www.samajalive.in
Saturday, December 13, 2025
26.1 C
Bhubaneswar

ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ଭାରତ ଓ ଚୀନର ସହମତି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ରବିବାର ଅନୁଷ୍ଠିତ ସେନା କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି। ଉଭୟ ଦେଶ ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇବା ପ୍ରକ୍ରିୟା ତ୍ଵରାନ୍ବିତ କରିବାକୁ ବୈଠକରେ ସହମତି ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ତେବେ ପୂର୍ବରୁ ଏ ନେଇ ଅନେକ ଥର ସହମତି ପ୍ରକାଶ ପାଇଥିଲେ ହେଁ ଚୀନର ଦୋମୁହାଁ ନୀତି ଯୋଗୁ ପୂର୍ବ ଲଦାଖ ଅଞ୍ଚଳରେ ଦୁଇ ଦେଶ ମଧ୍ୟରେ ବିବାଦ ଥମିପାରୁ ନାହିଁ।

ରବିବାର ପୂର୍ବାହ୍ନ ୧୦ଟାରେ ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଚୀନ ସଂଲଗ୍ନ ମାଲ୍‌ଦୋ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ୯ମ ପର୍ଯ୍ୟାୟ ସେନା କମାଣ୍ଡର ସ୍ତରୀୟ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିବା ପ୍ରତିନିଧିମଣ୍ଡଳୀରେ କୋର୍‌ କମାଣ୍ଡର ଲ୍ୟୁଟ୍‌ନାଣ୍ଟ ଜେନେରାଲ ପି.ଜି.କେ. ମେନନ ପ୍ରତିନିଧିତ୍ଵ କରିଥିଲେ। ବିବାଦୀୟ ଅଞ୍ଚଳରୁ ନିଜ ସୈନ୍ୟଙ୍କୁ ପଛକୁ ହଟାଇବା ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଏବଂ ଉତ୍ତେଜନା ହ୍ରାସ କରିବା ଦାୟିତ୍ଵ ଚୀନର ବୋଲି ଭାରତ ପକ୍ଷରୁ କୁହାଯାଇଥିଲା।

- Advertisement -

ଏହା ପୂର୍ବରୁ ଗତବର୍ଷ ନଭେମ୍ବର ୬ରେ ଦୁଇ ଦେଶ ମଧ୍ୟରେ ୮ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିବାଦୀୟ ଅଞ୍ଚଳରୁ ଉଭୟ ପକ୍ଷର ନିଜ ସୈନ୍ୟଙ୍କୁ ପଛକୁ ହଟାଇବା ଉପରେ ବ୍ୟାପକ ଆଲୋଚନା କରିଥିଲେ। ଗତ ଅକ୍ଟୋବର ୧୨ରେ ଦୁଇ ଦେଶ ମଧ୍ୟରେ ୭ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚୀନ ପେନ୍‌ଗଙ୍ଗ ସୋ ହ୍ରଦର ଦକ୍ଷିଣ ତଟ ଆଖପାଖର ଉଚ୍ଚ ସ୍ଥାନରେ ମୁତୟନ ହୋଇଥିବା ଭାରତୀୟ ସୈନ୍ୟଙ୍କୁ ଭାରତ ପଛକୁ ହଟାଇବା ଉପରେ ଜୋର୍‌ ଦେଇଥିଲା। କିନ୍ତୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏକାସାଙ୍ଗରେ ଆରମ୍ଭ କରିବାକୁ ଭାରତ ଦାବି କରିଥିଲା।

ସୂଚନାଯୋଗ୍ୟ, ପୂର୍ବ ଲଦାଖର ବିଭିନ୍ନ ପାର୍ବତ୍ୟାଞ୍ଚଳରେ ଭାରତୀୟ ସ୍ଥଳ ସେନାର ପ୍ରାୟ ୫୦ ହଜାର ଯବାନ ଯୁଦ୍ଧ ପ୍ରସ୍ତୁତି ସହିତ ମୁତୟନ ହୋଇଛନ୍ତି। ଚୀନ ମଧ୍ୟ ଅନୁରୂପ ସଂଖ୍ୟାରେ ସୈନ୍ୟ ମୁତୟନ କରିଛି। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ଲାଗି ଅନେକ ଥର ଆଲୋଚନା ହୋଇଥିଲେ ତାହାର ସମାଧାନ ହୋଇପାରି ନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories