ଆସନ୍ତାକାଲି ଆଲିଗଡ୍‍ ମୁସଲିମ୍ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି  ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲିଗଡ୍‍ ମୁସଲିମମ ବିଶ୍ୱବିଦ୍ୟାଳୟର (ଏଏମୟୁ) ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ। ଦୀର୍ଘ ୫ ଦଶନ୍ଧି ପରେ ପ୍ରଥମଥର ପାଇଁ ଭାରତର ଜଣେ ପ୍ରଧାନମନ୍ତ୍ରୀ ଆଲିଗଡ୍‍ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ ଅଂଶହଣ କରୁଛନ୍ତି। ଲାଲବାହାଦୁର ଶାସ୍ତ୍ରୀଙ୍କ ପୂର୍ବରୁ ପଣ୍ଡିତ ଜବାହରଲାଲ ନେହେରୁ ଆଲିଗଡ୍ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟକୁ ୪ଥର ଗସ୍ତ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ପ୍ରଥମେ ୧୯୪୮ ମସିହାରେ ଓ ଶେଷଥର ପାଇଁ ୧୯୬୩ ମସିହାରେ ଆଲିଗଡ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟକୁ ଗସ୍ତ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଲୋକମାନେ ପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆଲିଗଡ୍ ମୁସ୍‍ଲିମ୍‍ ବିଶ୍ୱବିଦ୍ୟାଳୟ କୁଳପତି ତାରିକ୍‍ ମନସୁର୍‍ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଥିବାରୁ ସମଗ୍ର ବିଶ୍ୱବିଦ୍ୟାଳୟ ତାଙ୍କୁ କୃତଜ୍ଞତା ଜଣାଇଛି। ବିଶ୍ୱବିଦ୍ୟାଳୟର
କର୍ମକର୍ତ୍ତାମାନଙ୍କ କହିବା ଅନୁସାରେ ଶ୍ରୀ ମୋଦୀ ଏହି ଅବସରରେ ଏକ ଡାକ ଟିକଟ ଉନ୍ମୋଚନ କରିବେ।

ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏଏମୟୁ ବିଷୟରେ କିଛି

ମହମ୍ମଦାନ ଆଙ୍ଗ୍ଲୋ ଓରିଏଣ୍ଟାଲ (ଏମଏଓ) କଲେଜକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଭାରତୀୟ ବିଧାନ ପରିଷଦର ଏକ ଅଧିନିୟମ ମାଧ୍ୟମରେ ୧୯୨୦ରେ ଏଏମୟୁ ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ହେଲା । ୧୮୭୭ ମସିହାରେ ସାର ସୟଦ ଅହମ୍ମଦ ଖାନଙ୍କ ଦ୍ୱାରା ଏମଏଓ କଲେଜ ପ୍ରତିଷ୍ଠା କରାଯାଇଥିଲା । ଉତ୍ତରପ୍ରଦେଶର ଆଲିଗଡ଼ ସହରରେ ୪୬୭.୬ ହେକ୍ଟର ଜମିରେ ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । ମାଲାପୁରମ (କେରଳ), ମୁର୍ସିଦାବାଦ-ଜାଙ୍ଗିପୁର (ପଶ୍ଚିମବଙ୍ଗ) ଏବଂ କିଶନଗଞ୍ଜ (ବିହାର)ରେ ଏହାର ତିନୋଟି ଅଫ କ୍ୟାମ୍ପସ କେନ୍ଦ୍ର ରହିଛି ।

Comments are closed.