ବିକାଶ ଉହାଡରେ ବିଜେପି ; ଜିଲା ପରିଷଦ ପ୍ରଦର୍ଶନ ପ୍ରଭାବ ଶୂନ୍ୟ
-ହିସାବ ମାଗୁଛି ବଲାଙ୍ଗିର, ୪ବର୍ଷରେ ୪ଥର ପରିଷଦ ବୈଠକ, କୁହୁଳୁଛି ଅନାସ୍ଥା ପ୍ରସ୍ତାବ
ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁ ଦେଖାଇ ଭୋଟ ମାଗିଲେ। ତାଙ୍କ ବିକାଶର ଚିତ୍ରଙ୍କୁ ଭଞ୍ଜାଇ ଜନତାଙ୍କୁ ଆକର୍ଷିତ କଲେ। ଯେଉଁଠି ଶଙ୍ଖ ଓ ହାତ ଦଳ ଗଡ କରିଥିଲେ ସେଠି ପଦ୍ମ ଜନ୍ମ ହେଲା। ସବୁ ଗଣିତକୁ ଭୁଲ ପ୍ରମାଣିତ କଲା ପଦ୍ମ ଦଳ। ପୂର୍ବରୁ ବଲାଙ୍ଗିର ଜିଲା ପରିଷଦ ଆସନରେ ୩/୪ ସିଟ୍ରେ ସୀମିତ ରହୁଥିବା ବିଜେପି ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ଲମ୍ବାଡିଆଁ ମାରିଲା। ଏକାଥରେ ୨୪ ଆସନ ଦଖଲ କଲା ବିଜେପି। ଜିଲା ପରିଷଦ ଗଠନ ପରେ ବଲାଙ୍ଗିର ବିକାଶର ନୂଆ ଦିଶା ପାଇବ ବୋଲି ମୁହଁ ଫୁଟାଣି ମାରୁଥିଲେ ଦଳୀୟ ନେତାଏ। ଇତିମଧ୍ୟରେ ୪ ବର୍ଷ ପାରେଇଗଲାଣି। ଜିଲାର ବିକାଶ ଉହାଡରେ ବିଜେପି ବୋଲି ସମାଲୋଚନା ହେଉଛି। ସେହିପରି ୪ ବର୍ଷରେ ଜିଲାର ବିକାଶ ପାଇଁ ୪ଥର ବୈଠକ ହୋଇଛି। ପ୍ରଭାବଶୂନ୍ୟ ପ୍ରଦର୍ଶନ ସହ ବଲାଙ୍ଗିର ଜିଲା ପରିଷଦ ସ୍ଥାଣୁ ହୋଇଛି। ବଲାଙ୍ଗିର ଜିଲାବାସୀ ହିସାବ ମାଗିବା ଆରମ୍ଭ କରିଥିବା ବେଳେ ଜିଲା ପରିଷଦ ସଭାପତି ଓ ଉପ ସଭାପତିଙ୍କୁ ନେଇ ଅସନ୍ତୋଷ ଘନଉଛି। ହାତ ଗଣତି ସଦସ୍ୟଙ୍କୁ ଛାଡିଦେଲେ ଅନେକ ନୀରବ। ତଥ୍ୟ ଅନୁସାରେ, ଜିଲା ପରିଷଦ ସଭାପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଭିତରେ ଭିତରେ ନିଆଁ କୁହୁଳୁଛି। ଜିଲା ପରିଷଦ ରାଜନୀତି କେତେବେଳେ କେଉଁ ମୋଡ ନେବ ତାହା କହିବା କଷ୍ଟକର ହୋଇଛି।
ବଲାଙ୍ଗିର ଜିଲା ପରିଷଦ ପ୍ରଥମେ ଦଖଲ କରିଥିଲା ବିଜେଡି। ବାଳକୃଷ୍ଣ ରଥ ଜିଲା ପରିଷଦର ପ୍ରଥମ ସଭାପତି। ଏହାପରେ ବିର୍ଧି ଜୈନ(କଂଗ୍ରେସ) ସଭାପତି ହୋଇଥିଲେ। ୨୦୦୭ରୁ ୧୨ଯାଏ ବିଜେଡିରୁ ଭାନୁମତି ରାଉତ ଓ ୧୨ରୁ ୧୭ ଯାଏ ବିଜୟ ପ୍ରଧାନୀ ଜିଲା ସଭାପତି ରହିଥିଲେ। ୨୦୧୭ ଜିଲା ପରିଷଦ ନିର୍ବାଚନରେ ସବୁ ଅଙ୍କ ଭୁଲ ପ୍ରମାଣିତ କରିଦେଲା ବିଜେପି। ଅନେକ ବିଜେପି ପ୍ରାର୍ଥୀ ପ୍ରଚାରରେ ବିଶେଷ ଦୃଷ୍ଟି ଦେଇ ନଥିଲେ ବି କୁହୁକ ପେଡି ଭଳି ବିଜେପି ବାଜିମାତ କଲା। କଂଗ୍ରେସ ଓ ବିଜେଡି ତାଟକା ହୋଇଥିଲେ ବିଜେପିର ଅଭ୍ୟୁଦୟରେ। ୩୪ ଜିଲା ପରିଷଦ ଆସନରୁ ୨୪ ବିଜେପି(ଏବେ ୨୩), ବିଜେଡି ୮ରୁ ୯ ହୋଇଥିବା ବେଳେ କଂଗ୍ରେସ ମାତ୍ର ୨ଟି ସିଟ୍ରେ ସନ୍ତୁଷ୍ଟ ହୋଇଥିଲା। ବେସରକାରୀ ସ୍ୱେଚ୍ଛାସେବୀ ସଂସ୍ଥାରେ ଲୋକଙ୍କ ପାଇଁ କାମ କରୁଥିବା ଭାରତୀ ମହାନନ୍ଦଙ୍କୁ ସଭାପତି ମନୋନୀତ ହୋଇଥିବା ବେଳେ ପାଣ୍ଡବ ସାହୁ ହୋଇଥିଲେ ଉପ ସଭାପତି। ପ୍ରଥମେ ପ୍ରଥମେ ବେଶ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥବା ଜିଲା ପରିଷଦ ସଭାପତି ଶ୍ରୀମତୀ ମହାନନ୍ଦ ସମୟ ଅନୁସାରେ ଶୀଥିଳ ହୋଇପଡିଛନ୍ତି। ତାଙ୍କ ସମୟରେ ଜିଲା ପରିଷଦ ଆଖିଦୃଶିଆ ଅଗ୍ରଗତି କରିପାରି ନଥିବା ସମାଲୋଚନା ହେଉଛି। ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇ ଜିଲାର ବିକାଶ ପାଇଁ ପଦକ୍ଷେପ ନେବା ବଦଳରେ ପ୍ରଶାସନିକତନ୍ତ୍ରର ହାତର ଖେଳଣା ପାଲଟିଥିବା ଅଭିଯୋଗ ହେଉଛି। ବିଜେପି ଜିଲା ପରିଷଦ ସଭ୍ୟ, ସଭ୍ୟା ବି ସେଭଳି କୌଣସି ଭଲ ପଦକ୍ଷେପ ନିଜ ଅଞ୍ଚଳରେ କରି ପ୍ରଶଂସିତ ହୋଇପାରି ନାହାନ୍ତି। ଅନ୍ୟପଟେ ଘରେ ବସି ଜିଲା ପରିଷଦ ପରିଚାଳନା କରାଯାଉଥିବା ଭଳି ଅଭିଯୋଗ କରୁଛନ୍ତି ଜିଲା ପରିଷଦ ସଭ୍ୟ, ସଭ୍ୟାମାନେ। ଜିଲା ପରିଷଦ ଭୂମିକାକୁ ନିଭାଇବାରେ ବିଫଳ ହୋଇଛନ୍ତି ନିର୍ବାଚିତ ପ୍ରତିନିଧିମାନେ ବୋଲି ସମାଲୋଚନା ହେଉଛି।
ସବୁଠାରୁ ବଡ ଆଲୋଚନାର ବିଷୟ ହୋଇଛି ଯେ, ପ୍ରତି ବର୍ଷ ଅତି କମ୍ରେ ୨ଟି ସାଧାରଣ ପରିଷଦ ବୈଠକ ହେବାର ଆବଶ୍ୟକତା ରହିଛି। କିନ୍ତୁ ୪ ବର୍ଷରେ କେବଳ ୪ଥର ବୈଠକ ହିଁ ହୋଇପାରିଛି। ଡିସେମ୍ବର ୬ ତାରିଖରେ ପରିଷଦ ବୈଠକ ପାଇଁ ସ୍ଥିର ହୋଇଥିବା ବେଳେ ଏହାକୁ ଅନିବାର୍ଜ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଯାହାକୁ ନେଇ କ୍ଷୁବ୍ଧ ଜିଲା ପରିଷଦର ସଭ୍ୟ, ସଭ୍ୟାମାନେ। ଏହି ମର୍ମରେ ପଦୁଟିଏ ବି କହି ପାରୁ ନାହାନ୍ତି ସଭାପତି ଓ ଉପ ସଭାପତି। ସମସ୍ତେ ଏକରକମ ମୌନ ବ୍ରତ ଧାରଣ କରିଛନ୍ତି। ଜିଲା ପରିଷଦ ଅଫିସରେ ସଭାପତି, ଉପ ସଭାପତିଙ୍କୁ ଭେଟିବାକୁ ଆସି ଲୋକେ ନିରାଶ ହେଉଛନ୍ତି। ଅଫିସରେ ୩ଜଣ ପିଅନ୍ ନିୟୋଜିତ ହୋଇଥିବା ବେଳେ କାର୍ଯ୍ୟରେ ଜଣେ ବି ନାହାନ୍ତି। ଏଭଳି ଅବ୍ୟବସ୍ଥା ଭିତରେ ଜିଲା ପରିଷଦ ରହିଥିବା ବେଳେ ୮ମାସରୁ କମ୍ କାର୍ଯ୍ୟକାଳ ରହିଛି। ଅନେକ ନାଖୁସ ସଭ୍ୟ, ସଭ୍ୟା ସଭାପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଗୋଡ ଟେକି ବସିଥିବା ଆଲୋଚନା ହେଉଛି।
Comments are closed.