www.samajalive.in
Monday, December 15, 2025
14.1 C
Bhubaneswar

ନିନ୍ଦନୀୟ

ଙ୍ଗଳବାର ଗଣତନ୍ତ୍ର ଦିବସରେ ଦେଶର ରାଜଧାନୀ ଦିଲ୍ଲୀର କେନ୍ଦ୍ରସ୍ଥଳରେ ଯେଉଁ ହିଂସାତ୍ମକ ବାତାବରଣ ସୃଷ୍ଟି ହେଲା, ତାହା ଅତୀବ ନିନ୍ଦନୀୟ ଓ ଦୁଃଖଦ। ତିନିଟି ନୂତନ କୃଷି ଆଇନର ପ୍ରତ୍ୟାହାର ଦାବିରେ ଦୀର୍ଘ ଦୁଇ ମାସରୁ ଅଧିକ କାଳ ଦିଲ୍ଲୀ ସୀମାରେ କୃଷକମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇ ଆସିଥିବାବେଳେ କୃଷକ ସଂଘ ଦ୍ବାରା ଆହୂତ ‘ଟ୍ରାକ୍ଟର ପରେଡ଼’ ଅବ୍ୟବସ୍ଥିତ, ବିଶୃଙ୍ଖଳିତ ଓ ଦିଗ୍‌ଭ୍ରଷ୍ଟ ହୋଇପଡ଼ିବା ଏହି ଆନ୍ଦୋଳନ ଓ ତା’ର ଭବିଷ୍ୟ ଉପରେ ସ୍ବତଃ ପ୍ରଶ୍ନବାଚୀ ଲଗାଇ ଦେଇଛି। କୃଷକ ସଂଘ ଓ ଦିଲ୍ଲୀ ପୁଲିସ ମଧ୍ୟରେ ବହୁ ପର୍ଯ୍ୟାୟ ଆଲୋଚନା ପରେ ନିର୍ଦିଷ୍ଟ ରାସ୍ତା ଦେଇ ଓ ନିର୍ଦିଷ୍ଟ ସମୟରେ କୃଷକମାନେ ସେମାନଙ୍କର ଟ୍ରାକ୍ଟର ପରେଡ଼ କରିବେ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ପୁଲିସ୍‌ ସର୍ତ୍ତାବଳୀ ମଧ୍ୟ ଜାରି କରିଥିଲା; କିନ୍ତୁ ତାହା ଠିକ୍‌ଭାବେ କାର୍ଯ୍ୟକାରୀ ହୋଇନଥିବା ସ୍ପଷ୍ଟ। କୃଷକ ସଂଘ ଟ୍ରାକ୍ଟର ନେଇ ଆସିଥିବା ଚାଷୀମାନଙ୍କୁ ନିର୍ଦେଶ ଦେଇ ଠିକ୍‌ ରାସ୍ତାରେ ନେବାରେ ବିଫଳତା ପାଇଁ ହେଉ ଅବା କୃଷକ ସଂଘ ନେତାଙ୍କ ଅଭିଯୋଗ ଅନୁଯାୟୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଷଡ଼ଯନ୍ତ୍ରକାରୀଙ୍କ ଷଡ଼ଯନ୍ତ୍ର ହେଉ, ପୂର୍ବରୁ ‘ଐତିହାସିକ’ ବୋଲି ଧରାଯାଉଥିବା ‘ଟ୍ରାକ୍ଟର ପରେଡ଼’ଟି ଶେଷରେ ଅପଖ୍ୟାତିର ବିଷୟ ହିଁ ପାଲଟିଗଲା। କେତେକ ଲୋକ ଯେପରି ନିଜ ଟ୍ରାକ୍ଟରକୁ ଲୋକଙ୍କ ଭିତରେ ଚାରିପଟେ ବୁଲାଉଥିଲେ ଏବଂ କେତେକ ଜାଗାରେ ଖଣ୍ଡା ଧରି ଲୋକେ ନୃତ୍ୟ କରୁଥିଲେ, ତାହା ବିଚଳିତକାରୀ ଦୃଶ୍ୟ ଥିଲା। କୃଷକ ସଂଘ ପକ୍ଷରୁ ଅବଶ୍ୟ ପୂର୍ବରୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ଅନୁରୋଧ କରାଯାଇଥିଲା ଯେ ସାଂଗରେ ସେମାନେ କୌଣସି ପ୍ରକାରର ଅସ୍ତ୍ରଶସ୍ତ୍ର ଆଣିବେ ନାହିଁ ଏବଂ ଟ୍ରାକ୍ଟରଗୁଡ଼ିକୁ ନିର୍ଦିଷ୍ଟ ରାସ୍ତାରେ ସୁଶୃଙ୍ଖଳିତ ଭାବେ ଚଳାଇ ପରେଡ଼ରେ ଅଂଶଗ୍ରହଣ କରିବେ; କିନ୍ତୁ ମଧ୍ୟାହ୍ନ ପରେ ଚିତ୍ର ସଂପୂର୍ଣ୍ଣ ବଦଳିଯାଇଥିଲା। ଅନେକ ସ୍ଥାନରେ ପୁଲିସର ଅବରୋଧକକୁ ଭାଙ୍ଗି ଶତାଧିକ ଟ୍ରାକ୍ଟର ଭିନ୍ନ ରାସ୍ତାରେ ଗତି କରିଥିଲା, ଯାହାକୁ ଅଟକାଇବା ଅଳ୍ପସଂଖ୍ୟକ ପୁଲିସ ପାଇଁ ଅସମ୍ଭବ ହୋଇପଡ଼ିଥିଲା। ଐତିହାସିକ ଲାଲ୍‌କିଲା ଓ ଦିଲ୍ଲୀ ପୁଲିସର ମୁଖ୍ୟାଳୟ ରହିଥିବା ଆଇଟିଓ ଅଞ୍ଚଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ହାତାହାତି ଓ ଢେଲାପଥର ମାଡ଼ ଭଳି ଅକଳ୍ପନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ୍‌କୁ ବାଧ୍ୟହୋଇ ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡ଼ିଥିଲା। ଭିଡ଼ ଯେତେବେଳେ ହିଂସାତ୍ମକ ହୁଏ, ତାକୁ କାବୁ କରିବା ସହଜ ନୁହେଁ। ଗତକାଲିର ହିଂସାରେ ପ୍ରାୟ ୩୦୦ ଜଣ ପୁଲିସ ଆହତ ହୋଇଥିବା ସରକାରୀଭାବେ କୁହାଯାଇଛି। ଏହା ସତ୍ତ୍ବେ ପୁଲିସ ଅଧିକ ବଳ ପ୍ରୟୋଗ ନକରି ଯେଉଁ ସଂଯମ ରକ୍ଷା କରିଛି, ତାହା ପ୍ରଶଂସନୀୟ। ପୁଲିସ ଯଦି ସେପରି କିଛି ଅପରିଣାମଦର୍ଶୀ କାର୍ଯ୍ୟ କରିଥା’ନ୍ତା, ତେବେ ହିଂସାକାଣ୍ଡ ଉଗ୍ର ହୋଇ ଅଧିକ ଧନଜୀବନ କ୍ଷୟକ୍ଷତିର ଆଶଙ୍କା ରହିଥିଲା। ଆଶ୍ବାସନାର କଥା ଯେ ସେପରି ବଡ଼ ଅଘଟଣ ଘଟିନାହିଁ ଓ ଶେଷବେଳକୁ କୃଷକ ସଂଘ ନେତାଙ୍କ ଅନୁରୋଧରେ ଲୋକେ ନିଜନିଜ ଟ୍ରାକ୍ଟର ଧରି ଫେରିଆସିଛନ୍ତି।

ଦୀର୍ଘ ଦିନ ଧରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣଭାବେ ଚାଲିଆସିଥିଲାବେଳେ ଦିଲ୍ଲୀରେ କାହିଁକି ଏପରି ହିଂସାତ୍ମକ ବାତାବରଣ ସୃଷ୍ଟି ହେଲା, ଏହା ଏକ ବଡ଼ ପ୍ରଶ୍ନ। ବୁଧବାର ଅନୁଷ୍ଠିତ ୪୧ଟି କୃଷକ ସଂଗଠନର ସଂଘ ସଂଯୁକ୍ତ କିଷାନ ମୋର୍ଚା (ଦୁଇଟି ସଂଗଠନ ଏବେ ଓହରିଯିବାକୁ ଘୋଷଣା କରିଛନ୍ତି) ବୈଠକରେ ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ସଂଗଠନ ଓ ଜଣେ ବ୍ୟକ୍ତିଙ୍କୁ ଏଥିପାଇଁ ଦାୟୀ କରାଯାଇଛି। ପ୍ରଥମତଃ, ଲାଲ୍‌କିଲା ସମ୍ମୁଖରେ ଶିଖ୍‌ ଧର୍ମୀୟ ପତାକା ଲଗାଇବା ପରି ବିବାଦୀୟ ଘଟଣା ମୂଳରେ ପଞ୍ଜାବୀ ଅଭିନେତା ଦୀପ୍‌ ସିଧୁ ସିଧାସଳଖ ଭାବେ ସଂପୃକ୍ତ ଏବଂ ତାଙ୍କ ପ୍ରରୋଚନାରେ କେତେକ ଲୋକ ସେଠାକୁ ଟ୍ରାକ୍ଟର ନେଇ ଯାଇଥିବା କୃଷକ ନେତାଙ୍କ ଦ୍ବାରା ଅଭିଯୋଗ କରାଯାଇଛି। ଏହା ସତ୍ୟ ମଧ୍ୟ ପ୍ରତୀତ ହୁଏ, କାରଣ ଉକ୍ତ ଘଟଣାର ଅଳ୍ପ ସମୟ ପରେ ଦୀପ୍‌ ଏକ ଭିଡିଓ ବାର୍ତ୍ତା ଜାରି କରି ଘଟଣାଟିର ଔଚିତ୍ୟ ଦର୍ଶାଇବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ ଯେ ଏହି ପଞ୍ଜାବୀ ଅଭିନେତାଜଣକ ଏକଦା ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ୍‌ଙ୍କର ଘନିଷ୍ଠ ଥିବା ସହ ୨୦୧୯ ଲୋକସଭା ନିର୍ବାଚନବେଳେ ତାଙ୍କର ପ୍ରମୁଖ ସହଯୋଗୀ ଥିଲେ। ଏହି କାରଣରୁ ସେ ଏହି ଆନ୍ଦୋଳନ ସହ ସଂପୃକ୍ତ ହେବାପରେ କୃଷକ ସଂଘଗୁଡ଼ିକ ପକ୍ଷରୁ ତାଙ୍କୁ ‘ବିଜେପିର ଏଜେଣ୍ଟ୍‌’ ଭାବେ ଅଭିହିତ କରାଯାଇ ଆନ୍ଦୋଳନଠାରୁ ଦୂରେଇ ରହିବାକୁ କୁହାଯାଇଥିଲା। ଦୀପ୍‌ ବହୁଲୋକଙ୍କୁ ନେଇ କିପରି ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ରହିଥିବା ଲାଲ୍‌କିଲା ସମ୍ମୁଖରେ ପହଞ୍ଚିପାରିଲେ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିଶୃଙ୍ଖଳିତ ଲୋକେ ଜାତୀୟ ଐତିହ୍ୟ ଲାଲ୍‌କିଲାର କିଛି କ୍ଷତି କରିଛନ୍ତି ନା ନାହିଁ, ତାହା ଦେଖାଯିବା ଜରୁରୀ।

- Advertisement -

ଦ୍ବିତୀୟତଃ, ସଂଯୁକ୍ତ କିଷାନ ମୋର୍ଚା ସହ ସଂପୃକ୍ତ ନଥିବା ଏବଂ ତା’ର ଅନୁଶାସନକୁ ସମ୍ମାନ ଦେଉନଥିବା ଏକ କୃଷକ ସଂଗଠନ ‘କିଷାନ ମଜଦୁର ସଂଘର୍ଷ କମିଟି’ ନିର୍ଦ୍ଧାରିତ ସମୟ ଓ ରାସ୍ତାକୁ ଅବମାନନା କରି ଚାଷୀମାନଙ୍କୁ ନେଇ ସକାଳ ୮ଟାରୁ ହିଁ ଦିଲ୍ଲୀ ଭିତରେ ପ୍ରବେଶ କରିଥିବା କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଆନ୍ଦୋଳନର ପ୍ରମୁଖ ସ୍ଥଳ ସିଂଘୁ ସୀମାରେ ହିଁ ସେମାନେ ସର୍ତ୍ତାବଳୀର ଉଲ୍ଲଙ୍ଘନ କରିଛନ୍ତି। ଏମାନେ ହିଁ ହିଂସାକାଣ୍ଡ ଓ ଅନ୍ୟ ଉପଦ୍ରବକାରୀ କାର୍ଯ୍ୟରେ ଲିପ୍ତ ଥାଇପାରନ୍ତି। ଗଣତନ୍ତ୍ର ଦିବସ ଭଳି ଏକ ଜାତୀୟ ପର୍ବ ପାଳନ ଅବସରରେ ଏପରି ହୀନକାର୍ଯ୍ୟ କରିଥିବା ଲୋକଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯିବା ଆବଶ୍ୟକ। କୃଷକ ନେତାଗଣ ଯେତେ ସଫେଇ ଦେଲେ ମଧ୍ୟ ତାହା ଆଦୌ ଯଥେଷ୍ଟ ନୁହେଁ। ଯେ କୌଣସି କାରଣରୁ ଏବଂ ଯାହାଦ୍ବାରା ଏହି ହିଂସାକାଣ୍ଡ ଘଟିଥାଉ, ଆନ୍ଦୋଳନକୁ ଯେ ଏହା ଦୁର୍ବଳ କରିଛି ଏବଂ ନେତୃତ୍ବ ପ୍ରତି ପ୍ରଶ୍ନ ଉଠାଇଛି, ସେଥିରେ ସନ୍ଦେହ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories