www.samajalive.in
Saturday, December 13, 2025
26.1 C
Bhubaneswar

ଆର୍ଥିକ ଅନଟନରେ ସଂଗ୍ରାମୀ ପରିବାର, ଭୁଲିଗଲେ ସରକାର!

ଉତ୍ତରଭୁବନେଶ୍ୱର: ଦେଶ ମାତୃକାର ସ୍ୱାଧୀନତା ପାଇଁ ଯେଉଁମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ସଂଗ୍ରାମରେ ଝାସ ଦେଇଥିଲେ ଏବଂ ଦେଶ ମାତୃକାକୁ ପରାଧୀନରୁ ସ୍ୱାଧୀନ କରିଥିଲେ ସେମାନେ ଚିର ସ୍ମରଣୀୟ ଓ ବନ୍ଦନୀୟ। ହେଲେ ସେମାନଙ୍କ ଅବର୍ତ୍ତମାନରେ ଆମେ ସେମାନଙ୍କୁ କେତେ ମନେ ରଖିଛେ ଏବଂ ତାଙ୍କ ପରିବାରକୁ କେତେ ମନେ ପକାଉଛେ ଜଣେ ସଂଗ୍ରାମୀଙ୍କ ପରିବାରକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।
ଏମିତି ଏକ ଅଭିଯୋଗ ଖୋର୍ଦ୍ଧା ଜିଲା ବାଲିଅନ୍ତା ତଳଗଡ଼ ଅଞ୍ଚଳର ଜଣେ ସଂଗ୍ରାମୀଙ୍କ ପରିବାରରୁ ଆସିଛି। ଗ୍ରାମର ଲକ୍ଷ୍ମଣ କୁମାର ସାହୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଇତିହାସ ପୃଷ୍ଠାରେ ରହିଯାଇଛନ୍ତି। ୧୯୨୯ରେ ଘର ଛାଡ଼ି ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୧୯ବର୍ଷ ବୟସ ହୋଇଥିଲା। ଗାନ୍ଧିଜୀ ସାରା ଦେଶବାସୀଙ୍କୁ ନିଶା ନିବାରଣଠାରୁ ଆରମ୍ଭ କରି ବିଦେଶୀ ଦ୍ରବ୍ୟ ବର୍ଜନ ଭଳି ଅହିଂସା ଆନ୍ଦୋଳନ ଡାକରା ଦେଇଥିଲେ। ଏହା ଲକ୍ଷ୍ମଣଙ୍କ ମନରେ ଦେଶ ସେବାର ଭାବନା ଉଦ୍ରେକ କରିଥିଲା। ଫଳସ୍ୱରୂପ ପରିବାର ଲୋକଙ୍କ ଅଜ୍ଞାତରେ ଘରୁ ଲୁଚି ପଳାଇ ଯାଇଥିଲେ। କଟକରେ ଥିବା ଏକ ଜୈନ ମନ୍ଦିରରେ ଆଶ୍ରୟ ନେଇ କାମ ଆରମ୍ଭ କରିଥିଲେ। କଟକ, ବାଲେଶ୍ୱର, ଯାଜପୁର ଓ ପାଟଣା କ୍ୟାମ୍ପ ଜେଲ୍‍ରେ ସମୁଦାୟ ୪ଥରରେ ୧୨ ବର୍ଷ ବନ୍ଦୀ ଜୀବନ ମଧ୍ୟ କଟାଇଥିଲେ। ୧୯୩୦ରେ ‘ସତ୍ୟାଗ୍ରହ ସମାଚାର’ ନାମକ ଏକ ଖବରକାଗଜ ବିକ୍ରି ଅଭିଯୋଗରେ ୪ମାସ ଜେଲ୍‌ ଦଣ୍ଡ ଭୋଗିଥିଲେ। ୧୯୩୨ରେ ବାଲେଶ୍ୱର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଭାଗନେଇ ବ୍ରିଟିଶ୍‍ ପୁଲିସ ଲାଠି ମାଡ଼ ଖାଇଥିଲେ ଏବଂ ୨ମାସ ଜେଲ୍‍ରେ ବନ୍ଦୀ ଭାବେ ରହିଥିଲେ। ୧୯୩୨ରେ ଯାଜପୁର ଜିଲାର ଧର୍ମଶାଳା ହାଟରେ ବିଦେଶୀ ସାମଗ୍ରୀ ବର୍ଜନ ପାଇଁ ଆନ୍ଦୋଳନ କରି ଧରାପଡ଼ିଥିଲେ। ୬ମାସ ଜେଲ୍‍ ଦଣ୍ଡ ଭୋଗିଥିବା ବେଳେ କଟକକୁ ସ୍ଥାନାନ୍ତର ହୋଇଥିଲେ। ପରେ ପାଟଣା କ୍ୟାମ୍ପ ଜେଲ୍‍କୁ ସ୍ଥାନାନ୍ତର ହୋଇ ୨ମାସ ଦଣ୍ଡ ଭୋଗିଥିଲେ। ୧୯୩୪ ଗାନ୍ଧିଜୀଙ୍କ ଉତ୍କଳ ପଦଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଲକ୍ଷ୍ମଣ ସାମିଲ ହୋଇ ଅନେକ ସ୍ଥାନକୁ ପଦଯାତ୍ରା କରିଥିବାବେଳେ ପୁରୀ ବାଗଲପୁର ରାଜାଙ୍କ କୋଠିରେ ଅବସ୍ଥାନ କରିଥିଲେ। ବାଲିଅନ୍ତା ନିକୁଞ୍ଜ ବିହାରୀ ପୀଠରେ ଗାନ୍ଧିଜୀଙ୍କ ୩ଦିନ ଅବସ୍ଥାନ ସମୟରେ ମନ୍ଦିରରେ ହରିଜନ ପ୍ରବେଶ ଓ ପଂକ୍ତି ଭୋଜନ କାର୍ଯ୍ୟକ୍ରମର ସେ ମୁଖ୍ୟ ପୁରୋଧା ସାଜିଥିଲେ ବୋଲି କୁହାଯାଏ। ୨୦୦୩ରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ଦିନ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ମଧ୍ୟ ହୋଇସାରିଥିଲା। ଫଳସ୍ୱରୂପ ସରକାରଙ୍କ ଭତ୍ତା ବନ୍ଦ ହୋଇଯାଇଥିଲା। ସେହି ଦିନରୁ ୧୭ବର୍ଷ ହେଲା ଥରୁଟିଏ ହେଲେବି ଏହି ସଂଗ୍ରାମୀ ପରିବାର କିପରି ଅଛନ୍ତି କେହି ହେଲେ କୌଣସି କାର୍ଯ୍ୟକ୍ରମରେ ମନେପକାଇ ନାହାନ୍ତି ବୋଲି ଲକ୍ଷ୍ମଣଙ୍କ ସାନପୁଅ ହେମନ୍ତ କ୍ଷୋଭର ସହ କହିଛନ୍ତି।
ସଂଗ୍ରାମୀଙ୍କ ୩ପୁଅ ଏବଂ ୩ଝିଅ ଥିବାବେଳେ ଝିଅମାନେ ବିବାହ କରି ଅନ୍ୟତ୍ର ଯାଇଥିବାବେଳେ ୩ପୁଅରୁ ବଡ଼ ପୁଅଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଲକ୍ଷ୍ମଣଙ୍କୁ ଭତ୍ତା ସହିତ ରେଳ ଯାତ୍ରା ପାଇଁ ପାସ୍‌ ବ୍ୟବସ୍ଥା ଥିଲା। ଏ ସବୁ ଏବେ ଅଚଳ ହୋଇ ଯାଇଛି। ସଂଗ୍ରାମୀ ପରିବାରଙ୍କ କହିବା ଅନୁସାରେ ଘରଡିହକୁ ଛାଡ଼ିଲେ ଜମିବାଡ଼ି କିଛି ନାହିଁ। ବିଭିନ୍ନ କାମଧନ୍ଦା କରି ଯାହା ରୋଜଗାର କରୁଛନ୍ତି ସେଥିରେ ଚଳୁଛନ୍ତି। ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ଉତ୍ତରାଧିକାରୀ ସଂଘ ମାଧ୍ୟମରେ ସଂଗ୍ରାମୀ ପରିବାର ସଦସ୍ୟମାନେ ଗତ କିଛି ବର୍ଷ ଧରି ବିଭିନ୍ନ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଇନଥିବା ହେମନ୍ତ କହିଛନ୍ତି।
ଆର୍ଥିକ ଅନଟନ ଦେଇ ଗତି କରୁଥିଲାବେଳେ ସରକାରଙ୍କ ପକ୍ଷରୁ ଏହି ସଂଗ୍ରାମୀ ପରିବାର ପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories