୂଲ୍ୟ ୬୫୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ନିର୍ଦ୍ଦେଶ ଅନୁସାରେ ସଂସ୍ଥାର ବିଭିନ୍ନ ଜିଲାରେ ଥିବା ୧୯୭ ଏକର ଜମି, ୧ କିଲୋ ୩୮୫ ଗ୍ରାମ ସୁନା, ୨୦୦ କିଲୋ ରୁପା, ବ୍ୟାଙ୍କରେ ଜମା ଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ୧୦୪ ଟଙ୍କା ୮୮ ପଇସା, ତି‌ନୋଟି ଦାମୀ କାର୍‌ ବାଜ୍ୟାପ୍ତି କରାଯାଇ ସମ୍ପୃକ୍ତ ଅର୍ଥକୁ ଏହି ଚିଟ୍‌ଫଣ୍ତ୍‌ ସଂସ୍ଥାଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ।
ପ୍ରକାଶ ଯେ ଅର୍ଥ ବିଭାଗପକ୍ଷରୁ ୨୦୧୩ ଡିସେମ୍ବର ୨ରେ ଜାରି ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ସିସୋର ସଂସ୍ଥାର ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିଚାଳନାଭାର ପ୍ରାଧିକୃତ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ପରେ ଓପିଆଇଡି ଆଇନ୍‌ ଅନୁସାରେ ପ୍ରାଧିକୃତ ଅଧିକାରୀ ସିସୋରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରି ନିଲାମ ପାଇଁ ଅନୁମତି ଲୋଡି ସ୍ବତନ୍ତ୍ର ଅଦାଲତରେ ୨୦୧୩ ଡିସେମ୍ବର ୨୮ରେ ଆବେଦନ କରିଥିଲେ। ମାମଲାରେ ସିସୋର ମୁଖ୍ୟ
ପ୍ରଶାନ୍ତ ଦାଶଙ୍କ ସମେତ ମୋଟ ୪୫ଜଣ ପ୍ରତିପକ୍ଷ ରହିଥିଲେ। ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଶ୍ରୀ ଶ୍ରୀ ବରାଡ ବାଲୁଙ୍କେଶ୍ବର ଦେବ ଠାକୁରଙ୍କ ନିର୍ବାହୀ ଅଧିକାରୀ, ଇଡ୍‌କୋ, ଇଣ୍ଡିଆନ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଇଡକୋ, ଓରେଡା ପକ୍ଷଭୁକ୍ତ ହୋଇଥିଲେ। ଆବେଦନକାରୀ ପ୍ରାଧିକୃତ ଅଧିକାରୀ ତଥା ତତ୍କାଳୀନ କଟକ ଏଡିଏମ ବିଭୁତିଭୂଷଣ ଦାସ ଓ ତତ୍କାଳୀନ କ୍ରାଇମବ୍ରାଞ୍ଚ ଡିଏସପି ସରୋଜ ରଥ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କପକ୍ଷରୁ ୧୪୭ଟି ବିଭିନ୍ନ ନଥିପତ୍ର ଦାଖଲ କରାଯାଇଥିଲା। ସ୍ବତନ୍ତ୍ର ଅଦାଲତ ବିଚାରପତି ମାମଲାର ଚୂଡାନ୍ତ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଗୋଟିଏ ବ୍ୟାଙ୍କ ଓ ଇଡ୍‌କୋର କିଛି ଜମି, ବରାଡ ବାଲୁଙ୍କେଶ୍ବର ଦେବଠାକୁରଙ୍କ ୨ ଏକର ୯୭ ଡିସିମିଲ ଜମି, ଏଚଡିଏଫସି ବ୍ୟାଙ୍କର ବିଏମଡବ୍ଲୁ କାର୍‌କୁ ବାଦ ଦେଇ ଅବଶିଷ୍ଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ନି‌ର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କପକ୍ଷରୁ ସ୍ବତନ୍ତ୍ର ଭାବେ ନିଯୁକ୍ତ ଆଇନଜୀବୀ ବିବେକାନନ୍ଦ ଭୂୟାଁ ଓ ସ୍ବତନ୍ତ୍ର ପବ୍ଲକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories