www.samajalive.in
Sunday, December 7, 2025
13.1 C
Bhubaneswar

‘ଟୁଲ୍‌କିଟ୍’ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ୍‌ (ଟୁଇଟ୍‌)କୁ ନେଇ ଦେଶରେ ନୂଆ ଝଡ ସୃଷ୍ଟି ହୋଇଛି। ଏହି ମାମଲାରେ ଯୁବ ଜଳବାୟୁ କର୍ମୀ ଦିଶା ରବି (୨୧)ଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ପ୍ରକାଶ ପାଇଛି। ଦିଶା ଏବେ ଦିଲ୍ଲୀ ପୁଲିସ ହେପାଜତରେ ଥିବାବେଳେ ଟୁଲ୍‌କିଟ୍‌ ସମ୍ପାଦନାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ସାମାଜିକ କର୍ମୀ ଶାନ୍ତନୁ ଓ ନିକିତା ଜ୍ୟାକବଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛି। ନିକିତା ବମ୍ବେ ହାଇକୋର୍ଟର ଜଣେ ଓକିଲ ଓ ଶାନ୍ତନୁ ଜଣେ ଇଞ୍ଜିନିୟର। ଶାନ୍ତନୁ ଏକ ଏନଜିଓ ଚଳାଉଛନ୍ତି। ଜନତାଙ୍କ ଉତ୍ତେଜନା ଉପରେ ସୋମବାର ଦିଲ୍ଲୀ ପୁଲିସ ସାମ୍ବାଦିକ ସମ୍ମିଳନୀ ଡକାଇ ଜବାବ ରଖିଛି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସର ଯୁଗ୍ମ କମିସନର (ସାଇବର) ପ୍ରେମ ନାଥ କହିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ଭାରତକୁ ବିଶ୍ବ ଦରବାରରେ ନିନ୍ଦିତ କରିବାକୁ ଦିଶା ଓ ତାଙ୍କର ସାଥୀମାନେ ଷଡଯନ୍ତ୍ର କରିଥିଲେ। ଖଲିସ୍ତାନ ସପକ୍ଷବାଦୀ ସଂଗଠନ ପୋଏଟିକ୍ ଜଷ୍ଟିସ ଫାଉଣ୍ଡେସନ (ପିଏଫଜେ) ଏହି ଷଡଯନ୍ତ୍ରର ସୂତ୍ରଧର। ପିଏଫଜେର ପ୍ରରୋଚନାରେ ଦିଶା ଓ ତାଙ୍କ ସାଥୀମାନେ ଟୁଲକିଟର ସମ୍ପାଦନା କରିଥିଲେ। ଭାରତ ବିରୋଧରେ ଡିଜିଟାଲ ଷ୍ଟ୍ରାଇକ କରିବାକୁ ସେମାନେ ଟୁଲକିଟ୍‌ ପ୍ରସ୍ତୁତ କରିଥିଲେ। ପ୍ରସ୍ତୁତ ଟୁଲ୍‌କିଟ୍‌କୁ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଫେବୃଆରୀ ୪ରେ ଟୁଇଟ୍‌ କରିଥିଲେ।

ପୁଲିସ କହିଛି ଯେ ପିଏଫ୍‌ଜେର ଷଡ଼ଯନ୍ତ୍ର ଆଧାରରେ ଦିଶା ଓ ଅନ୍ୟ ସାମାଜିକ କର୍ମୀ ସମନ୍ବିତ ଯୋଜନା ପୂର୍ବକ ଟୁଲକିଟ୍‌ ସମ୍ପାଦନା କରିଥିଲେ। ସମ୍ପାଦିତ ଟୁଲ୍‌କିଟ୍‌କୁ ସ୍ବିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗଙ୍କ ନିକଟକୁ ଟେଲିଗ୍ରାମ ମାଧ୍ୟମରେ ପଠାଯାଇଥିଲା। ଥନବର୍ଗ ଏହି ଟୁଲ୍‌କିଟ୍‌କୁ ଫେବୃଆରୀ ୪ରେ ଟୁଇଟ୍‌ କରିଥିଲେ। ଥନବର୍ଗଙ୍କ ଟୁଇଟ୍‌ ପରେ ପୁଲିସ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲା। ଗ୍ରେଟା ଯେଉଁ ହାସ୍‌ଟ୍ୟାଗକୁ ଟୁଇଟ୍ କରିଥିଲେ ତାକୁ ଦିଶା ଓ ଅନ୍ୟମାନେ ସମ୍ପାଦନା (ପ୍ରସ୍ତୁତ) କରିଥିଲେ।

- Advertisement -

ପିଏଫଜେ ପକ୍ଷରୁ କାନାଡାର ମହିଳା ପୁନିତ୍ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି। ପୁନିତ୍ ପ୍ରଥମେ ନିକିତାଙ୍କୁ ଯୋଗାଯୋଗ କରିଥିଲେ। ଜାନୁଆରୀ ୧୧ରେ ଏକ ଜୁମ୍ ବୈଠକ ଆୟୋଜନ ହୋଇଥିଲା। ଏଥିରେ ପିଏଫଜେର ପ୍ରତିଷ୍ଠାତା ଧାଲିୱାଲା, ନିକିତା, ଦିଶା ରବି, ଶାନ୍ତନୁଙ୍କ ସମେତ ୬୦ଜଣ ସାମିଲ ହୋଇଥିଲେ। ବୈଠକରେ ଟୁଲ୍‌କିଟ୍‌ର ଯୋଜନା ପ୍ରସ୍ତୁତ ହୋଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛି। ଯୋଜନା ଆଧାରରେ ନିକିତା, ଶାନ୍ତନୁ ଓ ଦିଶା ଟୁଲ୍‌କିଟ୍ ପ୍ରସ୍ତୁତ କରିଥିଲେ। ଗ୍ରେଟାଙ୍କ ଟୁଇଟ୍‌ ପରେ ପୁଲିସ ଏହା ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୁଗଲଠାରୁ ଆବଶ୍ୟକ ତଥ୍ୟ ଯୋଗାଡ଼ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା। ଫେବୃଆରୀ ୯ରେ ନିକିତା ଜ୍ୟାକବ୍‌ଙ୍କ ଘରେ ପୁଲିସ ପ୍ରଥମେ ଚଢଉ କରି ଦୁଇଟି ଲାପଟପ୍ ଓ ମୋବାଇଲ ଜବତ କରିଥିଲେ। ଚଢଉ ପୂର୍ବରୁ ମୁମ୍ବଇ ପୁଲିସକୁ ସୂଚନା ଦିଆଯାଇଥିଲା। ତେବେ ଚଢଉ ସମୟରେ ନିକିତା ଫେରାର ହୋଇଯାଇଥିଲେ। ପରେ ଦିଶା ରବି ଓ ଶାନ୍ତନୁଙ୍କୁ ଗିରଫ କରିବାକୁ ପୁଲିସ ଚଢଉ କରିଥିଲା। ପୁଲିସ କହିଛି ଯେ ଦିଶାଙ୍କ ଜବତ ମୋବାଇଲ ଫୋନର ତଥ୍ୟ ଅନୁଯାୟୀ ସମ୍ପାଦିତ ଟୁଲ୍‌କିଟ୍‌କୁ ସେ ଟେଲିଗ୍ରାମ ଆପ୍ ମାଧ୍ୟମରେ ଗ୍ରେଟା ଥନବର୍ଗଙ୍କ ନିକଟକୁ ପଠାଇଥିଲେ। ଟୁଲ୍‌କିଟ ସମ୍ପର୍କରେ କିଛି ନ କହିବାକୁ ଗ୍ରେଟାଙ୍କୁ ଦିଶା କହିଥିଲେ। କାରଣ ଦିଶା ଜାଣିଥିଲେ ଯେ ତାଙ୍କର କାର୍ଯ୍ୟକଳାପ ଭାରତର ଆଇନ (ୟୁଏପିଏ) ଅନୁଯାୟୀ ଦଣ୍ଡନୀୟ ଅପରାଧ।

ପ୍ରତିବାଦରେ ୧୮ରେ କୃଷକଙ୍କ ରେଳରୋକ
ବେଙ୍ଗାଲୁରୁର ଯୁବ ଜଳବାୟୁ କର୍ମୀ ଦିଶା ରବିଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବାକୁ ନେଇ ଦେଶରେ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କ୍ରମରେ ଦିଶାଙ୍କ ସମର୍ଥନରେ ବାହାରିଛନ୍ତି ଆନ୍ଦୋଳନରତ କୃଷକ। ମିଳିତ କୃଷକ ସଂଗଠନ ରବିଙ୍କ ଗିରଫକୁ ନିନ୍ଦା କରିବା ସହ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛି। ଦିଶାଙ୍କ ଗିରଫ ପ୍ରତିବାଦରେ ଫେବୃଆରୀ ୧୮ରେ ସାରା ଦେଶରେ କୃଷକ ସଂଗଠନ ପକ୍ଷରୁ ୪ଘଣ୍ଟା ପାଇଁ ରେଳ ରୋକ୍ କରାଯିବ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ କୃଷକ ସଂଗଠନ କହିଛି ଯେ କୃଷକ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ସରକାର କ୍ଷମତାର ଅପବ୍ୟବହାର କରୁଛନ୍ତି। ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରା ନଯାଇ ଦିଶା ରବିଙ୍କୁ ଗିରଫ କରାଯାଇଛି। ତେଣୁ ବିନା କୌଣସି ସର୍ତ୍ତରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ। ଜଳବାୟୁ କାର୍ଯ୍ୟକର୍ତ୍ତାମାନେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସେମାନଙ୍କୁ ପୁଲିସ ଗିରଫ କରିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories