ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି। ସେ ଟ୍ୱିଟ କରିଛନ୍ତି, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା କଥା ସମ୍ରାଟ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ’ରେବତୀ, ’ଛ’ ମାଣ ଆଠ ଗୁଣ୍ଠ ଓ ଡାକ ମୁନସୀ ଭଳି କାଳଜୟୀ ରଚନା ସହ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ତାଙ୍କ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, ଆଧୁନିକ ଓଡ଼ିଆ ଭାଷା-ସାହିତ୍ୟର ଯୁଗାନ୍ତକାରୀ ସ୍ରଷ୍ଟା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଟ୍ୱିଟ କରି କହିଛନ୍ତି ଯେ ସେ ଓଡ଼ିଆ ଭାଷା ସାହିତ୍ୟର ସେନାପତି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।
ବ୍ୟାସକବି ଫକୀରମୋହନ କ୍ଷୁଦ୍ରଗଳ୍ପ ଲେଖିବାରେ ସିଦ୍ଧହସ୍ତ ଥିଲେ ଓ ସେ ଓଡିଆ ସାହିତ୍ୟରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ। ତାଙ୍କ ଲେଖାରେ ସାଧାରଣ ଲୋକ ଏବଂ ସେମାନଙ୍କ ସମସ୍ୟା ନିଚ୍ଛକ ଭାବରେ ସ୍ଥାନ ପାଇଥିଲା। ଉଚ୍ଚକୋଟିର ଲେଖା ଓ ସରଳ ବର୍ଣ୍ଣନା ଯୋଗୁ ବ୍ୟାସକବିଙ୍କୁ ବିଂଶ ଶତାବ୍ଦୀର ମହାନ ଔପନ୍ୟାସିକ ପ୍ରେମଚାନ୍ଦ ଏବଂ ବିଭୂତିଭୂଷଣ ବାନାର୍ଜୀଙ୍କ ସହ ତୁଳନା କରାଯାଏ। ସେ ନିଜର ଦକ୍ଷତା ଯୋଗୁ ଜଣେ ସୁ-ଶିକ୍ଷକ, ଚିତ୍ରକାର ଏବଂ ମହାନ ପ୍ରଶାସକ ଭାବରେ କ୍ଷତି ଅର୍ଜନ କରିଥିଲେ। ତାଙ୍କ ଲେଖାରେ ଓଡିଆ ଜାତୀୟତାବାଦ ମୁଖ୍ୟ ବିଷୟବସ୍ତୁ ଥିଲା।
୧୮୪୩ ମସିହା ଜାନୁଆରୀ ୧୩ ମକର ସଂକ୍ରାନ୍ତିରେ ବାଲେଶ୍ୱର ଜିଲ୍ଲା ମଲ୍ଲିକାଶପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଫକୀରମୋହନ ଓଡିଆ ଭାଷାର ବିକାଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସେ ଓଡିଆ ଭାଷା ଏବଂ ସାହିତ୍ୟର ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।



