କରୋନା କାଳରେ ଝାଡୁ ବେଉସା….କୁଚିଣ୍ଡା ରୁ କଳାପାଣି
ରେଙ୍ଗାଲିକ୍ୟାମ୍ପ : ବିଗତ ବର୍ଷ କରୋନା ତାର ପ୍ରକୋପରେ ମଣିଷର ଜୀବନ ଜଞ୍ଜାଳର ଅଭ୍ୟାସକୁ ବଦଳାଇ ଦେବା ସହ ପେଟ ପୋଷିବା ପାଇଁ କଠିନରୁ କଠିନ କାମ କରିବା ବି ଶିଖାଇ ଦେଇଛି। ଏମିତିକି ଝାଡୁ ବିକି ପେଟ ପୋଷିବା ପାଇଁ ଲୋକ ଶହ ଶହ କିଲୋମିଟର ଦୂର ଦୂରାନ୍ତକୁ ଯାଉଥିବା ବି ଦେଖିବାକୁ ମିଳୁଛି ତାହା ବି ପାଦରେ ଚାଲି ଚାଲି। ଏମିତି କିଛି ଝାଡୁ ବ୍ୟବସାୟୀ ଆଜି ନଜରକୁ ଆସିଥିଲେ। ସେମାନେ ହେଉଛନ୍ତି ଲହଡା ପଞ୍ଚାୟତର କୁଚିଣ୍ଡା ଗ୍ରାମର। ସେମାନେ ଗୋଟିଏ ଝାଡୁକୁ ୩୦ଟଙ୍କା ଲେଖାଏଁ କିଣି ଦୂର ଦୂର ଗାଁକୁ ଯାଇ ୪୦ଟଙ୍କା ଦରରେ ବିକ୍ରି କରିଥାନ୍ତି। କେବେ ବସ୍ ରେ କିଛି ଦୂର ଆସି ପୁଣି ପାଦରେ ଚାଲିଥାନ୍ତି। କେଉଁ ଦିନ ୩୦୦ଟଙ୍କା ଲାଭ ମିଲିଥାଏ ତ ଆଉ କେଉଁ ଦିନ ବିକ୍ରି ହୋଇ ନ ପାରି ଲାଭ ଟିକକ ଯିବା ଆସିବା ଖର୍ଚ୍ଚରେ ସରିଯାଏ । ତେଣୁ ବାଧ୍ୟ ହୋଇ ସେମାନେ କେଉଁ ଦୋକାନର ବାରଣ୍ଡା ତ କାହା ପିଣ୍ଡାରେ ଆଶ୍ରୟ ନେଇ ପରଦିନକୁ ଅପେକ୍ଷା କରନ୍ତି ବିକ୍ରି ପାଇଁ। ସେମାନେ କୁହନ୍ତି ଦିନ ଥିଲା ଲୋକ ଆମ ପାଖକୁ ଆସି ଝାଡୁ କିଣି ନେଉଥିଲେ। ହେଲେ ଆଜି ଆମକୁ ବାର ଦୁଆର ଶୁଣ୍ଡି ପିଣ୍ଡା ହେବାକୁ ପଡୁଛି। ଗୋଟିଏ ପକ୍ଷରେ ପ୍ଳାଷ୍ଟିକ ଓ ଫୁଲ ଝାଡୁର ଚାହିଦା ଏବେ ବଢିଯାଇଥିବା ବେଳେ ଅନ୍ୟ ପକ୍ଷରେ କରୋନା କଟକଣା ଯୋଗୁଁ ଲୋକ ଯିବା ଆସିବା ବେଶୀ କରୁନାହାନ୍ତି। ତେଣୁ ଘୁଡାଲେଞ୍ଜି ଝାଡୁର ଚାହିଦା ଏବେ କମିଯାଇଛି। ଏହାକୁ ତିଆରି କରିବା ପାଇଁ ବି ଅଧିକ ପରିଶ୍ରମ ଲାଗିଥାଏ । ତଥାପି ପୁରାତନ ଜିନିଷକୁ ବଞ୍ଚାଇ ରଖିବାର ପ୍ରୟାସ ସେମାନେ କରିଚାଲିଛନ୍ତି। କାହିଁ କୁଚିଣ୍ଡାରୁ କଳାପାଣି, ଲସ୍ତଲା, ସୁକଟା ପାଲି , ଦେବାହାଲ, ଜହ୍ନାପଡା, ବରାହଗୁଡାଆଦି ମଫସଲ ଗ୍ରାମ ମାନଙ୍କରେ ଏପରିକି ଦରକାର ପଡିଲେ ବରଗଡ ପର୍ଯ୍ୟନ୍ତ ମଧ୍ୟ ଯାଇଥାନ୍ତି। ପେଟ ପୋଷିବା ପାଇଁ ଏହା ହିଁ ହେଉଛି ତାଙ୍କର ମୁଖ୍ୟ ଜୀବିକା। ସରକାରଙ୍କ ଠାରୁ କେବଳ ପାଞ୍ଚ କେଜି ଚାଉଳ ବ୍ୟତିତ ଆଉ କିଛି ମିଳୁନାହିଁ। ସରକାରୀ ଘର ଖଣ୍ଡିଏ ଓ କିଛି ଆର୍ଥିକ ସହାୟତା ପାଇଁ ବାରମ୍ବାର ଅଫିସକୁ ଦୌଡି ଦୌଡି ଓ ସରକାରୀ ବାବୁମାନଙ୍କୁ କାକୁତି ମିନତି କରି ଥକି ଗଲେଣି। ହେଲେ କେହି ଶୁଣିନଥିବା ସେମାନେ କହିଥିଲେ । ଗରିବମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି ତେବେ ଏମାନଙ୍କୁ ଦେଖିଲେ ଯେ କେହି ବି କହିପାରିବ ଯେ ସବୁ ସରକାରୀ ଯୋଜନା ଏମାନଙ୍କ ଠାରେ ବାଟବଣା ହେଇଛି।”ତେଲିଆ ମୁଣ୍ଡରେ ତେଲ ଆଉ ନୁଖୁରା ମୁଣ୍ଡରେ ପଡୁଛି ଢେଲ” ପରି ଏମାନଙ୍କ ଅବସ୍ଥା ହେଇଛି।
Comments are closed.